ଅଦାଲତ ଅବମାନନା ଆବେଦନ ହାଇକୋର୍ଟରେ ଖାରଜ

କଟକ: ଲୋକସେବକ ମଣ୍ଡଳରୁ ନିଲମ୍ବିତ ଆଜୀବନ ସଦସ୍ୟ ନିରଞ୍ଜନ ରଥଙ୍କ ଦ୍ବାରା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଗତ ଅଦାଲତ ଅବମାନନା ମାମଲା ଖାରଜ ହୋଇଛି। ଲୋକ ସେବକ ମଣ୍ଡଳ ଆଜୀବନ ସଦସ୍ୟ ପଦରୁ ଶ୍ରୀ ରଥଙ୍କ ନିଲମ୍ବନ ସମ୍ପର୍କିତ ମାମଲା କଟକସ୍ଥିତ ସିଭିଲ (ସିନିୟର ଡିଭିଜନ)ଙ୍କ ଅଦାଲତରେ ବିଚାରାଧୀନ ଥିବାରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଶୁକ୍ରବାର ଅଦାଲତ ଅବମାନନା ମାମଲା ସଂଖ୍ୟା ୪୬ ୫୨/୨୦୨୪କୁ ଖାରଜ କରିଛନ୍ତି ।

ମାମଲାର ଶୁଣାଣି ସମୟରେ ଶ୍ରୀ ରଥଙ୍କ ଓକିଲ ଚଳିତବର୍ଷ ଏପ୍ରିଲ ୧୦ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଜଣିକିଆ ପୀଠଙ୍କ ରାୟର ପରିଚ୍ଛେଦ ୧୩ ଉଲ୍ଲଙ୍ଘନ ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ସିଂ ଟିପ୍ପଣୀ କରିଥିଲେ ଯେ ଏହି ମାମଲାରେ ନ୍ୟାୟାଳୟଙ୍କ ଆଦେଶନାମା ଉଲ୍ଲଙ୍ଘନ ହୋଇନାହିଁ।

ଲୋକ ସେବକ ମଣ୍ଡଳ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଯୋଗଦେବାରେ ବିଫଳ ହେବା ପରେ ନିଲମ୍ବିତ ଆଜୀବନ ସଦସ୍ୟ ଶ୍ରୀ ରଥ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ରାଷ୍ଟ୍ରୀୟ ସଭାପତି ଓ ରାଷ୍ଟ୍ରୀୟ ସମ୍ପାଦକଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଆଗତ କରିଥିଲେ। ଏଥିରେ ଉଚ୍ଚ ନ୍ୟାୟାଳୟର ଜଣିକିଆ ଖଣ୍ଡପୀଠଙ୍କ ଆଦେଶନାମାକୁ ଲୋକ ସେବକ ମଣ୍ଡଳ ପ୍ରଶାସନ କାର୍ଯ୍ୟକାରୀ କରିନାହିଁ, ଯଦ୍ବାରା ତାଙ୍କ ଅଧିକାର କ୍ଷୁର୍ଣ୍ଣ ହୋଇଛି ବୋଲି ସେ ଅଭିଯୋଗ କରିଥିଲେ।

