ଲକ୍ଷ୍ନୌ: ମଣିଷକୁ ଆକ୍ରମଣ କରିବାରୁ ବାଘୁଣୀକୁ ପିଟି ମାରିଦେଲେ ଗ୍ରାମବାସୀ। ଉତ୍ତର ପ୍ରଦେଶର ପିଲିଭିଟ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ବନ ବିଭାଗ କର୍ମଚାରୀ ବାଘର ମୃତଦେହ ଜବତ କରିଛନ୍ତି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ମୋଟ ୪୩ ଜଣଙ୍କ ନାମରେ ଏତଲା ଦିଆଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୩୧ ଜଣ ଚିହ୍ନଟ ହୋଇଥିବାବେଳେ ୧୨ଜଣଙ୍କ ନାଁ ଜଣାପଡ଼ିନାହିଁ। ପଶୁ କ୍ରୁରତା ନିରୋଧ ଆଇନ ୧୯୬୦ ଅଧୀନରେ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ଦିଆଯାଇଛି। ଘଟଣା ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଅଭୟାରଣ୍ୟ ନିର୍ଦେଶକ ରାଜା ମୋହନ କହିଛନ୍ତି, ହତ୍ୟାର ଶିକାର ହୋଇଥିବା ବାଘୁଣୀର ବୟସ ୫ବର୍ଷ। ଦେଉରିଆ ନିକଟରେ ଗ୍ରାମବାସୀମାନେ ତାକୁ ପିଟି ହତ୍ୟା କରିଛନ୍ତି। ବାଘୁଣୀର ମୃତଦେହ ଉଦ୍ଧାର କରାଯାଇଛି। ବାଘୁଣୀଟି ମତାଇନା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ବହୁ ସଂଖ୍ୟାରେ ଗ୍ରାମବାସୀ ଜଙ୍ଗଲରେ ପଶି ବାଘୁଣୀକୁ ସଂଘବଦ୍ଧ ଭାବେ ପିଟି ପିଟି ମାରି ଦେଇଥିଲେ। ବାଘୁଣୀଟିର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଆକ୍ରମଣ ଯୋଗୁ ବାଘୁଣୀର ଅଧିକାଂଶ ପଞ୍ଜରା ହାଡ଼ ଏବଂ ଗୋଡ଼ର ହାଡ଼ ଭାଙ୍ଗିଯାଇଥିଲା। ବର୍ଚ୍ଛା ଏବଂ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ ଯୋଗୁ ଫୁସଫୁସ ସମେତ ଶରୀରର ଏକାଧିକ ସ୍ଥାନ ଫୁଟି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଘୁଣୀର ମୃତ୍ୟୁ ଘଟିଥିଲା।



