ରାଜଗାଙ୍ଗପୁର: ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ହପର୍ ଭୁଶୁଡିବା ଘଟଣାରେ ନିଖୋଜ ଥିବା ସମସ୍ତ ୩ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ପ୍ରଥମେ ଦୁଇ ଜଣଙ୍କ ମୃତଦେହ ମିଳିଥିବାବେଳେ ପରବର୍ତ୍ତୀ ସମୟରେ ଆଉ ଜଣେ ନିଖୋଜ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୀର୍ଘ ୩୬ ଘଣ୍ଟା ର ଅପରେସନ୍ ପରେ ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ।
ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ କାରଖାନାର ଲାଇନ ୨ ପ୍ଲାଣ୍ଟରେ କୋଲ୍ ହପର ଢାଞ୍ଚା ହଠାତ ଭୁଶୁଡ଼ି ପଡ଼ିଥିଲା। ନିୟମିତ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଖବର ପାଇ ତୁରନ୍ତ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବେ ବି କାରଖାନା ଆଗରେ ଉତ୍ତେଜନା ଲାଗି ରହିଛି।



