ମାର୍ଚ୍ଚରୁ ଅନ୍‌ଲାଇନ୍‌ରେ ଟିସି ଓ କଣ୍ଡକ୍ଟ ସାର୍ଟିଫିକେଟ୍‌

ଭୁବନେଶ୍ବର: ରାଜ୍ୟରେ ଥିବା ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ସହ ଗୁଣାତ୍ମକ ଶିକ୍ଷା ଦେବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସଂସ୍କାର ଓ ନୂଆ ଯୋଜନା କରାଯାଇଛି। ଏଣିକି ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ମିଳିବ ଟ୍ରାନ୍ସଫର ସାର୍ଟିଫିକେଟ(ଟିସି) ଓ କଣ୍ଡକ୍ଟ ସାର୍ଟିଫିକେଟ (ସିସି)। ମାର୍ଚ୍ଚରୁ ୨୦ଟି କ୍ଷେତ୍ରରେ ଅନ୍‌ଲାଇନ୍‌ ସୁବିଧା ପ୍ରଦାନ କରାଯିବ। ଏଣିକି ପଞ୍ଚାୟତସ୍ତରରେ ଥିବା ଜନସେବା କେନ୍ଦ୍ରରେ ମିଳିବ ଟିସି ଓ କ‌ଣ୍ଡକ୍ଟ ସାର୍ଟିଫିକେଟ୍‌। ଛାତ୍ରଛାତ୍ରୀ ସହଜରେ ଜନସେବା କେନ୍ଦ୍ରରେ ଆବେଦନ କରିବା ସହ ଏହାର ସୁଫଳ ପାଇପାରିବେ। ସେହିପରି ବିଦ୍ୟାଳୟ ଭିତ୍ତିଭୂମିର ବିକାଶ, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନା ଭଳି ବିବିଧ ପଦକ୍ଷେପ ନିଆଯାଇଛି।

ସୂଚନା ଅନୁଯାୟୀ ଓକାକ୍‌ ଓ ଏନ୍‌ଆଇସି ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମିଳିତ ସହଭାଗିତାରେ ବିଭିନ୍ନ ସେବାକୁ ଅନ୍‌ଲାଇନ୍‌ରେ ପ୍ରଦାନ କରିବାକୁ ଗୁରୁତ୍ବ ଦିଆଯାଇଛି। ମୁଖ୍ୟତଃ ପ୍ରଥମ ପର୍ୟ୍ୟାୟରେ ନବମ, ଦଶମ, ଏକାଦଶ(+୨ ପ୍ରଥମ ବର୍ଷ) ଏବଂ ଦ୍ବାଦଶ (ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ) ଛାତ୍ରଛାତ୍ରୀ ସେମାନଙ୍କ ଟିସି ଓ ସିସି ଅନ୍‌ଲାଇନ୍‌ରେ ପାଇବେ। ଏହି ସେବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଆସନ୍ତା ମାର୍ଚ୍ଚରୁ ଏହାକୁ କାର୍ୟ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟଧାର୍ୟ୍ୟ ହୋଇଛି। ପରବର୍ତ୍ତୀ ପର୍ୟ୍ୟାୟରେ ଅନ୍ୟ ଶ୍ରେଣୀଗୁଡ଼ିକର ସାର୍ଟିଫିକେଟ୍‌ ପ୍ରଦାନ ନେଇ ଯୋଜନା କରାଯିବ। ଟିସି ଓ ସିସି ସମେତ ମୋଟ ବିଭାଗର ୨୦ ସେବା ଅନ୍‌ଲାଇନ୍‌ରେ ମିଳିବ। ପଞ୍ଚାୟତସ୍ତରରେ ଥିବା ଜନସେବା କେନ୍ଦ୍ରରେ ଛାତ୍ରଛାତ୍ରୀ ଏହି ସେବା ପାଇପାରିବେ। ଦୂରରେ ଥିବା ବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟ ନଯାଇ ଘର ପାଖରେ ଥିବା ଜନସେବା କେନ୍ଦ୍ରରେ ଏହି ସେବା ପାଇପାରିବେ।

