www.samajalive.in
Sunday, December 7, 2025
18.1 C
Bhubaneswar

ଆତଙ୍କବାଦୀଙ୍କ ହାତରେ ପ୍ରତିରକ୍ଷା ଅସ୍ତ୍ର!

କଲକାତା : ଆତଙ୍କବାଦୀ ଏବଂ ମାଓବାଦୀଙ୍କ ହାତକୁ ଯାଉଛି ପ୍ରତିରକ୍ଷା ଅସ୍ତ୍ର। ଦେଶର ବିଭିନ୍ନ ଭାଗରେ ଥିବା ଅର୍ଡ଼ନାନ୍ସ ଫାକ୍ଟ୍ରି(ଗୋଳାବାରୁଦ ତିଆରି କାରଖାନା)ରୁ ସେନାବାହିନୀ ପାଇଁ ପ୍ରସ୍ତୁତ ହେଉଥିବା ଆଗ୍ନେୟାସ୍ତ୍ରର ଯନ୍ତ୍ରାଂଶ ଉତ୍ତରପୂର୍ବର ଆତଙ୍କବାଦୀ ଏବଂ ବିହାରର ମାଓବାଦୀଙ୍କ ପାଖକୁ ଚୋରାରେ ଚାଲାଣ ହେଉଥିବା ଭଳି ଏକ ସ୍ପର୍ଶକାତର ଅଭିଯୋଗ ହୋଇଛି। କେବଳ ଅଭିଯୋଗ ନୁହେଁ; ଏହାର କିଛିଟା ସତ୍ୟାସତ୍ୟ ଉନ୍ମୋଚନ କରିବାରେ ସକ୍ଷମ ହୋଇଛନ୍ତି କଲକାତାର ଏସ୍‍ଟିଏଫ(ସ୍ପେଶାଲ୍‍ ଟାସ୍କ ଫୋର୍ସ) ଅଧିକାରୀ। କଲକାତା ଇଚ୍ଛାପୁରଠାରୁ ଥିବା ରାଇଫଲ ତିଆରି କାରଖାନାରୁ ଚୋରାରେ ଚାଲାଣ ହେଉଥିବା ଏକ ଆଗ୍ନେୟାସ୍ତ୍ର ବୋଝେଇ ଟ୍ରକ୍‍ ଗତ ଶୁକ୍ରବାର ରାତିରେ ଧରାପଡ଼ିବା ପରେ ଏହି ଗୋଳାବାରୁଦ କାରଖାନା କର୍ତ୍ତୃପକ୍ଷଙ୍କ ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସ୍‍ଟିଏଫ୍‍ ହାତରେ ଧରାପଡ଼ିଥିବା ଏହି ଅର୍ଡ଼ନାନ୍ସ ଫାକ୍ଟ୍ରିର କର୍ମଚାରୀମାନେ ଯେଉଁ ବୟାନ ଦେଇଛନ୍ତି ତାହା ଅତ୍ୟନ୍ତ ସାଂଘାତିକ। ସଂପୃକ୍ତ କର୍ମଚାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ପରେ କଲକାତା ଏସ୍‍ଟିଏଫ୍‍ ଅଧିକାରୀମାନେ ଦେଶର ଅନ୍ୟ ଭାଗରେ ଥିବା ଗୋଳାବାରୁଦ କାରଖାନାର କାର୍ଯ୍ୟକଳାପ ଉପରେ ଦୃଷ୍ଟି ନିବଦ୍ଧ କରିଛନ୍ତି।
କଲକାତା ପୁଲିସର ଏସ୍‍ଟିଏଫ୍‍ ଗୋପନ ସୂତ୍ରରୁ ଖବର ପାଇ ପ୍ରେମଚାନ୍ଦ କୁର୍ମୀ ଓରଫ୍‍ ଲାଟୁଆ ନାମକ ଜଣେ ଟ୍ରକ୍‍ ଚାଳକକୁ ଗିରଫ କରିଛି। ଏପରିକି ଅତ୍ୟାଧୁନିକ ଆଗ୍ନେୟାସ୍ତ୍ର ଯନ୍ତ୍ରାଂଶ ବୋଝେଇ ଟ୍ରକ୍‍ଟିକୁ ପୁଲିସ ଅଟକ କରିବାରେ ସକ୍ଷମ ହୋଇଛି।