ଚଳିତ ବର୍ଷ ଏପ୍ରିଲ ୧୦ରେ ଆଜୀବନ ସଦସ୍ୟ ପଦରୁ ନିଲମ୍ବନ ସମ୍ପର୍କିତ ମାମଲାରେ ଓଡ଼ିଶା ହାଇକୋର୍ଟରୁ ନିରଞ୍ଜନ ରଥଙ୍କୁ ଆଶ୍ବସ୍ତି ମିଳି ନ ଥିଲା। ଜିମ୍‌ସାରରେ ଘଟିଥିବା ଆର୍ଥିକ ଅନିୟମିତତା ତଦନ୍ତରେ ସ‌ହଯୋଗ କରିବାକୁ ତାଙ୍କୁ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ଜଣିକିଆ ବିଚାରପତି ଏହି ମାମଲାରେ କଟକ ସ୍ଥିତ ସିଭିଲ ଜଜ (ସିନିୟର ଡିଭିଜନ)ଙ୍କ ଆଦେଶନାମାକୁ କାଏମ ରଖିଥିଲେ। ଲୋକସେବକ ମଣ୍ଡଳ କାର୍ଯ୍ୟନିର୍ବାହୀ ପରିଷଦ ଅଥବା ସାଧାରଣ ପରିଷଦ ବୈଠକରେ ଯୋଗଦେବା ପାଇଁ ତାଙ୍କୁ ଅନୁମତି ପ୍ରଦାନ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇନଥିଲେ। ନୀତିଗତ ନିଷ୍ପତ୍ତି ବ୍ୟତୀତ ଅନ୍ୟ ସମସ୍ତ ପରିଚାଳନାଗତ ବିଷୟରେ ଲୋକସେବକ ମଣ୍ଡଳ କର୍ତ୍ତୃପକ୍ଷ ନିଷ୍ପରି ନେଇପାରିବେ ବୋଲି ନ୍ୟାୟାଳୟ ସ୍ପଷ୍ଟ କରିଥିଲେ। ଲୋକ ସେବକ ମଣ୍ଡଳ ପକ୍ଷରୁ ଓକିଲ ସ୍ୱେଚ୍ଛାକୃତ ଭାବେ ଶ୍ରୀ ରଥଙ୍କ ସ୍ୱାର୍ଥ ବ୍ୟାହତ ଭଳି କୌଣସି ନିଷ୍ପରି ନେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହା ପୂର୍ବରୁ ଏପ୍ରିଲ ୮ରେ କଟକ ସ୍ଥିତ ସିଭିଲ କୋର୍ଟ (ସିନିୟର ଡିଭିଜନ)ଙ୍କ ଅଦାଲତ ଶ୍ରୀ ରଥଙ୍କ ଦ୍ବାରା ଅର୍ଡର ୩୯ ରୁଲ ୩ରେ ଆଗତ ଆବେଦନକୁ ବିଚାର କରି ଖାରଜ କରିଥିଲେ। ସିଭିଲ କୋର୍ଟଙ୍କ ଆଦେଶନାମାକୁ ବିରୋଧ କରି ଶ୍ରୀ ରଥ ଓଡ଼ିଶା ହାଇକୋର୍ଟରେ ସିଧାସଳଖ ସିଏମପି ସଂଖ୍ୟା -୩ ୫୦/ ୨୦୨୪ରେ ଚାଲେଞ୍ଜ କରିଥିଲେ। ହାଇକୋର୍ଟଙ୍କ ଜଣିକିଆ ପୀଠରେ ମାମଲାର ଶୁଣାଣି ବେଳେ ଲୋକସେବକ ମଣ୍ଡଳଙ୍କ ଓକିଲ ଦର୍ଶାଇଥିଲେ ଯେ ଅନୁଷ୍ଠାନର ମୁଖ୍ୟାଳୟ ଦିଲ୍ଲୀରେ ଅବସ୍ଥିତ।ଲୋକସେବକ ମଣ୍ଡଳ ସଦସ୍ୟତା ସମ୍ପର୍କିତ କୌଣସି ମାମଲା ଓଡ଼ିଶାର କୌଣସି ଅଦାଲତରେ ବିଚାର ହୋଇପାରିବ ନାହିଁ। ସିଭିଲ କୋର୍ଟଙ୍କ ଆଦେଶନାମାକୁ ଚାଲେଞ୍ଜ ପାଇଁ ଜିଲା ଅଦାଲତରେ ଆବେଦନ କରି ପାରିଥାନ୍ତେ; କିନ୍ତୁ ଶ୍ରୀ ରଥ ସିଧାସଳଖ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଜିମସାରରେ ପରିଚାଳନାଗତ ବିଭ୍ରାଟ, ଆର୍ଥିକ ଅନିୟମିତତା ଅଭିଯୋଗ ପରେ ୨୦୨୩ ଅକ୍ଟୋବର ୨୭ରେ ଅନୁଷ୍ଠିତ ଲୋକସେବକ ମଣ୍ଡଳ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଅଡିଟରଙ୍କ ସହ ୩ ଜଣିଆ ସଦସ୍ୟ ମଣ୍ଡଳୀଙ୍କ ଦ୍ବାରା ସମସ୍ତ ଘଟଣାକ୍ରମର ତଦନ୍ତ ପାଇଁ ନିଷ୍ପଭି ନିଆଯାଇଥିଲା। ଜିମ୍‌ସାରରେ ବ୍ୟାପକ ଆର୍ଥିକ ଅନିୟମିତତା ବିଷୟରେ ତଦନ୍ତ ବେଳେ ଜଣାପଡ଼ିଥିଲା। ଫଳରେ ୨୦୨୪ ଫେବୃଆରୀ ୨୨ରେ ଲୋକସେବକ ମଣ୍ଡଳ କୋଷାଧ୍ୟକ୍ଷ ପଦରୁ ଶ୍ରୀ ରଥଙ୍କୁ ଅବ୍ୟାହତି ଦେବା ପାଇଁ ନିଷ୍ପରି ନିଆଯାଇଥିଲା। ‘ସମାଜ’, ‘ଜିମ୍‌ସାର’ ଓ ‘ସତ୍ୟବାଦୀ’ ସମେତ ଲୋକସେବକ ମଣ୍ଡଳର କୌଣସି କାର୍ଯ୍ୟରେ ଶ୍ରୀ ରଥ ସମ୍ପୃକ୍ତ ରହିବେ ନାହିଁ ବୋଲି ରାଷ୍ଟ୍ରୀୟ ସଭାପତିଙ୍କ ନିର୍ଦେଶନାମାରେ ଉଲ୍ଲେଖ ରହିଥିଲା। ମାର୍ଚ୍ଚ ୨୯ରେ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସଭାପତିଙ୍କ ଦସ୍ତଖତରେ ୧୬ ପୃଷ୍ଠା ସମ୍ବଳିତ ନିର୍ଦେଶନାମାରେ ବିସ୍ତୃତକାରଣ ଦର୍ଶାଯାଇ ଶ୍ରୀ ରଥଙ୍କୁ ଲୋକସେବକ ମଣ୍ଡଳ ଆଜୀବନ ସଦସ୍ୟ ପଦରୁ ନିଲମ୍ବନ କରାଯାଇଥିଲା।

