ଧୋନିଙ୍କୁ ୭ନଂ ସ୍ଥାନରେ ବ୍ୟାଟିଂ ପଠାଇବା ଦଳଗତ ନିଷ୍ପତ୍ତି ଥିଲା: ଶାସ୍ତ୍ରୀ
ଲଣ୍ଡନ୍ : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍ ବିଶ୍ବକପ୍ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ୧୮ ରନ୍ରେ ପରାସ୍ତ ହୋଇଥିଲା ଭାରତ। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୨୩୯ ରନ୍ ସଂଗ୍ରହ କରିଥିଲା। ୨୪୦ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ସହଜରେ ହାସଲ କରିବ ବୋଲି ଅାଶା କରାଯାଉଥିବା ବେଳେ ଟପ୍ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଦଳ ପାଇଁ କାଳ ହୋଇଥିଲା। ତେବେ ମହେନ୍ଦ୍ର ସିଂ ଧୋନି ୫୦ ଓ ରବିନ୍ଦ୍ର ଜାଡେଜା ୭୭ ରନ୍ କରି ବିଜୟ ପାଇଁ ଆଶା ସଞ୍ଚାର କରିଥିଲେ। ଏହି ଦୁଇ ବ୍ୟାଟସମ୍ୟାନ୍ ଆଉଟ୍ ହେବା ପରେ ଭାରତର ଆଶା ଅପୂରଣୀୟ ରହିଯାଇଥିଲା। ସେମିଫାଇନାଲ ମ୍ୟାଚ୍ରେ ଭାରତ ତରଫରୁ ଧୋନି ୭ନଂରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ହାର୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକଙ୍କ ପରେ ଧୋନିଙ୍କୁ ବ୍ୟାଟିଂ ସୁଯୋଗ ମିଳିଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଧୋନି ଯଦି ବ୍ୟାଟିଂକ୍ରମରେ ଆଗୁଆ ଆସିଥାନ୍ତେ ତେବେ ହୁଏତ ଭାରତୀୟ ଦଳ ସେମିଫାଇନାଲରେ ବିଜୟୀ ହୋଇଥାନ୍ତା ବୋଲି କେତେକ ମହଲରେ ମତପ୍ରକାଶ ପାଇଥିଲା।
ଅନ୍ୟପକ୍ଷରେ ଧୋନିଙ୍କୁ ୭ନଂରେ ବ୍ୟାଟିଂ ପାଇଁ ପଠାଯିବା ଦଳଗତ ନିଷ୍ପତ୍ତି ଥିଲା ବୋଲି ମତ ଦେଇଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଶାସ୍ତ୍ରୀ କହିଥିଲେ ସେମିଫାଇନାଲରେ ଧୋନିଙ୍କ ବ୍ୟାଟିଂକ୍ରମକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଧୋନିଙ୍କୁ ୭ନଂ ସ୍ଥାନରେ ବ୍ୟାଟିଂ ପାଇଁ ପଠାଯିବା ଦଳଗତ ନିଷ୍ପତ୍ତି ଥିଲା। ଏଥିପାଇଁ କାହାରିକୁ ଦାୟୀ କରାଯାଇ ପାରିବ ନାହିଁ। ଦଳର ଟପ୍ଅର୍ଡର ବ୍ୟାଟସମ୍ୟାନ୍ ସହଳ ଆଉଟ୍ ହେବା ପରେ ଧୋନିଙ୍କୁ ଯଦି ଆଗୁଆ ବ୍ୟାଟିଂ ପାଇଁ ପଠାଯାଇଥାନ୍ତା ଏବଂ ସେ ସହଳ ଆଉଟ୍ ହୋଇଥାନ୍ତେ ସେତେବେଳେ ଭାରତର ସ୍ଥିତି ଆହୁରି ଖରାପ ହୋଇଯାଇଥାନ୍ତା। ଶେଷ ଆଡ଼କୁ ବ୍ୟାଟିଂ କରି ଧୋନି ଭାରତୀୟ ଦଳକୁ ବିଜୟୀ କରାଇ ପାରିବେ ବୋଲି ମ୍ୟାନେଜମେଣ୍ଟ ଆଶା ରଖିଥିଲା। ତେଣୁ ଧୋନିଙ୍କୁ ୭ନଂରେ ବ୍ୟାଟିଂ କରିବାକୁ ପଠାଯାଇଥିଲା। ଧୋନି ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଫିନିସର୍ ଭାବେ ପରିଗଣିତ ହେଉଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ୭ନଂ ସ୍ଥାନରେ ବ୍ୟାଟିଂ କରିବାକୁ କୁହାଯାଇଥିଲା ବୋଲି ଶାସ୍ତ୍ରୀ ସ୍ପଷ୍ଟ କରି ଦେଇଛନ୍ତି। ଭାରତୀୟ ବ୍ୟାଟିଂ ମୂଳରୁ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରାଜୟର ଅନ୍ୟତମ ପ୍ରମୁଖ କାରଣ ବୋଲି ଶାସ୍ତ୍ରୀ କହିଛନ୍ତି। ଭାରତୀୟ ବ୍ୟାଟିଂର ୪ନଂ ସ୍ଥାନକୁ ନେଇ ଏପର୍ଯ୍ୟନ୍ତ ଅନିଶ୍ଚିତତା ରହିଥିବା ସଂପର୍କରେ ମତ ଦେଇ ଶାସ୍ତ୍ରୀ କହିଥିଲେ ୪ନଂ ସ୍ଥାନକୁ ନେଇ କିଛିଟା ସମସ୍ୟା ରହିଛି ଏଥିରେ କୌଣସି ସନ୍ଦେହ ନାହିଁ। ବିଶ୍ବକପ୍ରେ କେଏଲ୍ ରାହୁଲ ଭାରତ ତରଫରୁ ୪ନଂ ସ୍ଥାନରେ ବ୍ୟାଟିଂ କରୁଥିଲେ। ତେବେ ଓପନର୍ ଶିଖର ଧାୱନ୍ ଆଘାତଜନିତ କାରଣରୁ ବିଶ୍ବକପ୍ରୁ ବାଦ୍ ପଡ଼ିବା ପରେ ରାହୁଲ ବ୍ୟାଟିଂ ଓପନ୍ କଲେ ଏବଂ ବିଜୟ ଶଙ୍କର ୪ନଂ ସ୍ଥାନରେ ବ୍ୟାଟିଂ କଲେ। ପରବର୍ତ୍ତୀ ସମୟରେ ଶଙ୍କର ଆଘାତଜନିତ କାରଣରୁ ବିଶ୍ବକପ୍ରୁ ବାଦ୍ ପଡ଼ିବା ପରେ ଋଷଭ ପନ୍ତ୍ ୪ନଂ ସ୍ଥାନରେ ବ୍ୟାଟିଂ କରିଥିଲେ। ୪ନଂ ସ୍ଥାନ ବ୍ୟାଟିଂକ୍ରମ ନିମନ୍ତେ ବେଶ୍ ଗୁରୁତ୍ବପୂର୍ଣ୍ଣ। ଭାରତୀୟ ଦଳରେ ବର୍ତ୍ତମାନ ବେଶ୍ ଭଲ ଯୁବ ବ୍ୟାଟସମ୍ୟାନ୍ ଥିବାରୁ ୪ନଂ ସ୍ଥାନ ସମସ୍ୟା ବେଶୀଦିନ ହୋଇରହିବ ନାହିଁ ବୋଲି ଶାସ୍ତ୍ରୀ ମତ ଦେଇଛନ୍ତି। ସେମିଫାଇନାଲରେ ଭାରତୀୟ ଦଳ ପରାସ୍ତ ହୋଇଥିଲେ ମଧ୍ୟ ଦଳ ବେଶ୍ ଶକ୍ତିଶାଳୀ ବୋଲି ଶାସ୍ତ୍ରୀ କହିଛନ୍ତି। ବିଶ୍ବକପ୍ରେ ଭାରତୀୟ ବ୍ୟାଟସମ୍ୟାନ୍ ଓ ବୋଲର ଉଚ୍ଚକୋଟିର ପ୍ରଦର୍ଶନ କରିଥିବାବେଳେ ଦଳର ଫିଲଡିଂରେ ମଧ୍ୟ ଢେର ଉନ୍ନତି ପରିଲକ୍ଷିତ ହୋଇଥିଲା ବୋଲି ଶାସ୍ତ୍ରୀ ମତ ଦେଇଛନ୍ତି।
Comments are closed.