ତନଖି ହେବ ଭିତ୍ତିଭୂମି ବିନିଯୋଗ ଅର୍ଥ
ଟାଟା ପାୱାର କାର୍ଯ୍ୟ ସମୀକ୍ଷା
ଭୁବନେଶ୍ୱର : ବିଦ୍ୟୁତ୍ ଭିତ୍ତିଭୂମି ସଜାଡ଼ିବା ପାଇଁ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥର ଅଡିଟ୍ କରାଯିବ। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ଙ୍କ ନିରୀକ୍ଷଣରେ ଏହି ଅଡିଟ୍ କରାଯିବ।
ବିଦ୍ୟୁତ୍ ଭିତ୍ତିଭୂମି ସଜାଡ଼ିବା ପାଇଁ ବିତରଣ କମ୍ପାନୀ ଗୁଡିକୁ ୫ ହଜାର ୬ଶହ ୪୦ କୋଟି ଟଙ୍କା ଦିଆଯାଇ ଥିବାବେଳେ ଏଯାବତ୍ ୧୯୦୯.୦୩ କୋଟି ଟଙ୍କା ବିନିଯୋଗ କରାଯାଇଛି। ଖର୍ଚ୍ଚ ହୋଇଥିବା ଏହି ଟଙ୍କା ଉପରେ ଓଇଆରସିଙ୍କ ତତ୍ତ୍ବାବଧାନରେ ତୃତୀୟ ପକ୍ଷ ଅଡିଟ୍ କରିବ। ପୂର୍ବରୁ ଓଇଆରସିଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଳେ ଏହାକୁ କେବେ କାର୍ଯ୍ୟକାରୀ କରାଯିବ ତା’ ଉପରେ ନଜର ରହିଥିଲା। ଚଳିତ ବର୍ଷ ଗ୍ରୀଷ୍ମଋତୁରେ ସାରା ରାଜ୍ୟରେ ବିଦ୍ୟୁତ୍ ଘନଘନ କାଟ୍ ହେବାରୁ ସାଧାରଣ ଲୋକ ନାହିଁ ନ ଥିବା ସମସ୍ୟାରେ ପଡ଼ିଥିଲେ। ଏହାକୁ ନେଇ ଶକ୍ତିମନ୍ତ୍ରୀ ବିଦ୍ୟୁତ୍ ଭିତ୍ତିଭୂମି ଦୁର୍ବଳ ଯୋଗୁଁ ବିଦ୍ୟୁତ୍ ବିଭ୍ରାଟ ହେଉଥିବା କହିଥିଲେ। ଚଳିତ ବର୍ଷ ଯେଉଁଭଳି ଭାବେ ବିଦ୍ୟୁତ୍ ବିଭ୍ରାଟ ହୋଇଥିଲା ଆସନ୍ତାବର୍ଷ ଏହାର ପୁନରାବୃତ୍ତି ଯେପରି ନ ହୁଏ ସେନେଇ ଓଇଆରସି ଟାଟା ପାୱାରକୁ ବୈଠକରେ ତାଗିଦ୍ କରିଛନ୍ତି। ଟାଟା ପାୱାର ବାର୍ଷିକ ପ୍ରଦର୍ଶନୀ ସମୀକ୍ଷାରେ ସେବା ସୁଧାରିବାକୁ ଓଇଆରସି ପକ୍ଷରୁ କମ୍ପାନୀକୁ କୁହାଯାଇଛି। ପ୍ରତି ମାସରେ ୪ ବିଦ୍ୟୁତ୍ ବିତରଣ କମ୍ପାନୀର କାର୍ଯ୍ୟ ଦକ୍ଷତା ଉପରେ ମଣ୍ଡଳ ସ୍ତରରେ ତନଖି କରାଯାଇ ଓଇଆରସିଙ୍କୁ ବିବରଣୀ ପ୍ରଦାନ କରାଯିବ। ଏଥିପାଇଁ ନିର୍ଦେଶକ ସ୍ତରୀୟ ୪ଜଣ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇ ଥିବାବେଳେ ଟାଟା ପାୱାର କାର୍ଯ୍ୟ ନିଜେ ଓଇଆରସି ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଓଇଆରସି ନିର୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ, ନିର୍ଦିଷ୍ଟ ସମୟ ଭିତରେ କାମ
