ଭୋଟଦାନରୁ ବଞ୍ଚିତ ଆଦିବାସୀ ତାତିଲେ -ବିଡିଓଙ୍କୁ ଗାଡ଼ିରୁ ଓହ୍ଲାଇ ୪ କିମି ଚଲାଇଲେ

ପାତ୍ରପୁର : ନିର୍ବାଚନ ପରେ ବି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଶାସନ ବିରୋଧରେ ପ୍ରତିବାଦ ଜାରି ରହିଛି। ଭୋଟର ତାଲିକାରେ ନାମ ନଥିବା ପ୍ରତିବାଦରେ ଆଜି ଗ୍ରାମବାସୀ ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶକୁମାର ଦାସଙ୍କୁ ଗାଡିରୁ ଓହ୍ଲାଇ ଦେଇ ୪ କିଲୋମିଟର ଚଲାଇ ଚଲାଇ ନେଇ ଗଁାରେ ଦୀର୍ଘ ସାଢେ ୩ ଘଣ୍ଟା ଧରି ଅଟକ ରଖିବାରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣାସ୍ଥଳକୁ ଜରଡା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତଥାପି ଲୋକେ ଜିଦରେ ଅଟଳ ରହିଥିଲେ। ପରେ ବିଜେପି ଯୁବନେତା ମନୋରଞ୍ଜନ ଦ୍ୟାନସାମନ୍ତରା ପହଞ୍ଚିଥିଲେ। ସେଠାରେ ଦୀର୍ଘ ସମୟ ବୁଝାସୁଝା କରାଯାଇଥିଲା। ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଲୋକେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମୁକ୍ତ କରିଥିଲେ। ଏଭଳି ଅପ୍ରୀତିକର ଘଟଣା ଘଟିଛି ପାତ୍ରପୁର ବ୍ଲକର
ତୁମ୍ବା ପଞ୍ଚାୟତ ଅନ୍ତର୍ଗତ ଧାଡିଆମ୍ବ ଗ୍ରାମରେ।

ସୂଚନା ପ୍ରକାରେ ପାତ୍ରପୁର ବ୍ଳକର ତୁମ୍ବା ପଞ୍ଚାୟତ ଅନ୍ତର୍ଗତ ଧାଡିଆମ୍ବ ଆଦିବାସୀ ଗ୍ରାମର ଲୋକଙ୍କ ଭୋଟର ତାଲିକାରେ ନାମ ନଥିବାରୁ ଭୋଟଦାନରୁ ଗଁାବାସୀ ବଞ୍ଚିତ ହୋଇଥିଲେ। ଏହାକୁ ନେଇ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗତ ୨୦ ତାରିଖ ପଞ୍ଚାୟତ ନିର୍ବାଚନ ବଳେ ତୁମ୍ବା ପଞ୍ଚାୟତର ବୁଥ ନମ୍ବର ତିନିରେ ଭୋଟଦାନ ହୋଇଥିଲା। ଏହି ବୁଥରେ ଥିବା ଧାଡିଆମ୍ବ ଆଦିବାସୀ ଗ୍ରାମର ପ୍ରାୟ ୮୦ଜଣ ଲୋକଙ୍କ ନାମ ଭୋଟର ତାଲିକାରେ ନଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି କାରଣରୁ ଭୋଟଗ୍ରହଣ ତିନିଘଣ୍ଟା ପାଇଁ ବନ୍ଦ ରହିଥିଲା। ଭୋଟପେଢି ବ୍ଳକକୁ ନେବାକୁ ଲୋକେ ସୁଯୋଗ ଦେଇନଥିଲେ ଏବଂ ପୋଲିଂ ଦଳକୁ ଅଟକ ରଖିଥିଲେ। ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ପୋଲିଂ ଦଳକୁ ଛାଡି ଥିଲେ। ଏହାପରେ ଗ୍ରାମବାସୀ ବ୍ଳକ କାର୍ଯ୍ୟାଳୟକୁ ନିୟମିତ ଆସି ଗୁହାରି ଜଣାଉଥିଲେ। ଭୋଟର ତାଲିକାରେ ନାମ ନଥିବା ଜଣାଇଲେ ପୁନଃ ଭୋଟ ପାଇଁ ବ୍ୟବସ୍ଥା କରାଯିବ ବୋଲି ବିଡିଓ ସେତେବେଳେ କହିଥିଲେ। ସେମାନଙ୍କ ଭୋଟଦାନ ସମ୍ପର୍କରେ କି ପ୍ରକାର ନିଷ୍ପତ୍ତି ନିଆଗଲା ସେ ସମ୍ପର୍କରେ ଜାଣିବାକୁ ଗଁାବାସୀ ବିଡ଼ିଓଙ୍କୁ ଦେଖା କରିବାକୁ ପାତ୍ରପୁରକୁ ଆଜି ଆସିଥିଲେ। ହେଲେ ବିଡ଼ିଓ ଲୋକଙ୍କ ସହିତ ଆଲୋଚନା ନକରି ଅନ୍ୟ କାମରେ ଚାଲି ଯାଇଥିଲେ। ଏହାକୁ ନେଇ ଗଁାବାସୀ ଉତ୍ତେଜିତ ହୋଇ ପଡିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ତୁମ୍ବା ଯାଇଥିବା ଖବର ପାଇ ବ୍ଳକ କାର୍ଯ୍ୟାଳୟରୁ ଫେରି ଲୋକେ ରାସ୍ତାରେ ଜଗି ରହିଥିଲେ।

ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କୁମାର ଦାସ ତୁମ୍ବା ଲିମେଇଶୁଣି ବିଦ୍ୟାଳୟର ରୂପାନ୍ତରଣ ଶ୍ରେଣୀଗୃହ କାର୍ଯ୍ୟ ଦେଖି ଫେରୁଥିଲେ। ତୁମ୍ବାରୁ ଫେରିବା ବେଳେ ଗୋପୀନାଥପୁର ଛକ ନିକଟରେ ଧାଡିଆମ୍ବ ଗ୍ରାମର ଆଦିବାସୀମାନେ ଏକତ୍ରିତ ହୋଇ ବିଡିଓଙ୍କ ଗାଡିକୁ ଅଟକାଇ ଥିଲେ। ଗାଡି ଅଟକିବା ପରେ ଆଦିବାସୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମଧ୍ୟରେ ଭୋଟର ତାଲିକାକୁ ନେଇ କଥା କଟାକଟି ହୋଇଥିଲା। ଫଳରେ ଉତ୍ତ୍ୟକ୍ତ ଲୋକେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗାଡିରୁ ଜବରଦସ୍ତ ଓହ୍ଲାଇ ଦେଇ ସେଠାରୁ ପ୍ରାୟ ୪ କିଲୋମିଟର ଦୂର ଚଲାଇ ଚଲାଇ ଗ୍ରାମକୁ ନେଇ ଅଟକ ରଖିଥିଲେ। ଖବର ପାଇ ଜରଡା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ, ବିଜେପି ନେତା ମନୋରଞ୍ଜନ ଦ୍ୟାନସାମନ୍ତରା, ସାମ୍ବାଦିକ ରାଜଗୋପାଳ ପାଢୀ ପ୍ରମୁଖ ଗଁାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଆଗାମୀ ନିର୍ବାଚନରେ ଗଁାବାସୀ ଯେପରି ଭୋଟଦାନରୁ ବଞ୍ଚିତ ନହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଲିଖିତ ଆକାରରେ ଦିଆଯିବା ପରେ ଲୋକେ ବିଡିଓଙ୍କୁ ମୁକ୍ତ କରିଥିଲେ। ଖବର ପାଇ ଜିଲାସ୍ତରୀୟ ଅଧିକାରୀମାନେ ବ୍ଳକରେ ପହଞ୍ଚି ଘଟଣା ଉପରେ ନଜର ରଖିଥିଲେ।
ବିଡିଓଙ୍କୁ ଗାଡ଼ିରୁ ଓହ୍ଲାଇ…

Comments are closed.