ବୁର୍ଲା: ପରିବାର ନିୟନ୍ତ୍ରଣ ଅେସ୍ତ୍ରାପଚାରବେଳେ ଖାଦ୍ୟନଳୀ କଟି ଯିବାରୁ ଜଣେ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଛି। ମହିଳା ଏବେ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବୁର୍ଲାରେ କଟି ଯାଇଥିବା ଖାଦ୍ୟନଳୀକୁ ଯୋଡ଼ା ଯାଇଛି। ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କୁହାକୁଣ୍ଡାର ଜୀତେନ୍ଦ୍ର ଭୋଇଙ୍କ ପତ୍ନୀ ସରିତା (୨୮) ଅସ୍ତ୍ରୋପଚାର ପାଇଁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଅସ୍ତ୍ରୋପଚାର ପରେ ପ୍ରବଳ ରକ୍ତସ୍ରାବ ହେବାରୁ ସରିତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା ବୋଲି ଜୀତେନ୍ଦ୍ର କହିଛନ୍ତି।
ସନ୍ଧ୍ୟାରେ ସରିତାଙ୍କୁ ଲଖନପୁର ହସପିଟାଲରୁ ଝାରସୁଗୁଡ଼ା ମୁଖ୍ୟ ହସପିଟାଲ ଓ ପରେ ତାଙ୍କୁ ବୁର୍ଲା ନିଆଯାଇଥିଲା। ସରିତାଙ୍କ ଖାଦ୍ୟନଳୀ କାଟି ଦିଆଯାଇଛି ବୋଲି ବୁର୍ଲା ଡାକ୍ତରଙ୍କଠାରୁ ଜଣାପଡ଼ିଲା ବୋଲି ଜୀତେନ୍ଦ୍ର କହିଛନ୍ତି। ବୁର୍ଲାରେ କାଲି ରାତି ପ୍ରାୟ ୧୧ ଟା ସମୟରେ ଆଉ ଥରେ ଅସ୍ତ୍ରୋପଚାର କରି କଟି ଯାଇଥିବା ଖାଦ୍ୟନଳୀକୁ ଯୋଡ଼ା ଯାଇଛି। ଲଖନପୁର ଡାକ୍ତରଖାନାରେ ଭୁଲ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ସଂପୃକ୍ତ ଡାକ୍ତର ସରିତାଙ୍କ ପୂରା ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ ବୋଲି ସ୍ବାମୀ ଜୀତେନ୍ଦ୍ର ଦାବି କରିଛନ୍ତି।