prayash

ସେହିପରି ଛାତ୍ରଛାତ୍ରୀଙ୍କୁ ସ୍ପୋକନ୍‌ ଇଂଲିଶ ବିଭାଗ ଗୁରୁତ୍ବ ଦେଇଛି। ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟରେ କାର୍ୟ୍ୟରତ ଇଂରାଜୀ ବିଷୟର ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଏଣିକି ଗ୍ରୀଷ୍ମ ଅବକାଶରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ମେ’ ୧୫ରୁ ଜୁନ୍‌ ୧୫ ପର୍ୟ୍ୟନ୍ତ ମାସକ ପାଇଁ ଏହି ପ୍ରଶିକ୍ଷଣ ଦିଆଯିବ। ଜିଲା ମୁଖ୍ୟାଳୟରେ ଅଭିଜ୍ଞ ପ୍ରଶିକ୍ଷକ ଶିକ୍ଷକଶିକ୍ଷୟିତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦେବେ। ଏହାଦ୍ବାରା ଶିକ୍ଷକମାନେ ବିଦ୍ୟାଳୟ ସ୍ତରରେ ବିଦ୍ୟାର୍ଥୀଙ୍କୁ ସ୍ପୋକନ୍‌ ଇଂଲିଶ ପାଇଁ ପ୍ରଶିକ୍ଷଣ ଦେବେ।

ଅନ୍ୟପକ୍ଷରେ ସ୍କୁଲ ଭିତ୍ତିଭୂମି ବିକାଶରେ ଯେଭଳି ଅର୍ଥ ବାଧକ ନସାଜିବ ତାକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ସାମଗ୍ରିକ ବିକାଶ କ୍ଷେତ୍ରରେ ଏଣିକି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ପାଣ୍ଠିକୁ ବିନିଯୋଗ କରାଯାଇପାରିବ। ସୋନପୁର ଜିଲାର ସମଲେଇ ଚୁଆ ସ୍କୁଲର ଭିତ୍ତିଭୂମି ବିକାଶ ସହ ବଗିଚା ଏହି ପାଣ୍ଠି ବ୍ୟବହାର କରି ସଫଳତା ପାଇବା ପରେ ରାଜ୍ୟ ସରକାର ଏଭଳି ଯୋଜନା କରିଛନ୍ତି। ଏଣିକି ମୋ’ ସ୍କୁଲ ପାଣ୍ଠି ସହ ଅର୍ଥ କମିସନ୍‌ ଓ ମନରେଗା ପାଣ୍ଠି ବିନିଯୋଗ କରି ଚାରାରୋପଣ, ବଗିଚା ସୃଷ୍ଟି, ପାଚେରି ନିର୍ମାଣ ଭଳି ଭିତ୍ତିଭୂମି ବିକାଶ କାର୍ୟ୍ୟ କରିପାରିବେ। ତେବେ ଏନେଇ ସ୍ଥାନୀୟ ବ୍ଲକ୍‌ ଉନ୍ନୟନ ଅଧିକାରୀ (ବିଡିଓ) ପ୍ରକଳ୍ପ ପାଇଁ ଅନୁମତି ଦେବେ।

ଘରୋଇ ସ୍କୁଲ ଭଳି ସରକାରୀ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ମଧ୍ୟରେ ଦୂରତା ହ୍ରାସ୍‌ ନିଷ୍ପତ୍ତି ନିଆଯାଇଛି। ସବୁ ଶ୍ରେଣୀ ଖୋଲିବା ପରେ ଶିକ୍ଷକଶିକ୍ଷୟିତ୍ରୀ ନିୟମିତ ବ୍ୟବଧାନରେ ଅଭିଭାବକଙ୍କୁ ଫୋନ୍‌ କରିବେ। ପିଲାଙ୍କ ଭଲ ମନ୍ଦ ଜଣାଇବେ। ମୋ’ ସରକାର କାର୍ୟ୍ୟକ୍ରମ ଜରିଆରେ ଏହି କାର୍ୟ୍ୟକ୍ରମ ହାତକୁ ନେବାକୁ ନିଷ୍ପତ୍ତି ନିଆଯାଇଛି। ଅଭିଭାବକଙ୍କ ତାଲିକା ଓ ଯୋଗାଯୋଗ ନମ୍ବର ସମ୍ବନ୍ଧୀୟ ଡାଟାବେସ୍‌ ବିଦ୍ୟାଳୟସ୍ତରରେ ପ୍ରସ୍ତୁତ କରାଯିବ।

kalyan agarbati

Comments are closed.