ହ୍ବାଇଟହାଉସରେ ଆକ୍ରମଣ ଉଦ୍ୟମ: ତେଲୁଗୁ ଯୁବକଙ୍କୁ ୮ ବର୍ଷ ଜେଲ୍‌ ଦଣ୍ଡାଦେଶ, ଆମେରିକାରେ ନାଜି ଶାସନ ପାଇଁ ଥିଲା ଲକ୍ଷ୍ୟ

ସମାଜ ଡିଜିଟାଲ ଡେସ୍କ: ହ୍ବାଇଟହାଉସ ଉପରେ ଆକ୍ରମଣ ଉଦ୍ୟମ କରିଥିବା ଜଣେ ତେଲୁଗୁ ଯୁବକଙ୍କୁ ଆମେରିକାର ଏକ କୋର୍ଟ ୮ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହି ଯୁବକଙ୍କ ନାଁ ସାଇ ବର୍ଷିଥ କାଣ୍ଡୁଲା। ଆମେରିକା ସରକାର ଭାଙ୍ଗି ନାଜି ଚିନ୍ତାଧାରାରେ ଶାସନ କରିବାକୁ ସାଇ ଚିନ୍ତା କରି ଏହି ଆକ୍ରମଣ ଉଦ୍ୟମ କରିଥିଲେ ବୋଲି ଜଣାପଡ଼ିଛି।

୨୦ ବର୍ଷୀୟ ସାଇଙ୍କ ଘର ହାଇଦ୍ରାବାଦର ଚାନ୍ଦନଗର ଅଞ୍ଚଳରେ। ସେ ଆମେରିକାର ମିସୌରୀ ଅନ୍ତର୍ଗତ ସେଣ୍ଟ ଲୁଇରେ ରହିଥିଲେ। ୨୦୨୩ ମେ ମାସ ୨୨ ତାରିଖରେ ସେ ଏକ ଟ୍ରକ ଭଡ଼ାରେ ଆଣି ଓ୍ବାଶିଂଟନସ୍ଥିତ ହ୍ବାଇଟହାଉସରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଆମେରିକାରେ ଗଣତାନ୍ତ୍ରିକ ପଦ୍ଧତିରେ ଗଠିତ ସରକାରକୁ ଭାଙ୍ଗି ନାଜି ଚିନ୍ତାଧାରାରେ ଏକଚ୍ଛତ୍ରବାଦ ଶାସନ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା। ତେଣୁ ସେ ଏହି ଆକ୍ରମଣ ଉଦ୍ୟମ କରିଥିଲେ ବୋଲି ପୁଲିସ ତଦନ୍ତରୁ ଜାଣିପାରିଥିଲା।

Comments are closed.