କ୍ରମାଗତ ଦ୍ବିତୀୟ ଥର ଫାଇନାଲ ଖେଳିବ ଭାରତ

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌

ନୂଆଦିଲ୍ଲୀ : ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ପ୍ରଥମ ଦଳ ଭାବେ ଭାରତ କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ୨୦୧୯-୨୧ ପ୍ରଥମ ସଂସ୍କରଣ ପରେ ୨୦୨୧-୨୩ ଦ୍ବିତୀୟ ସଂସ୍କରଣରେ ମଧ୍ୟ ଭାରତ ଫାଇନାଲ ଖେଳିବ। ପ୍ରଥମ ସଂସ୍କରଣରେ ରନର୍ସଅପ ଆଖ୍ୟା ଅର୍ଜନ କରିଥିବା ଭାରତ ନିକଟରେ ଦ୍ବିତୀୟ ସଂସ୍କରଣରେ ଇତିହାସ ରଚିବା ନେଇ ବଡ ସୁଯୋଗ ରହିଛି। କାରଣ ଭାରତ ଉକ୍ତ ଉପଲବ୍ଧି ହାସଲ କରିପାରିଲେ ନୂଆ ଇତିହାସ ରଚିବ। ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଭାରତ ଟ୍ରଫି ହାସଲ କଲେ ବିଶ୍ବର ପ୍ରଥମ ଦଳ ଭାବେ ଆଇସିସିର ସମସ୍ତ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଟ୍ରଫି ହାସଲ କରିବାର ସୌଭାଗ୍ୟ ଅର୍ଜନ କରିବ। ଇଂଲଣ୍ଡର ଓଭାଲରେ ଚଳିତ ଜୁନ୍‌ ୭ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଦ୍ବିତୀୟ ସଂସ୍କରଣ ଫାଇନାଲ ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ଇଂଲଣ୍ଡର ସାଉଥମ୍ପଟନରେ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ୨୦୧୯-୨୧ ପ୍ରଥମ ସଂସ୍କରଣ ଫାଇନାଲ ଜୁନ୍‌ ୧୮ରୁ ୨୩ ପର୍ଯ୍ୟନ୍ତ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା।ଏଥିରେ ନ୍ୟୁଜିଲାଣ୍ଡ ଭାରତକୁ ୮ ୱିକେଟରେ ପରାସ୍ତ କରି ବିଶ୍ବ ମୁକୁଟ ହାସଲ କରିଥିଲା। ବିରାଟ କୋହଲିଙ୍କ ନେତୃତ୍ବାଧିନ ଭାରତ ବ୍ୟାଟିଂ ବିଫଳତା ପାଇଁ ପରାଜିତ ହୋଇଥିଲା। ଭାରତ ପ୍ରଥମ ଇନିଂସରେ ୨୧୭ ଓ ଦ୍ବିତୀୟ ଇନିଂସରେ ୧୭୦ରନ କରିଥିଲା। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୪୯ ଓ ଦ୍ବିତୀୟ ଇନିଂସରେ ୨ ୱିକେଟରେ ୧୪୦ରନ କରିଥିଲା। କୌଣସି ଭାରତୀୟ ବ୍ୟାଟ୍‌ସମ୍ୟାନ ଅର୍ଦ୍ଧଶତକ ହାସଲ କରିପାରିନଥିଲେ। ରୋହିତ ଶର୍ମା ଦୁଇଟି ଇନିଂସରୁ ୬୪, ଶୁବମାନ ଗିଲ୍‌ ୩୬, ବିରାଟ କୋହଲି ୫୭, ଅଜିଙ୍କ୍ୟ ରାହାଣେ ୬୪, ଚେତେଶ୍ବର ପୂଜାରା ୨୩, ରବୀନ୍ଦ୍ର ଜାଡେଜା ୩୧ ଓ ଋଷଭ ପନ୍ତ୍‌ ୪୫ରନ କରିଥିଲେ। ବୋଲିଂରେ ମଧ୍ୟ ମହମ୍ମଦ ସାମି ୪, ଇଶାନ୍ତ ଶର୍ମା ୩, ରବିଚନ୍ଦ୍ରନ ଅଶ୍ବିନ ୫ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ। ପ୍ରଥମ ସଂସ୍କରଣରେ ଭାରତୀୟ ଦଳ ପକ୍ଷରୁ ଖେଳିଥିବା ୱିକେଟରକ୍ଷକ ଋଷଭ ପନ୍ତ୍‌ ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଅନୁପସ୍ଥିତ ରହିଛନ୍ତି। ବ୍ୟାଟିଂ ଲାଇନରେ ଶୁବମାନ, ରୋହିତ, କୋହଲି, ପୂଜାରା, ରାହାଣେ ଏବେ ମଧ୍ୟ ଉପଲବ୍ଧ ରହିଛନ୍ତି। ପନ୍ତ୍‌ଙ୍କ ସ୍ଥାନରେ କେ.ଏସ୍‌ ଭରତ କିମ୍ବା ଇଶାନ କିଷନଙ୍କ ଭିତରୁ ଜଣେ ଖେଳିବେ। ବୋଲିଂ ବିଭାଗରେ ସାମି, ଅଶ୍ବିନ, ଜାଡେଜା ରହିଥିବାବେଳେ ଉମେଶ ଯାଦବ, ମହମ୍ମଦ ସିରାଜ, ଅକ୍ଷର ପଟେଲ, ଜୟଦେବ ଉନାଦକତ୍‌ ସାମିଲ ହୋଇଛନ୍ତି। ଜାଡେଜା ଅଲରାଉଣ୍ଡର ଭ​‌ାବେ ଦଳରେ ରହିଛନ୍ତି। ମୁଖ୍ୟତଃ ଚେତେଶ୍ବର ପୂଜାରା, ବିରାଟ କୋହଲି, ଶୁବମାନ ଗିଲ୍‌ଙ୍କ ଉପରେ ବ୍ୟାଟିଂ ଓ ମହମ୍ମଦ ସାମି ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଉପରେ ବୋଲିଂ ଭାର ନିର୍ଭର କରିବ। ଭାରତ କ୍ରମାଗତ ଦ୍ବିତୀୟ ଥର ପାଇଁ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ଖେଳିବାକୁ ଯାଉଛି। ଦଳ ନିକଟରେ ଟ୍ରଫି ହାସଲ କରିବାର ବଡ ସୁଯୋଗ ରହିଛି।
ଭାରତ ଏପର୍ଯ୍ୟନ୍ତ ଆଇସିସି ପ୍ରତିଯୋଗିତା ମଧ୍ୟରୁ ୧୯୮୩ ଓ ୨୦୧୧ ଦିନିକିଆ କ୍ରିକେଟ ବିଶ୍ବକପ, ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ ଜିତିଥିବାବେଳେ ଆଇସିସି ଚମ୍ପିଆନ୍‌ସ ଟ୍ରଫି ୨୦୦୨ରେ ଯୁଗ୍ମ ଓ ୨୦୧୩ରେ ବିଜେତା ହୋଇଛି। ଆଇସିିିସିର ଅନ୍ୟତମ ପ୍ରତିଯୋଗିତା ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଟ୍ରଫି ହାସଲ କରିବା ନେଇ ଭାରତ ନିକଟରେ ୨୦୧୯-୨୧ରେ ସୁଯୋଗ ଥିଲେ ମଧ୍ୟ ତାହା ହାତଛଡ଼ା କରିଥିଲା। ଏବେ ଆଉ ଏକ ସୁଯୋଗ ପହଞ୍ଚିଛି। ଅଷ୍ଟ୍ରେଲିଆ​‌ ଓ ନ୍ୟୁଜିଲାଣ୍ଡ ଦଳ ମଧ୍ୟରେ ସେଭଳି କିଛି ଫରକ ନାହିଁ। ନ୍ୟୁଜିଲାଣ୍ଡଠାରୁ ଅଷ୍ଟ୍ରେଲିଆ ଅଧିକ ଶକ୍ତିଶାଳୀ। ଏଥିପ୍ରତି ଭାରତକୁ ସତର୍କ ରହିବାକୁ ପଡିବ।

Comments are closed.