ପୁରୀ: ରଥଯାତ୍ରା ଶେଷକରି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିଛନ୍ତି ଦାରୁବ୍ରହ୍ମ। ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ମଙ୍ଗଳବାର ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଛି। ବୁଧବାର ଠାରୁ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଶ୍ରୀମନ୍ଦିରରେ ମହାପ୍ରସାଦ ମିଳିବ। ମଙ୍ଗଳବାର ରଥ ଉପରେ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟାଧୂପ ସରିବା ପରେ ଚାର ବନ୍ଧା ଯାଇଥିଲା। ପାଳିଆ ସେବକ ସିଂହାସନ ମାଜଣା କରିବା ସହ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଘଣ୍ଟୁଆଙ୍କ ଘଣ୍ଟବାଦ୍ୟ, ହରିବୋଲ, ହୁଳହୁଳି ଓ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର। ବୀର କାହାଳୀ ବାଜିବା ମାତ୍ରେ ଆରମ୍ଭ ହୋଇଥିଲା ପହଣ୍ଡି। ପୁଷ୍କାଳକ ମହାଜନ ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କୁ ବିଜେ କରାଇଥିଲେ। ଏହାପରେ ଚକ୍ରରାଜ ଶ୍ରୀସୁଦର୍ଶନ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀମନ୍ଦିରକୁ ବିଜେ କରିଥିଲେ। ନନ୍ଦିଘୋଷ ରଥରୁ କାଳିଆ ଠାକୁର ଶ୍ରୀଜଗନ୍ନାଥ ଓହ୍ଲାଉଥିବା ଖବର ପାଇ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ବିଜେ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଜଗତ ଜନନୀଙ୍କ ମଧ୍ୟରେ ଭେଟ ହୋଇଥିଲା। ଭିତରଛ ସେବକ ଲକ୍ଷ୍ମୀ ସାଆନ୍ତାଣୀଙ୍କ ପକ୍ଷରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବନ୍ଦାପନା କରିଥିଲେ। ମହାପ୍ରଭୁ ସିଂହଦ୍ୱାର ନିକଟରେ ପହଞ୍ଚିବା ମାତ୍ରେ ମହାଲକ୍ଷ୍ମୀଙ୍କ ନିର୍ଦେଶରେ ସିଂହଦ୍ୱାର କିଛି ସମୟ ବନ୍ଦ କରାଯାଇଥିଲା। ଭକ୍ତ ଓ ସେବକଙ୍କ ଗହଣରେ ମହାପ୍ରଭୁ ଝୁଲି ଝୁଲି ଜୟବିଜୟ ଦ୍ୱାର ନିକଟକୁ ଯାଇଥିଲେ।
ପରମ୍ପରା ଅନୁଯାୟୀ ସେଠାରେ ବଚନିକା ହୋଇଥିଲା। ପ୍ରଭୁ ଶ୍ରୀଜଗନ୍ନାଥ ଭିତରକାଠ ଭଣ୍ଡାର ଘର ପାଖରେ ଋକ୍ମୁଣୀ ବିବାହ ସମୟର ଗଇଁଠାଳ ଫିଟାଇଥିଲେ। ମହାଲକ୍ଷ୍ମୀଙ୍କୁ ପ୍ରଭୁ ରସଗୋଲା ଖୁଆଇ ମାନ ଭଞ୍ଜନ କରାଇଥିଲେ। ସେଠାରେ ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କୁ ବନ୍ଦାପନା କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନସିଂହାସନରେ ବିଜେ କରିଥିଲେ। ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ଶେଷ ହେବା ପରେ ଦଇତାପତି ସର୍ବାଙ୍ଗ ଓ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଛି। ସିଂହାସନ ଆଗରେ ବନ୍ଧା ଯାଇଥିବା ଚାରମାଳ ଖୋଲା ଯାଇଛି। ଶ୍ରୀମାଧବ, ଶ୍ରୀଦେବୀ, ଭୂଦେବୀ ରତ୍ନ ସିଂହାସନରେ ବିଜେ କରିଛନ୍ତି। ବିଳମ୍ବିତ ରାତିରେ ମହାପ୍ରଭୁଙ୍କୁ ମହାସ୍ନାନ ଓ ଚନ୍ଦନଲାଗି କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ, ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ, ପୁଲିସ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ, ଅତିରିକ୍ତ ପୁଲିସ ମହା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲାପାଳ ଚଞ୍ଚଲ ରାଣା, ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ପ୍ରମୁଖ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ତଦାରଖ କରିଥିଲେ।



