ମହିଳା-କେନ୍ଦ୍ରିତ ହେବ ୭୫ତମ ଗଣତନ୍ତ୍ର ଦିବସ ପରେଡ
ଡେସ୍କ: ଚଳିତ ବର୍ଷ ଜାନୁଆରୀ ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ୭୫ତମ ଗଣତନ୍ତ୍ର ଦିବସ ପରେଡ ମହିଳା-କେନ୍ଦ୍ରିତ ହେବ, ଯେଉଁଥିରେ ‘ବିକଶିତ ଭାରତ’ ଏବଂ ‘ଭାରତ – ଗଣତନ୍ତ୍ର ମା’ ବିଷୟ ରହିବ। ଆଜି ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ଗିରିଧର ଅରମାନେ କହିଛନ୍ତି ଯେ ମହିଳାମାନେ ଏହି ପ୍ୟାରେଡରେ ମାର୍ଚ କରିବେ ଏବଂ ଏହା ଏକ ବଡ଼ ଅଂଶ ହେବ। ସେ କହିଛନ୍ତି ଯେ ଅଧିକାଂଶ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ସଂଗଠନ ଦେଶର ସମୃଦ୍ଧ ସାଂସ୍କୃତିକ ବିବିଧତା, ଏକତା ଏବଂ ପ୍ରଗତି ପ୍ରଦର୍ଶନ କରିବେ। ଶ୍ରୀ ଅରମାନେ କହିଛନ୍ତି ଯେ ପ୍ରଥମ ଥର ପାଇଁ ୧୦୦ ଜଣ ମହିଳା କଳାକାର ପରେଡ ଆରମ୍ଭ କରିବେ। ଏହି ମହିଳାମାନେ ଶଙ୍ଖ, ନାଦ ସ୍ୱର, ନାଗାଡା ସହିତ ଭାରତୀୟ ବାଦ୍ୟଯନ୍ତ୍ର ବଜାଇବେ।
ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଶ୍ରୀ ଅରମାନେ କହିଛନ୍ତି ଯେ ପ୍ୟାରେଡରେ ଫ୍ରାନ୍ସର ୯୫ ସଦସ୍ୟ ବିଶିଷ୍ଟ ମାର୍ଚ କଣ୍ଟିଜେଣ୍ଟ ଏବଂ ୩୩ ସଦସ୍ୟ ବିଶିଷ୍ଟ ବ୍ୟାଣ୍ଡ କଣ୍ଟିଜେଣ୍ଟ ମଧ୍ୟ ଅଂଶଗ୍ରହଣ କରିବେ।
ପ୍ରତିରକ୍ଷା ସଚିବ କହିଛନ୍ତି ଯେ ଚଳିତ ବର୍ଷ ପ୍ରାୟ ୧୩ ହଜାର ସ୍ୱତନ୍ତ୍ର ଅତିଥିଙ୍କୁ ମଧ୍ୟ ପରେଡ ଦେଖିବାକୁ ନିମନ୍ତ୍ରଣ କରାଯାଇଛି। ସେ କହିଛନ୍ତି ଯେ ସରକାର ଜନସାଧାରଣଙ୍କ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି ବିଭିନ୍ନ ବର୍ଗର ଲୋକଙ୍କୁ ଜାତୀୟ ମହୋତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ। ଏହି ବିଶେଷ ଅତିଥିମାନେ ବିଭିନ୍ନ କ୍ଷେତ୍ରର ଶ୍ରେଷ୍ଠ ପ୍ରଦର୍ଶନକାରୀ ଏବଂ ବିଭିନ୍ନ ସରକାରୀ ଯୋଜନାର ସର୍ବୋତ୍ତମ ଉପଯୋଗ କରିଥିବା ବ୍ୟକ୍ତି ଅଟନ୍ତି।
ଶ୍ରୀ ଅରମାନ କହିଛନ୍ତି ଯେ ପରେଡ ସମୟରେ କର୍ତ୍ତବ୍ୟ ପଥରେ ୧୬ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୯ଟି ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନରୁ ମୋଟ ୨୫ଟି ମେଢ଼ ପ୍ରଦର୍ଶିତ ହେବ। ସେ କହିଛନ୍ତି ଯେ ଚଳିତ ବର୍ଷ ଗଣତନ୍ତ୍ରର ୭୫ ତମ ବାର୍ଷିକୀ ପାଳନ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ସ୍ମାରକୀ ମୁଦ୍ରା ଏବଂ ସ୍ମାରକୀ ଷ୍ଟାମ୍ପ ମଧ୍ୟ ଜାରି କରିବ।
Comments are closed.