ୟୁପିଏସିରେ ୪୦୯ ରାଙ୍କ୍‌ ରଖିଥିବା ଓଡିଆ ପୁଅଙ୍କ କଷ୍ଟ ଏବଂ ସଫଳତାର କାହାଣୀ, ବିଫଳତା ହିଁ ସଫଳତାର ରାସ୍ତା ଦେଖାଏ

ରାୟଗଡା : ମଙ୍ଗଳବାର ପ୍ରକାଶ ପାଇଥିବା ୟୁପିଏସସି ରେଜଲ୍ଟରେ ବାଜି ମାରିଛନ୍ତି ରାୟଗଡାର ଜଣେ ଅଧିକାରୀ ସନ୍ତୋଷ କୁମାର ପାତ୍ର । ସେ ସର୍ବଭାରତୀୟ ସ୍ତରରେ ୪୦୯ ରାଙ୍କ ପାଇଛନ୍ତି । ସେ ଶେଷ ଉଦ୍ୟମରେ ଏହି ସଫଳତା ପାଇଛନ୍ତି । କଠିନ ପରିଶ୍ରମ, ଏକାଗ୍ରତା, ଭଗବାନ ଓ ଗୁରୁଜନଙ୍କ ଆଶୀର୍ବାଦ ବିନା ସଫଳତା ମିଳିବା ଅସମ୍ଭବ । ସମାଜରେ ରହିଥିବା ଅବହେଳିତ, ନଷ୍ପେସିତ ଲୋକଙ୍କ ପାଇଁ କାମ କରିବାର ଇଛା ତାଙ୍କୁ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ପ୍ରେରଣା ଯୋଗାଇ ଥିଲା । ସେ ବ୍ରହ୍ମପୁରସ୍ଥିତ ନିଷ୍ଟ ବୈଷୟିକ ମହାବିଦ୍ୟାଳୟରୁ ୨୦୧୨ ମସିହାରେ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିଥିଲେ । ତାପରେ ସେ ଇନଫୋସିସ୍‌ରେ ସଫ୍ଟୱାର ଇଂଜିନିୟର ଭାବେ କାମ ଆରମ୍ଭ କରିଥିଲେ । ତାଙ୍କୁ ଏହି କାମ ଭଲ ନଲାଗିବାରୁ ସେ ସିଭିଲ ସର୍ଭିସ ପାଇଁ ମନ ବଳାଇଥିଲେ ।

ସେ ୨୦୧୬ ମସିହାରେ ଚାକିରି ଛାଡି ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୨୦୧୮ ମସିହାରେ ନୂଆଦିଲ୍ଲୀରେ ରହି ସେ ପ୍ରସ୍ତୁତିକୁ ଜୋରଦାର କରିଥିଲେ । ତାଙ୍କୁ ଭାଗ୍ୟ ସାଥ୍ ଦେଉନଥିବାରୁ ସେ ସଫଳତା ପାଇବାରୁ ବଂଚିତ ହେଉଥିଲେ । ଏବେ ଏହି ସଫଳତା ମିଳିଥିବା କହିଛନ୍ତି ସନ୍ତୋଷ । ଜଣେ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ହେଲେ ଚାକିରି କରି ମଧ୍ୟ ହୋଇପାରିବ । ବର୍ତମାନର ଇଂଟରନେଟ୍ ଯୁଗରେ ସବୁ ତଥ୍ୟ ଗୁଗୁଲ, ଇ-ଲାଇବ୍ରେରୀ, ୟୁଟୁବରେ ମିଳି ଯାଉଛି । ଏଥିପାଇଁ ଚାକିରି କରିବା ସହ ୟୁପିଏସସି ପ୍ରସ୍ତୁତି କରିବା ଭଲ ବୋଲି କହନ୍ତି ସନ୍ତୋଷ । ସେ ଚାକିରି ଛାଡି ବହୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି ।

