କାର୍ଯ୍ୟରତ ମତଦାତାମାନଙ୍କୁ ନିଶ୍ଚିତ ମତଦାନ କରିବାକୁ ସଂକଳ୍ପ କରାଇଲେ ମୁଖ୍ୟ ଶାସନ ସଚିବ
ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ ହାର ବୃଦ୍ଧି ପରିପ୍ରେକ୍ଷୀରେ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର: କାର୍ଯ୍ୟରତ ସରକାରୀ ଅଧିକାରୀ ଓ କର୍ମଚାରୀ ତଥା ମତଦାତାମାନଙ୍କୁ ଚଳିତ ସାଧାରଣ ନିର୍ବାଚନ-୨୦୨୪ ରେ ନିଶ୍ଚିତ ଭାବେ ମତଦାନ କରିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ମତଦାତାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସଂକଳ୍ପ ପାଠ କରାଇଛନ୍ତି। ଲୋକସେବା ଭବନରେ ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମତଦାତାମାନଙ୍କୁ ଭାରତର ନାଗରିକ ଭାବେ ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖିବା, ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ୟ୍ୟାଦା ବଜାୟ ରଖିବା ସହ ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ଭାବେ ଜାତି, ଧର୍ମ, ବର୍ଣ୍ଣ ,ଗୋଷ୍ଠୀ,ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ଆସନ୍ତା ମେ’ ୨୫ ତାରିଖରେ ନିଶ୍ଚିତ ମତଦାନ କରିବାକୁ କାର୍ୟ୍ୟରତ ଭୁବନେଶ୍ୱରର ଭୋଟରମାନଙ୍କୁ ମୁଖ୍ୟ ଶାସନ ସଚିବ ସଂକଳ୍ପ କରାଇଥିଲେ। ସେହିପରି କାର୍ଯ୍ୟରତ ଅନ୍ୟ ବିଭିନ୍ନ ଜିଲା ଅନ୍ତର୍ଗତ ନିର୍ବାଚନ ମଣ୍ଡଳୀର ମତଦାତାମାନେ ଆଗାମୀ ମେ’-୨୦ ଏବଂ ଜୁନ୍-୧ ତାରିଖରେ ନିଜ ନିଜର ମତଦାନକେନ୍ଦ୍ରରେ ନିଶ୍ଚିତ ଭାବେ ମତଦାନ ସାବ୍ୟସ୍ତ କରିବାକୁମଧ୍ୟ ସେ ସଂକଳ୍ପ କରାଇଥିଲେ।
ଆହୁରି ମଧ୍ୟ ଏହି ମର୍ମରେ ବିଭିନ୍ନ ସରକାରୀ ବିଭାଗ, ନିର୍ଦେଶାଳୟ, ନିଗମ, ସରକାରୀ ସଂସ୍ଥା ଓ ଅନ୍ୟ ସମସ୍ତ କାର୍ୟ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ଏ ସଂପର୍କରେ ସଚେତନ କରାଯିବା ସହ ଚଳିତ ସାଧାରଣ ନିର୍ବାଚନରେ ମତଦାତାମାନେ ନିଶ୍ଚିତ ମତଦାନ କରିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଅନୁରୋଧ କରାଯାଇଛି । ମତଦାତାମାନେ ଭୋଟର ହେଲ୍ପଲାଇନ୍ ଆପ୍ (ଭିଏଚ୍ଏ) ଡାଉନଲୋଡ କରି କିମ୍ୱା ଭୋଟର୍ସ ସର୍ଭିସ୍ ପୋର୍ଟାଲ (ଭିଏସପି) ବ୍ୟବହାର କରି ନିଜ ନିଜର ଭୋଟର ତାଲିକାରେ ନାମ ତଥା ବୁଥ ସମ୍ପର୍କରେ ସୂଚନା ପାଇପାରିବେ ବୋଲି ଅବଗତ କରାଯାଇଛି।
ସୂଚନା ଯୋଗ୍ୟ ଯେ, ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ୱରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କିପରି ମତଦାନ ହାର ବୃଦ୍ଧି ପାଇବ, ପ୍ରତ୍ୟେକ ମତଦାତା ଯେପରି ନିଶ୍ଚିତ ଭାବେ ନିଜ ନିଜର ମତଦାନ କେନ୍ଦ୍ରରେ ଭୋଟ ଦେବେ, ସେଥିପାଇଁ “ବ୍ୟବସ୍ଥିତଭୋଟରଶିକ୍ଷାଏବଂନିର୍ବାଚନରେଅଂଶଗ୍ରହଣ(ଏସଭିଇଇପି) ମାଧ୍ୟମରେ ବିଭିନ୍ନ ସଚେତନତା କାର୍ୟ୍ୟକ୍ରମ ଖୋର୍ଦ୍ଧା ଜିଲା ପ୍ରଶାସନ ଏବଂ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଜାରି ରହିଛି।