ଦୁର୍ନୀତି ଅଭିଯୋଗରେ ତେଲଙ୍ଗାନା ବିଚାରପତି ନିଲମ୍ବିତ
ହାଇଦ୍ରାବାଦ : ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ତେଲଙ୍ଗାନାର ଜଣେ ବିଚାରପତି କୋଲା ରଙ୍ଗ ରାଓଙ୍କୁ ହାଇଦ୍ରାବାଦ ହାଇକୋର୍ଟ ବୁଧବାର ନିଲମ୍ବିତ କରିଛନ୍ତି। ରାଓ ପୂର୍ବରୁ ବିକରବାଦ ଜିଲା କୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ଥିଲେ। ଏସ୍ସି/ଏସ୍ଟି ନିର୍ଯାତନା ନିରୋଧ ଆଇନ ସମ୍ବନ୍ଧୀୟ ମାମଲାର ଶୁଣାଣି ଲାଗି ତାଙ୍କୁ ଦୁଇ ଦିନ ପୂର୍ବେ ଏକ ସ୍ୱତନ୍ତ୍ର କୋର୍ଟ ବିଚାରପତି ଭାବେ ମେହବୁବନଗରକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ସକାଳେ ସେ ସେଠାରେ ଦାୟିତ୍ୱ ଗ୍ରହଣ କରିଥିଲେ। ମାତ୍ର ଦାୟିତ୍ୱ ଗ୍ରହଣର ଅଧଘଣ୍ଟା ପରେ ସେ ନିଲମ୍ବନ ସମ୍ବନ୍ଧୀୟ ହାଇକୋର୍ଟଙ୍କ ନିର୍ଦେଶନାମା ପାଇଥିଲେ। ରାଓଙ୍କ ସମେତ ଗତ ଏକ ମାସ ମଧ୍ୟରେ ତେଲଙ୍ଗାନାର ମୋଟ ଚାରି ଜଣ ବିଚାରପତିଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବିତ କରାଯାଇଛି।