ବେଙ୍ଗାଲୁରୁ: ହୀନ ଉଦ୍ଦେଶ୍ୟ ପୂର୍ବକ ବିଭିନ୍ନ ବିଭାଗଠାରୁ ତଥ୍ୟ ହାସଲ ପାଇଁ ୯୬୪୬ଟି ଆବେଦନ କରିଥିବା ଜଣେ ସୂଚନା ଅଧିକାର (ଆରଟିଆଇ) କର୍ମୀଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଚେତାବନୀ ଦେଇଛନ୍ତି। ଏହି ସୂଚନା ଅଧିକାର କର୍ମୀ ଜଣଙ୍କ ହେଉଛନ୍ତି କର୍ଣ୍ଣାଟକ ହୁବଲିର ଡାଭାଲସାବ୍ ଏମ ମିୟାନାଭାର। ଡାଭାଲସାବ୍ ରାଜ୍ୟ ସୂଚନା ଅଧିକାର କମିସନଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ। ରାଜ୍ୟ ସରକାରଙ୍କ ୧୪ଟି ବିଭାଗ ଠାରୁ ବିଭିନ୍ନ ତଥ୍ୟ ପାଇବା ଲାଗି ସୂଚନା ଅଧିକାର କମିସନଙ୍କ ନିକଟରେ ଡାଭାଲସାବ୍ ୯୬୪୬ଟି ଆବେଦନ କରିଥିବାବେଳେ ସବୁ ଆବେଦନକୁ କମିସନ ଅଗ୍ରାହ୍ୟ କରିଥିଲେ। ତେଣୁ କମିସନଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ଡାଭାଲସାବ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ। ତେବେ ପିଟିସନର ଶୁଣାଣି କରି ହାଇକୋର୍ଟ ଡାଭାଲସାବ୍ଙ୍କୁ ଚେତାବନୀ ଦେବା ପୂର୍ବକ ତାଙ୍କ ଠାରୁ କୋର୍ଟ ଫି ବାବଦକୁ ୯,୬୪,୬୦୦ ଟଙ୍କା ଆଦାୟ କରିବାକୁ ନିର୍ଦେଶ ଦେଇଛନ୍ତି।
ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଡାଭାଲସାବ ଯେଉଁସବୁ ଆବେଦନ କରିଥିଲେ ତାହା ତାଙ୍କ ହୀନ ଉଦ୍ଦେଶ୍ୟକୁ ସୂଚିତ କରୁଛି। ତାଙ୍କ ଆବେଦନଗୁଡିକ ମଧ୍ୟରୁ ୩୭୩୭ଟି ଆବେଦନ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ, ୯୬୪ଟି ଆବେଦନ ପବ୍ଲିକ ୱାର୍କସ ବିଭାଗ ଓ ୯୪୨ଟି ଉଦ୍ୟାନ କୃଷି ବିଭାଗ ସମ୍ପର୍କିତ ବୋଲି ଜଣାପଡିଛି। ଡାଭାଲସାବଙ୍କ ଆବଦେନଗୁଡିକ ଉପରେ ଅନୁଧ୍ୟାନ ପାଇଁ ମୁଖ୍ୟ ସୂଚନା ଅଧିକାର ଆୟୁକ୍ତ ଏକ ପୂର୍ଣ୍ଣକାଳୀନ ବେଞ୍ଚ ଗଠନ କରିଥିଲେ। ବେଞ୍ଚ ସମସ୍ତ ଆବେଦନଗୁଡିକ ଉପରେ ତର୍ଜମା କରିବା ପରେ ଜାଣିବାକୁ ପାଇଥିଲେ ଯେ ଏହା ସବୁ ହୀନ ଉଦ୍ଦେଶ୍ୟମୂଳକ ଭାବେ ଆବେଦନ କରାଯାଇଛି। ଯାହାକି ପ୍ରଶାସନ ଉପରେ ଅଧିକ କାର୍ଯ୍ୟ ଭାର ବୃଦ୍ଧି କରିବ। ତେଣୁ ତାଙ୍କର ସମସ୍ତ ଆବେଦନକୁ ଆୟୁକ୍ତ ଅଗ୍ରାହ୍ୟ କରିଦେଇଥିଲେ। ସୂଚନା କମିସନଙ୍କ ନିର୍ଦେଶକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ୨୦୨୪ ସେପ୍ଟେମ୍ବର ୨୫େର ଡାଭାଲସାବଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ପୂର୍ବକ ଚେତାବନୀ ଓ ଅର୍ଥ ଦଣ୍ଡ ଦେଇଥିଲେ।