ବାରମ୍ବାର ବିଫଳତା ପରେ ସେ ଗତ ବର୍ଷ ଓଏଏସ ପାଇବା ପରେ ଚାକିରିରେ ଯୋଗ ଦେଇଥିଲେ । ଏହାସହ ସେ ସିଭିଲ ସର୍ଭିସ ପାଇଁ ମଧ୍ୟ ତାଙ୍କର ପାଠପଢା ଚାଲିଥିଲା । ବାରମ୍ବାର ବିଫଳତା ହିଁ ତାଙ୍କୁ ସଫଳତାର ଶୀର୍ଷରେ ପହଂଚାଇଥିବା କହନ୍ତି ସନ୍ତୋଷ । ସେ ଭୁବନେଶ୍ୱରରେ ରହିବା ମଧ୍ୟରେ ୨୦୧୯ ମସିହାରୁ ଆଜି ଯାଏ ଏକ ଆଇଏଏସ କୋଚିଂ ସେଂଟରରେ ପିଲାଙ୍କୁ ପାଠ ପଢାଉଥିଲେ । ସେହି କୋଚିଂ ଆଜି ତାଙ୍କୁ ସଫଳତା ଦେବାରେ ସହାୟକ ହୋଇଛି । ତାଙ୍କୁ ସାକ୍ଷାକାର ବେଳେ ଓଡିଶା ମଡେଲ, ଗୁଜରାଟ ମଡେଲ ସଂପର୍କରେ ପଚରା ଯାଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ ଲଗାତର ବିଜୟ ହେବାର ରାଜ କଣ ଏଭଳି ଅନେକ ପ୍ରଶ୍ନର ସେ ସଠିକ୍ ଉତ୍ତର ଦେଇ ଆଜି   ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କର ଏହି ସଫଳତା ପଛରେ ବାପାମାଆ, ସ୍ତ୍ରୀ, ପରିବାର ବର୍ଗ, ଭଗବାନଙ୍କ ଆଶୀର୍ବାଦ ରହିଛି ବୋଲି ସେ କହିଛନ୍ତି ।

ସନ୍ତୋଷଙ୍କ ଘର ଗଂଜାମ ଜିଲା ବ୍ରହ୍ମପୁର ବ୍ରହ୍ମାନଗରରେ । ତାଙ୍କର ବାପା ଅବସରପ୍ରାପ୍ତ ଇଣ୍ଡିଆନ୍ ଏୟାର ଫୋର୍ସ ଅଫିସର । ମାତା ପୁଷ୍ପାଜଂଳି ପାତ୍ର ଗୃହିଣୀ । ତାଙ୍କର ସାନ ଭାଇ ସୁରେଶ କୁମାର ପାତ୍ର ଇଣ୍ଡିଆନ୍ ଆର୍ମିରେ ମେଜର ଭାବେ କାର୍ଯ୍ୟରତ । ବର୍ତମାନ ସେ ରାୟଗଡା ଜିଲାପାଳଙ୍କ ଅଫିସରେ ଟ୍ରେନିଂ ରିଜର୍ଭ ଅଫିସର(ଟିଆରଓ) ଭାବେ କାର୍ଯ୍ୟ କରୁଛନ୍ତି । ସେ ଓଏଏସ ପାଇବା ପରେ ଗତ ଡିସେମ୍ବର ମାସରୁ ଏଠାରେ ଟ୍ରେନିଂ ନେଉଛନ୍ତି । ଆମ ଅଫିସର ଜଣେ କର୍ମଚାରୀ ସିଭିଲ ସର୍ଭିସ୍ କ୍ରାକ୍ କରିବା ଏକ ଗୌରବର ବିଷୟ ବୋଲି କହିଛନ୍ତି ଜିଲାପାଳ ମନୋଜ ସତ୍ୟବାନ ମହାଜନ । ତାଙ୍କୁ ଆଜି ଜିଲାପାଳ, ଅତିରିକ୍ତ ଜିଲାପାଳ ଭାସ୍କର ରଇତଙ୍କ ସମେତ ବହୁ ଅଧିକାରୀ ଶୁଭେଛା ଜଣାଇଛନ୍ତି ।

Comments are closed.