www.samajalive.in
Sunday, December 7, 2025
23.1 C
Bhubaneswar

ପୋତି ହେଲାଣି ମାଥନପଲା ଡ୍ୟାମ୍‌, ରାସ୍ତାକୁ ଗୁରୁତ୍ୱ ଦେଉଛି ଜଳସେଚନ ବିଭାଗ

ଟିଟିଲାଗଡ଼: କରୋନା ମହାମାରୀ ନେଇ ପ୍ରାୟ ୮ ମାସ ଧରି ସାଧାରଣ ଜନତା, ଚାଷୀ, ଶ୍ରମିକ ଘାଣ୍ଟି ହେଉଛନ୍ତି। ମହାମାରୀ ଭୟରେ ବିଭିନ୍ନ ରାଜ୍ୟକୁ କାମ କରିବାକୁ ଯାଇଥିବା ହଜାର ହଜାର ଶ୍ରମିକ ଭିଟାମାଟିକୁ ଫେରିଛନ୍ତି। ଏନେଇ ସରକାରୀ ସ୍ତରରେ କିଭଳି କୃଷି କ୍ଷେତ୍ରର ବିକାଶ ସହ ନିଯୁକ୍ତ ସୁଯୋଗ ସୃଷ୍ଟି ହୋଇ ଗ୍ରାମ୍ୟ ଅର୍ଥନୀତି ସୁଦୃଢ ହେବ ସେନେଇ ଚିନ୍ତା ଘାରିଛି। ଏଭଳି ଅଭାବିଆ ପରିସ୍ଥିତିରେ ଟିଟିଲାଗଡ ବ୍ଲକରେ କୋଟି କୋଟି ଟଙ୍କା ଖର୍ଚ୍ଚରେ କ୍ଷୁଦ୍ର ଜଳସେଚନ ବିଭାଗର ରାସ୍ତା ନିର୍ମାଣ ଚର୍ଚ୍ଚାର ବିଷୟ ହୋଇଛି।
୧୯୭୧ ମସିହାରେ ଟିଟିଲାଗଡ ବ୍ଲକର ମାଥନପଲା ଠାରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ବର୍ଣ୍ଣେଇ ପାହାଡ ତଳେ ୧୬୩ ହେକ୍ଟର ପରିମିତ ଅଞ୍ଚଳରେ ଡ୍ୟାମ ନିର୍ମାଣ ହୋଇଥିଲା। ଏନେଇ ୫.୫ କିଲୋମିଟର ମୁଖ୍ୟ କେନାଲ ସମେତ ୨୩ କିଲୋମିଟର କେନାଲ ଚାଷୀଙ୍କ ଜମିକୁ ସଂଯୋଗ ସହ ଜଳସେଚନ ବ୍ୟବସ୍ଥା ହୋଇଥିଲା। ନିର୍ମାଣ ସମୟରେ ଡ୍ୟାମରୁ ବାଞ୍ଜିପଦର ଓ ବିଜେପୁର ପଞ୍ଚାୟତ ଅଞ୍ଚଳର ଖରିଫରେ ୧୩୧୧ ହେକ୍ଟର ତଥା ରବିରେ ୬୦୭ ହେକ୍ଟର ଚାଷ ଜମିକୁ ଜଳସେଚନ ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା। ହେଲେ ଡ୍ୟାମରୁ କ୍ରମାଗତ ଭାବେ ଜଳସେଚନ କ୍ଷମତା ହ୍ରାସ ପାଇଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ବର୍ଷ ବର୍ଷ ଧରି ଅବହେଳା ସହ ଡ୍ୟାମରୁ ପଙ୍କ ଉଦ୍ଧାର କାର୍ଯ୍ୟ କେବେ ହୋଇପାରୁନାହିଁ। ଏପରିକି କେନାଲରୁ ପାଣି ଯିବା ସୁଗମ ହେବା ପାଇଁ ଘାସ ଚାଞ୍ଚିବା କାମ ମଧ୍ୟ ସଠିକ ଭାବରେ ହେଉନଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନେ ସ୍ଥାନେ କେନାଲ ପୋତି ହେବାକୁ ବସିବାରୁ ତଳ ମୁଣ୍ଡର ଜମି ମରୁଡି ହେଲେ ଫସଲ ନଷ୍ଟ ହେବା ନିଶ୍ଚିତ ହୋଇଛି। ୫୦ ବର୍ଷର ଡ୍ୟାମଟି କାଳକ୍ରମେ ପୋତି ହେବାକୁ ବସିଛି। ଏନେଇ ପଙ୍କ ଉଦ୍ଧାର ଓ ୨୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ମୁଖ୍ୟ କେନାଲ ତଥା ଶାଖା କେନାଲର ଲାଇନିଂ କାର୍ଯ୍ୟ, କଂକ୍ରିଟ ଆଦି ନେଇ ଚାଷୀ ବାରମ୍ବାର ରାଜନେତା ତଥା ପ୍ରଶାସନ ଠାରେ ଦାବି କରିଛନ୍ତି। ସବୁ ଦାବିକୁ ଅଣଦେଖା କରାଯାଉଛି। କେନାଲ ଲାଇନିଂ ତଥା କଂକ୍ରିଟ ନହେବା ଯୋଗୁଁ ବର୍ଷକୁ ବର୍ଷ ପୋତି ହୋଇଯାଉଛି। ଦୀର୍ଘ ୫ ବର୍ଷ ହେବ କେନାଲ ସଜାଡିବାକୁ ସରକାରଙ୍କ ପକ୍ଷରୁ କୌଣସି ଅର୍ଥ ଆସୁନାହିଁ। ଆବଶ୍ୟକ ଅର୍ଥ ବରାଦ ନେଇ ବିଭିନ୍ନ ସମୟରେ ଏଅଞ୍ଚଳରୁ ନିର୍ବାଚିତ ଲୋକ ପ୍ରତିନିଧି ଅବହେଳା ପ୍ରଦର୍ଶନ କରୁଥିବା ଦର୍ଶାଇ ଚାଷୀ ସମାଲୋଚନା କରୁଛନ୍ତି। ଏ ଅଞ୍ଚଳର ଚାଷୀଙ୍କ ସମସ୍ୟା ସମାଧାନର ନେଇ ସମସ୍ତ ବାଟ ବନ୍ଦ ହୋଇଯାଇଥିବା ସ୍ଥାନୀୟ ଚାଷୀ ମହଲରେ ନିରାଶା ଖେଳିଯାଇଛି। ସରକାରୀ ସ୍ତରରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ମାଥନପଲା ମୁଖ୍ୟ କେନାଲ ପାଣି ପଞ୍ଚାୟତ ସଭାପତି ରଜନୀ ଗଡତିଆ, ସମ୍ପାଦକ ରବି ଭୋଇ, ବିଜେପୁର ଶାଖା କେନାଲ ପାଣିପଞ୍ଚାୟତ ସଭାପତି ବିକାଶ ପାଣିଗ୍ରାହୀ, ସମ୍ପାଦକ ଗତିକୃଷ୍ଣ ବଗର୍ତ୍ତି, ବାଞ୍ଜିପଦର ଶାଖା କେନାଲ ପାଣି ପଞ୍ଚାୟତ ସଭାପତି ଶତୃଘ୍ନ ସାଗର, ସମ୍ପାଦକ ନୃପରାଜ ବିଶି ପ୍ରମୁଖ ଦାବି କରିଛନ୍ତି।
ଡ୍ୟାମ ତଥା କେନାଲ ପୋତି ହୋଇଯାଉଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ କେନାଲ କଡ ରାସ୍ତା ପୁର୍ନନିର୍ମାଣ କାମ କରାଯାଉଛି। ଏହି ରାସ୍ତା କାମ କାହା ସ୍ୱାର୍ଥରେ ବୋଲି ଚାଷୀ ନେତା ପ୍ରଶ୍ନ କରିଛନ୍ତି। ଏହା ସହ କଟାପଡା ପାଖରେ ଗାଈ ବଳଦ ପାର ହେବା ପାଇଁ କେନାଲ ଉପରେ ପୋଲ, କୁମୁଡା ପାଖରେ କେନାଲ ଯାଇଥିବା ପୋଲ ଦୁର୍ବଳ ନେଇ ଆବଶ୍ୟକ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଡ୍ୟାମ ତଥା କେନାଲ ପ୍ରତି ଅବହେଳା ଜାରି ରହିଥିବା ସମ୍ପର୍କରେ ଟିଟିଲାଗଡ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କିଶୋର ପାଢୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଟଙ୍କା ମିଳିଲେ ଯାହା କିଛି କରିହେବ ବୋଲି କହିଛନ୍ତି। ଏନେଇ ସରକାର ଚାଷୀ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର ନେଇ ବିିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories