ବାଉଁଶୁଣି : ବୌଦ୍ଧ ଜିଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଦିକଟା ଗ୍ରାମରେ ଘର ମାଲିକକୁ ଛୁରା ମାରି ସୁନା ଗହଣା ସହ ଟଙ୍କା ଲୁଟିନେଲେ ଡକାୟତ। ସୂଚନା ମୁତାବକ ଶୁକ୍ରବାର ରାତିରେ କେତେ ଜଣ ଡକାୟତ ବାଦିକଟା ଗ୍ରାମର ବାଳକୃଷ୍ଣ ମହାକୁଳ ଘରେ ଏକୁଟିଆ ଥିବା ସୁଯୋଗ ନେଇ ଡ଼କାୟତି ଉଦ୍ଦେଶ୍ୟରେ ଘରକୁ ପଶିଥିଲେ ।
ଡ଼କାୟତି କରୁଥିବା ସମୟରେ ଘର ମାଲିକ ବାଳକୃଷ୍ଣ ମହାକୁଳଙ୍କ ନିଦ ଭାଙ୍ଗି ଯାଇଥିଲା ଓ ଡ଼କାୟତମାନଙ୍କୁ ଦେଖି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଡ଼କାୟତ ଦଳ ଘର ମାଲିକକୁ ହାତ ଓ ମୁଣ୍ଡରେ ଆଘାତ ଦେବା ସହ ପେଟରେ ଛୁରା ମାରି ସୁନା ଗହଣା ସହ ଟଙ୍କା ଲୁଟ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଛୁରା ଆକ୍ରମଣର ଶିକାର ହୋଇଥିବା ବାଳକୃଷ୍ଣ ତଳେ ପଡି ଛଟପଟ ହେଉଥିବା ବେଳେ ଭୋର୍ ସକାଳୁ ଗ୍ରାମର କିଛି ଲୋକ ଦେଖିଥିଲେ ଏବଂ ଗାଁ ଭିତରେ ଥିବା ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ।
ଖବର ପାଇ ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୋନପୁର ମୁଖ୍ୟ ଚିକିତ୍ସାଳୟକୁ ଓ ପରେ ବୁର୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ସେଠାରେ ବାଳକୃଷ୍ଣଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣା ପଡ଼ିଛି। ଘଟଣା ସ୍ଥଳରେ ବାଉଁଶୁଣି ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।



