ଟିଡିପିର ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଇସ୍ତଫା

0

ନୂଆଦିଲ୍ଲୀ : ଟିଡିପିକୁ କେନ୍ଦ୍ରର ଏନଡିଏ ସରକାରରେ କାଏମ ରଖିବା ପାଇଁ ବିଜେପିର ପ୍ରୟାସ ଫେଲ ମାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତେଲୁଗ୍‌ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ କଥାବାର୍ତ୍ତା ପରେ ବି ଟିଡିପିର ଦୁଇ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଆଜି ସନ୍ଧ୍ୟାରେ ସାକ୍ଷାତକାର ସମୟରେ ଟିଡିପି ନେତା ତଥା କେନ୍ଦ୍ରର ଦୁଇ ମନ୍ତ୍ରୀ ଅଶୋକ ଗଜପତି ରାଜୁ ଏବଂ ୱାଇଏସ୍‌ ଚୌଧୁରୀ ନିଜ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଛନ୍ତି ।

ଆଜି ଦ୍ୱିପ୍ରହରରେ ଚନ୍ଦ୍ରବାବୁ ନାଇଡୁ ଓ ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଏହି କଥାବାର୍ତ୍ତାରୁ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଥିଲା । ମାତ୍ର ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଟିଡିପିର ଉଭୟ ମନ୍ତ୍ରୀ କେନ୍ଦ୍ରରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର ପ୍ରଦାନ କରିବା ପରେ ଟିଡିପି ନେତା ୱାଇଏସ୍‌ ଚୌଧୁରୀ କହିଛନ୍ତି ଯେ ଆମେ ଆନ୍ଧ୍ରର ଜନତାଙ୍କ ସହ ଅଛୁ । କେନ୍ଦ୍ର ସରକାର ପ୍ରତିଶ୍ରୁତି ପୂରଣ କରିବାରେ ଅବହେଳା କରିଛନ୍ତି । ଦୁଇ ଟିଡିପି ମନ୍ତ୍ରୀଙ୍କ ଇସ୍ତଫାକୁ ପ୍ରଧାନମନ୍ତ୍ରୀ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି । ମନ୍ତ୍ରିମଣ୍ଡଳରେ କାମ କରିବାକୁ ସୁଯୋଗ ଦେଇଥିବାରୁ ଇସ୍ତଫାପତ୍ର ଦେବାବେଳେ ଟିଡିପିର ଦୁଇ ନେତା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମାନ୍ୟତା ଦେବା ପ୍ରସଙ୍ଗରେ ବିଜେପି ଓ ଟିଡିପି ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ଦିନକୁ ଦିନ ବଡ ହେବାରେ ଲାଗିଛି । ସେପଟେ ରାଜ୍ୟ ମନ୍ତ୍ରିମଣ୍ଡଳରୁ ବିଜେପିର ଦୁଇ ନେତା ଇସ୍ତଫା ଦେଇଛନ୍ତି ।

ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିସକୁ କାର୍ଯ୍ୟକାରୀ କରାଯାଇଥିବାରୁ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇପାରିବ ନାହିଁ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବୁଧବାର କହିଥିଲେ । ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ପରିବର୍ତ୍ତେ ଏହାକୁ ଅନୁରୂପ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହାପରେ ବି ଅସନ୍ତୁଷ୍ଟ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ର ସରକାରରୁ ଓହରିଯିବାର ନିଷ୍ପତ୍ତି ନେଇଛନ୍ତି । ଏ କ୍ରମରେ ଦୁଇ ମନ୍ତ୍ରୀ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

Leave A Reply