ମହୁ ଖାଇବାର ଅନେକ ଉପକାରୀ ଗୁଣ ରହିଛି। କିନ୍ତୁ ମହୁରେ ଅପମିଶ୍ରଣ କାରଣରୁ ଏହା ଆମ ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ବଜାରରେ ଅନେକ ବ୍ରାଣ୍ଡର ମହୁ ମିଳୁଛି। ଏହାକୁ ଆମେ ଅସଲି ବୋଲି ଭାବି କିଣିଥାଉ। କିନ୍ତୁ ବେଳେବେଳେ ସେହି ମହୁ ନକଲି ହୋଇଥାଏ। ବଜାରରେ ନକଲି ମହୁ ମିଳୁଥିଲେ ମଧ୍ୟ ତାହାର ଦାମ ଅସଲି ମହୁ ସହ ସମାନ ହୋଇଥାଏ। ମହୁର ଅସଲି କି ନକଲି ଜାଣିବାର ଅନେକ ଉପାୟ ରହିଛି। ଯାହାଦ୍ୱାରା ଆମେ ପରୀକ୍ଷା କରି ମହୁ ଅସଲି କି ନକଲି ଜାଣିପାରିବେ।
ଗରମ ପାଣି:
ମହୁ ଅସଲି କି ନକଲି ଜାଣିବା ପାଇଁ ସବୁଠାରୁ ଭଲ ଉପାୟ ଗରମ ପାଣି। ଗୋଟିଏ କାଚ ଗ୍ଲାସରେ ଗରମ ପାଣି ନିଅନ୍ତୁ। ସେଥିରେ ଏକ ଚାମଚ ମହୁ ପକାନ୍ତୁ। ଯଦି ମହୁ ପାଣିରେ ମିଶିଯାଏ ତେବେ ଜାଣି ନିଅନ୍ତୁ ଯେ ମହୁ ନକଲି। ଯଦି ମହୁ ପାଣିରେ ନ ମିଶି ଗ୍ଲାସ ତଳେ ବସିଯାଏ ତେବେ ମହୁ ଅସଲି ଅଟେ। ନକଲି ମହୁ ତିଆରି କରିବା ପାଇଁ ଚିନି କିମ୍ବା ଗୁଡର ବ୍ୟବହାର କରାଯାଇଥାଏ। ତେଣୁ ତାହା ପାଣିରେ ମିଶିଯାଏ।
ନିଆଁରେ ଜଳାନ୍ତୁ:
ମହୁକୁ ନିଆଁରେ ଜଳାଇ ମଧ୍ୟ ଆମେ ତାହାର ମାନ ପରୀକ୍ଷଣ କରି ପାରିବା। ପ୍ରଥମେ ଗୋଟିଏ କାଠି କିମ୍ବା କାଗଜରେ ମହୁ ଲଗାଇ ଦିଅନ୍ତୁ। ତାକୁ ନିଆଁରେ ଜଳାନ୍ତୁ। ଯଦି କାଠି କିମ୍ବା କାଗଜଟି ସମ୍ପୂର୍ଣ୍ଣ ପୋଡିଯାଏ ତେବେ ମହୁ ଅସଲି ଅଟେ। ଯଦି କାଗଜଟି ପୋଡିବା ପାଇଁ ସମୟ ଲାଗେ ତେବେ ମହୁରେ ପାଣି ମିଶିଛି।
ଟିସୁ ପେପର:
ଟିସୁ ପେପର ସାହାର୍ଯ୍ୟରେ ମହୁ ଅସଲି କି ନକଲି ଆମେ ପରୀକ୍ଷା କରିପାରିବା। ଟିସୁ ପେପରରେ ଗୋଟିଏ ବୁନ୍ଦା ମହୁ ପକାନ୍ତୁ। ଯଦି ପେପରରେ ମହୁ ପଡି ଶୁଖିଯାଏ ତେବେ ତାହା ନକଲି ବୋଲି ଆମେ ଜାଣିବା। ଅସଲି ମହୁ ଟିସୁ ପେପରରେ ପଡିଲେ ତାହା ସେହି ସ୍ଥାନରେ ଜମି ରହିଥାଏ।
ପାଉଁରୁଟି ଟାଣ ହୋଇଯିବ:
ପାଉଁରୁଟିରେ ମହୁ ଲଗାଇ ମଧ୍ୟ ଆମେ ଅସଲି କି ନକଲି ଜାଣି ପାରିବା। ପାଉଁରୁଟିରେ ମହୁ ପକାଇ ଭଲ ଭାବେ ଚାରିଆଡେ ଲଗାଇ ଦିଅନ୍ତୁ। ମହୁ ଶୁଦ୍ଧ ଥିଲେ ତାହା ପାଉଁରୁଟିରେ ଲାଗିବା ପରେ ଟାଣ ହୋଇଯାଏ। ଯଦି ମହୁ ନକଲି ହୋଇଥାଏ ତେବେ ପାଉଁରୁଟି ନରମ ଓ ଓଦା ହୋଇ ରହିଯାଏ।
ଆଙ୍ଗୁଠି ଦ୍ୱାରା ଜାଣନ୍ତୁ:
ମହୁର କିଛି ବୁନ୍ଦା ହାତର ଆଙ୍ଗୁଠିରେ ଲଗାନ୍ତୁ। ମହୁ ଆଙ୍ଗୁଠିରେ ଲାଗି ଯଦି ମୋଟା ତାର ପରି ହୋଇଯାଏ ତେବେ ତାହା ଶୁଦ୍ଧ ଅଟେ। ଯଦି ଆଙ୍ଗଠିରୁ ପାଣି ପରି ହୋଇ ରହେ ତେବେ ମହୁ ନକଲି ଅଟେ।
ମହୁ ଅସଲି କି ନକଲି ଜାଣିବାର ଉପାୟ
Popular Categories