ସାରିବାକୁ କମ୍ପାନୀକୁ ନିର୍ଦେଶ ଦିଆଯାଇଛି। ଆଗକୁ ପ୍ରତି ମାସରେ ବରିଷ୍ଠ ଅଧିକାରୀ ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀ ବୁଲି ଟାଟା ପାୱାର କାର୍ଯ୍ୟର ସମୀକ୍ଷା କରିବେ। ଭିତ୍ତିଭୂମି ସଜାଡିବା ସହ ଫିଡର ମିଟରିଂ, ଟ୍ରାନ୍ସଫର୍ମ ମିଟରିଂ ସଜଡା କାମ ସାରିବାକୁ କୁହାଯାଇଛି। ଏନେଇ ଟାଟା ପାୱାର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଅରବିନ୍ଦ ସିଂ କହିଛନ୍ତି, ଚଳିତବର୍ଷ ଗ୍ରୀଷ୍ମଋତୁରେ ୨୩୭ ଥର କାଳବୈଶାଖୀ ଯୋଗୁଁ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ହୋଇଥିଲା। ବିତରଣ ବ୍ୟବସ୍ଥାରେ ସୁଧାର ପାଇଁ ଚେଷ୍ଟା କରାଯାଉଛି। ଆସନ୍ତାବର୍ଷକୁ ନେଇ ଓଇଆରସିଙ୍କ ପକ୍ଷରୁ ଯେଉଁ ନିର୍ଦେଶ ରହିଛି ତାକୁ ପୂରଣ କରିବା ଲାଗି କାମ କରିବୁ। ବର୍ତ୍ତମାନ ହାତରେ ଥିବା ଭିତ୍ତିଭୂମିକୁ ନେଇ ମଧ୍ୟ କାମ କରାଯାଉଛି।
ଗତ ୨୦୨୦ରୁ ଓଡ଼ିଶାର ୪ଟି ବିଦ୍ୟୁତ୍ ବିତରଣ କମ୍ପାନୀର ୫୧% ଅଂଶଧନ ଟାଟା ପାୱାରକୁ ପର୍ଯ୍ୟାୟକ୍ରମେ ଓଇଆରସିଙ୍କ ଆଦେଶ ବଳରେ ଦିଆଯାଇଛି। ବିଦ୍ୟୁତ୍ ବିତରଣ କମ୍ପାନୀ ଅଧିଗ୍ରହଣ କରିବା ଦିନଠାରୁ ୫ବର୍ଷ ମଧ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ଉନ୍ନତି ସକାଶେ ଅର୍ଥ ବିନିଯୋଗ କରିବେ। ଯାହାଦ୍ବାରା ବିଦ୍ୟୁତ୍ ଉପଭୋକ୍ତା ଉନ୍ନତମାନର ବିଦ୍ୟୁତ୍ ସେବା ପାଇପାରିବେ। ଏପର୍ଯ୍ୟନ୍ତ ବିଦ୍ୟୁତ୍ ବିତରଣ କମ୍ପାନୀ ଆବଶ୍ୟକ କରୁଥିବା ୫ ହଜାର ୬୪୦ କୋଟିରୁ ୧୯୦୯.୦୩ କୋଟି ଟଙ୍କା ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା ବିନିଯୋଗ କରିଛନ୍ତି। ଓଇଆରସି ମଧ୍ୟ ବିଦ୍ୟୁତ୍ କମ୍ପାନୀଙ୍କ ବିତରଣ ଜନିତ କ୍ଷତିକୁ ନିର୍ଦ୍ଧାରିତ ହାରରେ କମାଇବା ପାଇଁ ସର୍ତ୍ତ ରଖିଛନ୍ତି। ଓଇଆରସି ବିଦ୍ୟୁତ୍ ବିତରଣ ଶୁଳ୍କ ଅଧିନିୟମ-୨୦୨୨ ସହିତ ବିଦ୍ୟୁତ୍ ଯୋଗାଣ ଅଧିନିୟମ-୨୦୧୯ ଜାରି କରିଛି। ‘ଟିପିଏନଓସିଏଲ’ କାର୍ଯ୍ୟ ଦକ୍ଷତା ଉପରେ ଗୁରୁବାର ଓଇଆରସି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।
Comments are closed.