ଭୁବନେଶ୍ବର – ଜଣେ ବେକରୀ ଫାର୍ମ ମାଲିକଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରାଜ୍ୟ ଆୟକର ବିଭାଗ ଭୁବନେଶ୍ବର ଜୋନ ଚାରିର ଅତିରିକ୍ତ କମିସନର ସରିତା ବାରିକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ନିଜ କାର ଭିତରେ ସେ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ । ଭୁବନେଶ୍ବର ମଧୁସୂଦନ ନଗର ଆକାଶ ଇନଷ୍ଟିଚ୍ୟୁଟ୍ ଆଗରେ ନିଜ କାର ଭିତରେ ଏହି ଲାଞ୍ଚ ଡିଲ୍ ବେଳେ ଅତିରିକ୍ତ କମିସନର ସରିତା ବାରିକଙ୍କୁ ଧରିଛି ଦୁର୍ନୀତି ନିବାରଣ ସଂସ୍ଥା ।
ଭିଜିଲାନ୍ସର ସୂଚନା ଅନୁସାରେ ଜଣେ ବେକରୀ ଶୋରୁମ୍ ତଥା କଂପାନୀ ମାଲିକ ୨୦୨୦-୨୧ ବର୍ଷ ପାଇଁ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଉପରେ ଆୟକର ବିଭାଗ ପକ୍ଷରୁ ତାଙ୍କ ଉପରେ ଟ୍ୟାକ୍ସ ମିଶାଇ ୨ ଲକ୍ଷ ୨୭ ହଜାର ୧୪୭ ଟଙ୍କା ଜରିମନା କରାଯାଇଥିଲା । ଏହାପରେ ଆୟକର ବିଭାଗ ଏହି ଜରିମନା ଅର୍ଥ ପୈଠ କରିବାକୁ ତାଙ୍କୁ ନୋଟିସ୍ ପଠାଇଥିଲା ।
ଏଥି ପାଇଁ ବେକରୀ କଂପାନୀ ମାଲିକ ଜରିମନା ପରିମାଣ କମାଇବା ପାଇଁ ଅନୁରୋଧ କରିଥିଲେ । ଏହା ପରେ ଶ୍ରୀମତି ବାରିକ ୨୫ ହଜାର ଟଙ୍କା ଦାବି କରିଥିଲେ । ଏ ସଂପର୍କରେ ଅଭିଯୋଗକାରୀ ଭିଜିଲାନ୍ସ ଅଧିକାରୀଙ୍କୁ ଏ ସଂପର୍କରେ ଅବଗତ କରାଇଥିଲେ । ଏହା ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇ ଚଢ଼ାଉ କରିଥିଲା ଭିଜିଲାନ୍ସ । ଶ୍ରୀମତି ବାରିକଙ୍କ ଠାରୁ ଲାଞ୍ଚ ସମସ୍ତ ଟଙ୍କା ଜବତ କରିଛି ଟିମ୍ । ଏହା ସହ ତିନିଟି ଜାଗାରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ।