ପ୍ରସଙ୍ଗତଃ ଗତ ମେ ୬ତାରିଖରେ ଏସ୍‍ଟିଏଫ୍‍ ଗୋପନ ସୂତ୍ରରୁ ଖବର ପାଇଥିଲା ଯେ ବାବୁଘାଟକୁ ଅସ୍ତ୍ର ଚାଲାଣ ହେବ। ସେହି ଅନୁସାରେ ଚଢ଼ାଉ ଅଭିଯାନ ଚଳାଇ ମୋଟ ୬ଜଣଙ୍କୁ ଗିରଫ କରିବାରେ ଏସ୍‍ଟିଏଫ୍‍ କର୍ମୀମାନେ ସମର୍ଥ ହୋଇଥିଲେ। ଗିରଫଙ୍କ ମଧ୍ୟରେ ଜଣେ ଇଚ୍ଛାପୁର ଅର୍ଡ଼ିନାନ୍ସ କାରଖାନାର କର୍ମୀ ଥିଲେ। ସେମାନଙ୍କଠୁ ଇନ୍‍ସ୍ୟାସ୍‍ ଏବଂ ଏସ୍‍ଏଲ୍‍ଆର୍‍ ସହ ମୋଟ ଆଠଟି
ଆଗ୍ନେୟାସ୍ତ୍ର ବାଜ୍ୟାପ୍ତ କରାଯାଇଥିଲା। ଏସ୍‍ଟିଏଫ୍‍ର ଦାବି ଯେ ଜେରାରେ ସେମାନେ ସ୍ୱୀକାର କରିଥିଲେ ଯେ ବାତିଲ ଯେଉଁ ଅସ୍ତ୍ରଗୁଡ଼ିକ କାରଖାନାର ଗୋଦାମରେ ଜମା ପଡ଼ୁଥିଲା ସେଗୁଡ଼ିକର ହିସାବ ରଖାଯାଉ ନଥିଲା। ତେଣୁ କାରଖାନା କର୍ମୀଙ୍କ ସହ ଯୋଗସୂତ୍ର ରକ୍ଷା କରି ସେହି ଯନ୍ତ୍ରାଂଶଗୁଡ଼ିକୁ ଉତ୍ତରପୂର୍ବର ଆତଙ୍କବାଦୀ ସଂଗଠନ, ବିହାର ମାଓବାଦୀଙ୍କ ନିକଟକୁ ପଠାଯାଉଥିଲା। ଗିରଫ ଯୁବକଙ୍କଠୁ ଖବର ପାଇ ଗତ ସେପ୍ଟେମ୍ବରରେ ଅଭିଯାନ ଚଳାଇ ଇଚ୍ଛାପୁର କାରଖାନାର ତିନିଜଣ କର୍ମୀ ସୁଖଦା ମୁର୍ମୁ, ସୁଶାନ୍ତ ବସୁ, ଦ୍ୱାରକା ସାହୁଙ୍କୁ ପୁଲିସ ଗିରଫ କରିଥିଲା। ପରେ ଦ୍ୱାରାକାକୁ ଜେରା କରି ପୁଲିସ ଜାଣିପାରିଥିଲା ଯେ ଶୁକ୍ରବାର ରାତ୍ରିରେ ଇଚ୍ଛାପୁର ରାଇଫଲ୍‍ ଫ୍ୟାକ୍ଟରୀ ନିକଟରେ ନିଜେ ଟ୍ରକ୍‍ ଚଳାଇ ନିର୍ମିତ ଏବଂ ନିର୍ମାଣାଧୀନ ଅସ୍ତ୍ରଗୁଡ଼ିକର ଯନ୍ତ୍ରପାତି ଟ୍ରକ୍‍ରେ ଲଦି ଟ୍ରକ୍‍ ଚାଳକ ଲିଟୁଆ ଚାଲାଣ କରିବ। ଦ୍ୱାରକାଠୁ ଏଭଳି ଜାଣି ଏସ୍‍ଟିଏଫ୍‍ କର୍ମୀମାନେ ଲିଟୁଆ ଉପରେ ନଜର ରଖିବା ସହ ଚଢ଼ଉ ଅଭିଯାନ ଜାରି ରଖିଥିଲେ। ଯୋଜନା ଅନୁଯାୟୀ ଶୁକ୍ରବାର ରାତିରେ ଲିଟୁଆକୁ ହାତାହାତି ଧରିବାରେ ସକ୍ଷମ ହେବାଦ୍ୱାରା ଏହା କର୍ମୀଙ୍କ ଏକ ବିଶେଷ ସଫଳତା ବୋଲି ଏସ୍‍ଟିଏଫ୍‍ ମନେ କରୁଛି। ଏହି ଅସ୍ତ୍ର କେଉଁଠି ପଠାଯାଇଥାଆନ୍ତା ତାହା ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories