ତିହାର ଜେଲରେ ସବୁ ସୁବିଧା ଅଛି: ଲଣ୍ଡନ୍ ହାଇକୋର୍ଟ
ଲଣ୍ଡନ୍: ତିହାର ଜେଲ୍ରେ ବନ୍ଦୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ରହିଛି। ଭାରତରୁ ପଳାତକ ଘୋଷିତ ଅଭିଯୁକ୍ତମାନଙ୍କୁ ସେଠାରେ ରଖାଯାଇପାରିବ। ଲଣ୍ଡନ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ଲଣ୍ଡନ ହାଇକୋର୍ଟଙ୍କ ରାୟ ବିଜୟ ମାଲ୍ୟା, ନିରବ ମୋଦୀ, ମେହୁଲ୍ ଚୋକ୍ସିଙ୍କ ପରି ଅର୍ଥନୈତିକ ଅପରାଧୀ ବା ପଳାତକ ଘୋଷିତ ବ୍ୟକ୍ତିଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, କ୍ରିକେଟ୍ ଫିକ୍ସିଂ ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ଲଣ୍ଡନରେ ରହୁଥିବା ଭାରତୀୟ ବଂଶୋଦ୍ଭବ ସଞ୍ଜିବ ଚାୱାଲାଙ୍କୁ ଆଣିବା ପାଇଁ ଭାରତ ସରକାର ଉଦ୍ୟମ କରୁଛନ୍ତି। କିନ୍ତୁ ଭାରତର ଜେଲ୍ରେ ସ୍ୱାସ୍ଥ୍ୟ ସେବା ପାଇଁ ପର୍ଯ୍ୟାପ୍ତ ସୁବିଧା ନଥିବା ଦର୍ଶାଇ ସଞ୍ଜିବ ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦନର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ଭାରତର ତିହାର ଜେଲ୍ରେ ସ୍ୱାସ୍ଥ୍ୟ ଓ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି। ତେଣୁ ଶ୍ରୀ ଚାୱଲାଙ୍କୁ ତିହାର ଜେଲ୍ ପଠାଇବାରେ କୌଣସି ଅସୁବିଧା ନାହିଁ।
ଦିଲ୍ଲୀରେ ଜନ୍ମିତ ସଞ୍ଜିବ ୧୯୯୬ରେ ବିଜିନେସ୍ ଭିସାରେ ଲଣ୍ଡନ ଚାଲିଯାଇଥିଲେ। ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆସିବା ପରେ ୨୦୦୦ରେ ତାଙ୍କର ଭାରତୀୟ ପାସପୋର୍ଟକୁ ରଦ୍ଦ କରି ଦିଆଯାଇଛି। ୨୦୦୩ରେ ତାଙ୍କୁ ଲଣ୍ଡନରେ ରହିବା ପାଇଁ ଅନୁମତି ମିଳିବା ସହିତ ୨୦୦୫ରେ ଲଣ୍ଡନ୍ର ପାସପୋର୍ଟ ମିଳିଥିଲା। ସଞ୍ଜିବ ଏବେ ସେଠାରେ ପତ୍ନୀ ଓ ଦୁଇ ସନ୍ତାନଙ୍କ ସହିତ ଲଣ୍ଡନର ସ୍ଥାୟୀ ବାସିନ୍ଦା ଭାବେ ରହୁଛନ୍ତି।
୨୦୦୦ରେ ଭାରତ-ଦକ୍ଷିଣ ଆଫ୍ରିକ କ୍ରିକେଟ୍ ମ୍ୟାଚ୍ରେ ଫିକ୍ସିଂରେ ସଞ୍ଜିବଙ୍କ ଭୂମିକା ଥିବା ପ୍ରମାଣ ମିଳିବା ପରେ ତାଙ୍କୁ ଭାରତ ଆଣି ଜେରା କରିବା ପାଇଁ ଭାରତ ସରକାର ୨୦୧୬ ଫେବୃଆରୀ ୧ ତାରିଖରେ ଲଣ୍ଡନ ସରକାରଙ୍କୁ ପତ୍ର ଲେଖିଥିଲେ। ଭାରତ ସରକାରଙ୍କ ପତ୍ର ବିରୋଧରେ ଚାୱାଲା ଲଣ୍ଡନର ଏକ କୋର୍ଟରେ ଆବେଦନ କରିଥିଲେ। ୨୦୧୭, ଅକ୍ଟୋବର ୧୬ ତାରିଖରେ ଏହି ମାମଲାର ଶୁଣାଣି ବେଳେ ଲଣ୍ଡନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ କହିଥିଲେ ଯେ ତିହାର ଜେଲର ସ୍ୱାସ୍ଥ୍ୟକର ପରିବେଶ ସମ୍ପର୍କରେ ନିଶ୍ଚିତ ହେବା ପରେ ଯାଇ ଚାୱାଲାଙ୍କୁ ଭାରତ ପଠାଇବାକୁ ଅନୁମତି ମିଳିପାରିବ। ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଏହି ନିର୍ଦେଶକୁ ଚାଲେଞ୍ଜ କରି ଭାରତ ସରକାର ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲେ। ପକ୍ଷ ଓ ପ୍ରତିପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଏବଂ ଉପଯୁକ୍ତ ପ୍ରମାଣ ଆଧାରରେ ଲଣ୍ଡନ ହାଇକୋର୍ଟ କହିଥିଲେ ଯେ ତିହାର ଜେଲ୍ରେ କଏଦୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି। ତେଣୁ ଚାୱାଲାଙ୍କୁ ଭାରତ ପଠାଇବାରେ କୌଣସି ଅସୁବିଧା ନାହିଁ। ଲଣ୍ଡନ ହାଇକୋର୍ଟଙ୍କ ଏହି ରାୟ ପରେ ଚାୱାଲାଙ୍କୁ ଭାରତ ଆଣିବା ପାଇଁ ଭାରତ ସରକାର ଲଣ୍ଡନ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ପଡ଼ିବ।