କରୋନା ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଟେଲି ପରାମର୍ଶ ସେବା ଇ-ସଂଜୀବନୀକୁ ସଫଳତା ମିଳିଛି। ଗତ ୧୫ ଦିନ ମଧ୍ୟରେ ଏହି ବ୍ୟବସ୍ଥାରେ ୧ ଲକ୍ଷରୁ ଅଧିକ ଲୋକ ଏହି ସେବା ମାଧ୍ୟମରେ ପରାମର୍ଶ ଲୋଡି ଥିବା ବେଳେ ଏ ଯାବତ ୬ ଲକ୍ଷ ଟେଲି ପରାମର୍ଶ ସମାପ୍ତ ହୋଇଛି। ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପ ଦ୍ୱାରା କରୋନା ସମୟରେ ଇ-ସଂଜୀବନୀ ଡିଜିଟାଲ୍ ପ୍ଲାଟଫର୍ମରେ ଉଭୟ ଡାକ୍ତର ଓ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଉପଲବ୍ଧତାକୁ ସହଜ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ତାମିଲନାଡୁ, କେରଳ ଏବଂ ଗୁଜୁରାଟ ଭଳି ରାଜ୍ୟଗୁଡିକ ଦିନକୁ ୧୨ ଘଣ୍ଟା ଏବଂ ସପ୍ତାହର ସବୁ ଦିନ ଏହି ସେବା ଯୋଗାଇ ଦେଉଛନ୍ତି।
ଦେଶର ୨୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଉପଲବ୍ଧ ହେଉଥିବା ଏହି ଇ-ସଂଜୀବନୀ ସେବା ଡିଜିଟାଲ୍ ପ୍ଲାଟଫର୍ମରେ ୬ ହଜାରରୁ ଅଧିକ ଡାକ୍ତରଙ୍କ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯାଉଛି। ମନ୍ତ୍ରଣାଳୟ କହିଛି, ରାଜ୍ୟଗୁଡିକରେ ଥିବା ହସ୍ପିଟାଲ ଏବଂ ମେଡିକାଲ କଲେଜଗୁଡ଼ିକରେ ସ୍ଥାପିତ ୧୭୫ରୁ ଅଧିକ ହବ୍ ସହିତ ପ୍ରାୟ ୪ ହଜାର ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି ଯାହା ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ଥିବା ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛି।



