QNETIC – Mobile

ଦୁବାଇ ଗଲା ଢେଙ୍କାନାଳ ‘ଆମ୍ରପଲ୍ଲୀ’

‘ଆପେଡ଼ା’ ଦେଲା ରପ୍ତାନି ସହାୟତା

ଢେଙ୍କାନାଳ  : ଜିଲାରେ ଜଳବାୟୁ ଏବଂ ଜୈବିକ ପଦ୍ଧତି ଆମ୍ବ ଚାଷ ନିମନ୍ତେ ଅତ୍ୟନ୍ତ ଉପାଦେୟ ହେଉଥିବାରୁ ଏହାର ନିଆରା ସ୍ୱାଦ ପାଇଁ ଦେଶ, ରାଜ୍ୟ ଓ ରାଜ୍ୟ ବାହାରେ ନିଜର ସ୍ୱତନ୍ତ୍ର ଚାହିଦା ସୃଷ୍ଟି କରିପାରିଛି। ଢେଙ୍କାନାଳରେ ପ୍ରତିଷ୍ଠିତ ୧୦ କୋଟି ଟଙ୍କା ବ୍ୟୟରେ ମ୍ୟାଙ୍ଗୋ ହବ୍‌‌ ଜରିଆରେ ଏଠାକାର ଆମ୍ବକୁ ବାହାରକୁ ପଠାଇ ବିକ୍ରି କରାଯାଇପାରୁଛି। ତେବେ ସମ୍ପ୍ରତି କେନ୍ଦ୍ର ସରକାରଙ୍କ ରପ୍ତାନୀ ଭିତ୍ତିକ ସଂସ୍ଥା ‘ଆପେଡ଼ା’ ସହାୟତାରେ ପ୍ରଥମ ଥର ପାଇଁ ଦୁବାଇକୁ ଆମ୍ବ ରପ୍ତାନୀର ଶୁଭାରମ୍ଭ ହୋଇଥିବାରୁ ଢେଙ୍କାନାଳରେ ଆମ୍ବ ଚାଷୀଙ୍କ ଆର୍ଥିକ ଉନ୍ନତିରେ ସହାୟକ ହେବ ବୋଲି ଆଶା ସଞ୍ଚାର ହୋଇଛି।
ଢେଙ୍କାନାଳର ତରଭା (କଳାପାଣି) ନିକଟରେ ସୁବ୍ରତ ଦାଶଙ୍କ ୩୦ ଏକର ବିଶିଷ୍ଟ ‘ପ୍ରକୃତି ଇକୋ ଫାର୍ମ’ରୁ ଦୁବାଇକୁ ୨.୫ ମେଟ୍ରିକ୍‌‌ଟନ୍‌‌ର ‘ଆମ୍ରପଲ୍ଲୀ’ ଆମ୍ବ ରପ୍ତାନୀ ବ୍ୟବସ୍ଥା ଜିଲାପାଳ ସରୋଜକୁମାର ସେଠୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି। ଏହି ଆମ୍ବକୁ ‘ଆପେଡ଼ା’ ସହାୟତାରେ ଏକ ଶୀତଳୀକରଣ ଯାନରେ କଲକାତା ବିମାନ ବନ୍ଦରକୁ ପଠାଯାଇଛି। ସେଠାରୁ କାର୍ଗୋ ବିମାନ ଯୋଗେ ଆମ୍ବକୁ ଦୁବାଇ ପଠାଇବାର ବ୍ୟବସ୍ଥା ରହିଛି। ରପ୍ତାନୀ ଭିତ୍ତିକ ସଂସ୍ଥା ‘ପାଫ୍‌‌ ଗ୍ଲୋବାଲ୍‌‌ ଏଜେନ୍ସି’ ର ପରିଚାଳନା ନିର୍ଦ୍ଦେଶକ ସୁବ୍ରତ ଘୋଷଙ୍କ ଜରିଆରେ ଏହାକୁ ରପ୍ତାନୀ କରାଯାଉଛି। ସେ ‘ଆମ୍ରପଲ୍ଲୀ’ ଆମ୍ବକୁ କିଲୋ ପ୍ରତି ୯୦ ଟଙ୍କା ଦରରେ କିଣି ଫାର୍ମ ମାଲିକଙ୍କୁ ଅର୍ଥ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଅନ୍ୟଜଣେ ଆମ୍ବ ବଗିଚାର ମାଲିକ ଦୀପକ ପଣ୍ଡାଙ୍କ ଠାରୁ ଆଉ ୨.