ପରିସଂଖ୍ୟାନରୁ ଜଣାଯାଇଛି ଯେ, ଗତ ୨୦୧୯ ସାଧାରଣ ନିର୍ବାଚନରେ ୧୧୨- ଭୁବନେଶ୍ୱର(ମଧ୍ୟ), ୧୧୩-ଭୁବନେଶ୍ୱର(ଉତ୍ତର) ଏବଂ ୧୧୪–ଏକାମ୍ର ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ଭାବେ ମତଦାନ ହାରକମ୍ (୪୫ ପ୍ରତିଶତ) ରହିଥିଲା।
ଭାରତର ନିର୍ବାଚନ କମିଶନ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ,ଓଡିଶାଙ୍କ ପ୍ରୟାସରେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ମତଦାନ ହାର ବୃଦ୍ଧି ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯାଉଛି। ନିର୍ବାଚନ ପ୍ରକ୍ରିୟାରେ ଯେତେ ଅଧିକରୁ ଅଧିକ ମତଦାତାମାନେ ଅଂଶଗ୍ରହଣ କରିବେ, ଗଣତନ୍ତ୍ର ଅଧିକ ସୁଦୃଢ ହେବ।
ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ଓ ଖାରବେଳ ଭବନ ସମେତ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ କାର୍ୟ୍ୟରତ ଭୁବନେଶ୍ୱରର ଭୋଟରମାନେ ଯେପରି ନିଜ ନିଜ ମତଦାନ କେନ୍ଦ୍ରରେ ନିଶ୍ଚିତ ଭାବେ ମତଦାନ କରିବେ, ସେ ସଂପର୍କରେ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ, ଖୋର୍ଦ୍ଧାଙ୍କ ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କ୍ରମେ ଏହି ସଂକଳ୍ପ ପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଅନୁଷ୍ଠିତ ଏହି ‘ମତଦାତାଙ୍କ ସଂକଳ୍ପ’ କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ପ୍ରମୁଖ ଶାସନ ସଚିବ ଊଷା ପାଢୀ, ନିର୍ଦେଶକ, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ରେଘୁ ଜୀ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ, ଉପ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ମତଦାତାଙ୍କ ସଂକଳ୍ପ ପାଠ କରିଥିଲେ।
ପ୍ରକାଶ ଥାଉକି, ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗତ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ଵର ମହାନଗର ନିଗମ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେଭୁବନେଶ୍ୱରରେ ଆୟୋଜିତ ଏକ ଗଣ ପଦଯାତ୍ରା(ଓ୍ୱାକାଥନ୍) ଏବଂ “ସିଗ୍ନେଚର୍ କ୍ୟାମ୍ପେନ୍”କାର୍ୟ୍ୟକ୍ରମରେ ଯୋଗଦେଇ ଭୋଟର ସଚେତନତା ବାର୍ତ୍ତା ପ୍ରଦାନ, ମତଦାତାମାନଙ୍କୁ ସଂକଳ୍ପ, ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ଯୁବକ ଯୁବତୀମାନଙ୍କୁ ସ୍ଵାଗତକରିବା ସହ ଭୁବନେଶ୍ୱରର ଭୋଟରମାନଙ୍କୁ ସମସ୍ତେ ମତଦାନରେ ଅଂଶଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଥିଲେ।
Comments are closed.