ମେ’ ୨ ପର୍ଯ୍ୟନ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଗୁରୁବାର(ଆସନ୍ତାକାଲି) ଠାରୁ ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠପଢା ବନ୍ଦ ରହିବ।
ଏବେ ରାଜ୍ୟରେ ତାପମାତ୍ର ପ୍ରାୟ ୪୦ ଡିଗ୍ରୀ ଉପରେ ରହିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଓ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଥିଲେ ସରକାର। ରାଜ୍ୟରେ ସାମୟିକ ଭାବେ ସମସ୍ତ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଶ୍ରେଣୀଗୃହ ଶିକ୍ଷା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏନେଇ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ରୋଜାଲିନ ଦାସ ବିପିୟୁଟି କୁଳପତିଙ୍କ ସମେତ ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟରେ ବଢୁଥିବା ଗ୍ରୀଷ୍ମପ୍ରବାହକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନର ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ଆସନ୍ତାକାଲିଠାରୁ ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ରହିବ। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ସାମୟିକ ଭାବେ ବନ୍ଦ ରହିବ। ଛାତ୍ରଛାତ୍ରୀ କାଲିଠାରୁ ମେ’ ୨ ତାରିଖ ପର୍ଯ୍ୟନ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଯିବେ ନାହିଁ। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ବନ୍ଦ ରହିବ। ପରୀକ୍ଷା, ମୂଲ୍ୟାୟନ, ଗବେଷଣା ଓ ଅନ୍ୟ ପ୍ରଶାସନିକ କାର୍ଯ୍ୟ ଚାଲିବ। ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ, ଅଣଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିବେ। ସାଧାରଣ ଦିନ ଭଳି କର୍ମଚାରୀ ଶିକ୍ଷାନୁଷ୍ଠାନରେ ରହିବେ ବୋଲି ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ଗ୍ରୀଷ୍ମ ଲହରୀ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନରେ କେବେ ଛୁଟି ? ଶୀର୍ଷକରେ ୨୭ରେ ‘ସମାଜ’ରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା।

kalyan agarbati

Comments are closed.