୫ ମେଟ୍ରିକ ଟନ୍‌‌ର ଆମ୍ବ ରପ୍ତାନୀ କରାଯିବ ବୋଲି ସୂଚନା ମିଳିଛି। ଏଥିସହ ଢେଙ୍କାନାଳରୁ ଉତ୍ପାଦିତ ହେଉଥିବା କାଜୁ ମଧ୍ୟ ରପ୍ତାନୀ ଉକ୍ତ ସଂସ୍ଥା ଜରିଆରେ କରାଯିବ ବୋଲି ସୂଚନା ମିଳିଛି। ଜିଲା କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ରପ୍ତାନୀ ଭିତ୍ତିକ ଆମ୍ବ ଉତ୍ପାଦନ ସହ ପ୍ରସ୍ତୁତି ପାଇଁ ଚାଷୀଙ୍କୁ ତାଲିମ ପ୍ରଦାନ କରାଯାଇଥିବାରୁ ଆମ୍ବ ଚାଷୀ ଏଥିପ୍ରତି ଆଗ୍ରହ ଦେଖାଇଥିଲେ। ଚଳିତ ବର୍ଷ ସ୍ଥାନୀୟ ବଜାରରେ ଆମ୍ବର ଦାମ୍‌‌ କମ୍‌‌ ରହିଥିବା ବେଳେ ଏହାକୁ ରପ୍ତାନୀ କରି ଚାଷୀ ଲାଭାନ୍ୱିତ ହୋଇପାରିଛନ୍ତି। ଢେଙ୍କାନାଳ ଜିଲାରେ ପ୍ରାୟ ୧୦ ହଜାର ହେକ୍ଟର ଜମିରେ ୨୦୦ ରୁ ଊର୍ଦ୍ଧ୍ବ ଚାଷୀ ବିଭିନ୍ନ କିସମର ଆମ୍ବ ଚାଷ କରି ୫୦ ହଜାର ମେଟ୍ରିକ ଟନ ଆମ୍ବ ଉତ୍ପାଦନ କରୁଛନ୍ତି। ଆଗାମୀ ଦିନରେ ଜିଲାରୁ ଯେପରି ଅଧିକରୁ ଅଧିକ ପରିମାଣର ବିଭିନ୍ନ କିସମର ଆମ୍ବ ଓ ଅନ୍ୟାନ୍ୟ ଫଳ ବିଦେଶକୁ ରପ୍ତାନୀ ହୋଇପାରିବ ସେଥିପ୍ରତି ପ୍ରଶାସନ ପକ୍ଷରୁ ବିହିତ ବ୍ୟବସ୍ଥା କରାଯାଇ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଜିଲାପାଳ କହିଥିଲେ।
ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ଗୀତାଶ୍ରୀ ପାଢ଼ୀ ଆଗାମୀ ଦିନରେ ଜିଲାରେ ଅଧିକରୁ ଅଧିକ ବିଭିନ୍ନ କିସମର ଆମ୍ବ ସହିତ ବିଭିନ୍ନ ଫଳ ମଧ୍ୟ ବିଦେଶକୁ ରପ୍ତାନୀ ପାଇଁ ବ୍ୟବସ୍ଥା କରାଯିବ ଏବଂ ସେଥିପାଇଁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯିବ ବୋଲି କହିଥିଲେ। ପ୍ରକୃତି ଇକୋ ଫାର୍ମରୁ ପ୍ରଥମ କରି ଦୁବାଇକୁ ଆମ୍ବ ରପ୍ତାନୀର ଶୁଭାରମ୍ଭ ହୋଇଥିବାରୁ ଫାର୍ମର ସିଇଓ ସୁବ୍ରତ ଦାଶ ପ୍ରଶାସନକୁ ଧନ୍ୟବାଦ ଦେବା ସହିତ ଖୁସି ବ୍ୟକ୍ତ କରିଛନ୍ତି।

Comments are closed.