ଲୋକସେବକ ମଣ୍ଡଳ ଦ୍ବାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇବା ସହ ତାଙ୍କ ନିଲମ୍ବନ ସମ୍ପର୍କିତ ଚିଠି କାର୍ଯ୍ୟକାରୀ ନକରିବା, କାର୍ଯ୍ୟନିର୍ବାହୀ ପରିଷଦ ଓ ସାଧାରଣ ପରିଷଦରେ ଆଜୀବନ ସଦସ୍ୟ ଭାବେ ତାଙ୍କ ଅଧିକାର ଅକ୍ଷୁଣ୍ଣ ରଖୁବା ପାଇଁ ଶ୍ରୀ ରଥ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେତେବେଳେ ନ୍ୟାୟାଳୟଙ୍କ ଜଣିକିଆ ପୀଠ ନିରଞ୍ଜନ ରଥଙ୍କ ନିଲମ୍ବନ ଆଦେଶନାମାକୁ ଅବୈଧ ଘୋଷଣା କରିବା, କାର୍ଯ୍ୟନିର୍ବାହୀ ପରିଷଦ ଓ ସାଧାରଣ ପରିଷଦ ବୈଠକକୁ ବାତିଲ କରିବା ଅଥବା ଅଂଶଗ୍ରହଣ କରିବା ପ୍ରାର୍ଥନାକୁ ଗ୍ରହଣ ନକରି କଟକ ସିଭିଲ ଜଜ (ସନିୟର ଡିଭିଜନ)ଙ୍କ ଅଦାଲତରେ ମାମଲା ବିଚାର ପ୍ରକ୍ରିୟା ସମ୍ପୂର୍ଣ ପାଇଁ ନିର୍ଦେଶ ଦେଇଥିଲେ। ଏଥିସହ କଟକ ସିଭିଲ ଜଜ୍ (ସନିୟର ଡିଭିଜନ)ଙ୍କ ଅଦାଲତରେ ସମସ୍ତେ ନିଜର ପକ୍ଷ ଉପସ୍ଥାପନ କରିବାକୁ ନ୍ୟାୟାଳୟ ଆଦେଶ ଦେଇଥିଲେ। ଏ ସମ୍ପର୍କରେ ‘ସମାଜ’ ପ୍ରତିନିଧ୍ ଇ-ମେଲ ତଥା ଟେଲିଫୋନ୍‌ ଯୋଗେ ଶ୍ରୀ ରଥଙ୍କୁ ଯୋଗାଯୋଗ କରିବାରୁ ତାଙ୍କର କିଛି ମତାମତ ନାହିଁ ବୋଲି ସେ କହିଥିଲେ।

Comments are closed.