ଶହଶହ ହେକ୍ଟର ଧାନଚାଷରେ ବନ୍ୟାଜଳ, ସ୍ଥିତି ତଦାରଖ କଲେ ଜିଲ୍ଲାପାଳ

ତିଗିରିଆ: ଉପରମୁଣ୍ଡରେ ଲଗାଣ ବର୍ଷା ଜଳ ସହିତ ହିରାକୁଦରୁ ନିଷ୍କାସିତ ବନ୍ୟାଜଳ ତିଗିରିଆ ଅଞ୍ଚଳରେ ମହାନଦୀ ଦେଇ ପ୍ରବାହିତ ହେଉଛି। ରବିବାର ସକାଳୁ ଏଠାରେ ମହାନଦୀ ପୂର୍ଣ୍ଣଗର୍ଭା ହୋଇସାରିଛି। ତିଗିରିଆ ଓ ବାଙ୍କୀ ଉତ୍ତର କୁଳାଟ ଅଞ୍ଚଳରେ ମହାନଦୀ ବନ୍ୟାଜଳର ମୁଖ୍ୟ ପ୍ରବେଶଦ୍ୱାର ଭାବେ ପରିଚିତ ବାଙ୍ଗୀ ଘୋଡ଼ାବରସ୍ଥିତ ହୁଳୁହୁଳା ପୋଲ ଉପରେ ଆଜି ସକାଳୁ ବନ୍ୟାଜଳ ପ୍ରବାହ ଆରମ୍ଭ ହୋଇଛି। ସନ୍ଧ୍ୟାସୁଦ୍ଧା ଉକ୍ତ ପୋଲ ଉପରେ ପ୍ରାୟ ୪ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ସନ୍ଧ୍ୟାରେ ତିଗିରିଆ ବ୍ଲକ ଅନ୍ତର୍ଗତ ବଡ଼ବନ୍ଧିଆଣୀ ରାସ୍ତା ଉପରେ ଦେଢ଼ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ସୋମବାର ସକାଳକୁ ଉକ୍ତ ରାସ୍ତାରେ ନଦୀକୂଳ ଖଣ୍ଡହତା ଗ୍ରାମ ସହିତ ସୋମପଡ଼ାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହେବା ସୁନିଶ୍ଚିତ ହୋଇପଡ଼ିଛି। ଏଣେ ତିଗିରିଆ ସମେତ ପଡ଼ୋଶୀ ବଡ଼ମ୍ବା ଅଞ୍ଚଳର ବର୍ଷାଜଳ ଉକ୍ତ ହୁଳୁହୁଳା ପୋଲଦେଇ ମହାନଦୀକୁ ପ୍ରବାହିତ ହେବା ବାଧାପ୍ରାପ୍ତ ହୋଇଛି। ଯାହା ଫଳରେ ବଡ଼ବନ୍ଧ ପାଟ ଏବଂ ଚଷାଆଁରା ଠାରେ ଶହଶହ ହେକ୍ଟର ଧାନଚାଷରେ ବନ୍ୟାଜଳର ଲହଡ଼ି ମାରୁଛି। ମହାନଦୀରେ ମଧ୍ୟମ ଧରଣର ବନ୍ୟାକୁ ନେଇ ବ୍ଲକର କୂଳବାସୀଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି।

ଏଭଳି ସ୍ଥିତିରେ ରବିବାର ମଧ୍ୟାହ୍ନରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ତିଗିରିଆ ଗ୍ରସ୍ତରେ ଆସି ବ୍ଲକର ବନ୍ୟା ପ୍ରବଣ ଅଞ୍ଚଳ ତଥା ମହାନଦୀର ପ୍ରତି ବନ୍ୟାରେ ପ୍ରଥମେ ଜଳବନ୍ଦୀ ହେଉଥିବା ଚଷାଆଁରା ଗ୍ରାମ ପରିଦର୍ଶନ କରି ବନ୍ୟା ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଜନସାଧାରଣ ବନ୍ୟାକୁ ନେଇ ବ୍ୟସ୍ତ ବିବ୍ରତ ନହେବାକୁ ଜିଲ୍ଲାପାଳ ପରାମର୍ଶ ଦେବା ଯେକୌଣସି ଜରୁରୀ ପରିସ୍ଥିତିକୁ ମୁକାବିଲା କରିବା ଲାଗି ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି। ଏହାଛଡ଼ା ବ୍ଲକ ଓ ତହସିଲ ପ୍ରଶାସନକୁ ସାମ୍ଭବ୍ୟ ବନ୍ୟା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ କହିଛନ୍ତି। ଜିଲ୍ଲାପାଳ ଚଷାଆଁରାରେ ନିର୍ମାଣାଧିନ ବାତ୍ୟା,ବନ୍ୟା ଆଶ୍ରୟସ୍ଥଳ ଅନୁଧ୍ୟାନ କରିବା ସହିତ ଗ୍ରାମବାସୀଙ୍କୁ ଭେଟି ବନ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ପ୍ରମୋଦ କୁମାର ବାସ୍କେ, ବିଡିଓ ପ୍ରଣବ କୁମାର ବେହେରା, ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ରାଉତ, ସଞ୍ଜୟ କୁମାର ମଲ୍ଲିକ, ପୁରୁଣା ତିଗିରିଆ ପଞ୍ଚାୟତ ସରପଞ୍ଚ ପ୍ରତାପ କୁମାର ଜେନା, ତିଗିରିଆ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଡ. ବିଶ୍ୱ ବିକାଶ ରାଉତରାୟ, ମିଶନ ଶକ୍ତି ସଭାନେତ୍ରୀ ସମସୁରା ବେଗମ, ବ୍ଲକ ମହିଳା ବିଜୁ ଜନତା ଦଳ ସଭାପତି ରୂପା ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.