www.samajalive.in
Thursday, December 11, 2025
14.1 C
Bhubaneswar

ପନ୍ତ୍, ସାର୍ଦ୍ଦୁଳଙ୍କ ଅର୍ଦ୍ଧଶତକ ; ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୩୬୮

ଓଭାଲ୍‌ : ଚଳିତ ୪ର୍ଥ ଟେଷ୍ଟମ୍ୟାଚ୍‌ରେ ପ୍ରଥମ ଇନିଂସରେ ନୈରାଶ୍ୟ ଜନକ ବ୍ୟାଟିଂ କରିଥିବା ଭାରତ ୨ୟ ଇନିଂସରେ ବ୍ୟାଟିଂରେ ବହୁତ ଉନ୍ନତ ପ୍ରଦର୍ଶନ କରିଛି। ଫଳରେ ଏକଦା ପ୍ରଥମ ଇନିଂସ​ରେ ‌୯୯ ରନ୍ ଆଗରେ ଥିବା ଇଂଲଣ୍ଡକୁ ଏବେ ମ୍ୟାଚ୍‌ ବଞ୍ଚାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି । ୫ମ ଦିନ ପିଚ୍‌ରେ ; ପୁଣି ପାଖାପାଖି ୧୨୦ ଓଭରରେ ୩୬୮ ରନ୍‌ କରିବା ଇଂଲଣ୍ଡ ପାଇଁ ନିଶ୍ଚୟ କଷ୍ଟସାଧ୍ୟ । ତେବେ ଓଭାଲ୍‌ର ପିଚ୍‌ ବ୍ୟାଟିଂ ସହାୟକ ହୋଇଥିବା ବେଳେ ଇଂଲଣ୍ଡ ପାଖରେ ମ୍ୟାଚ୍‌ ଅମୀମାଂସିତ ରଖିବାର ସୁଯୋଗ ରହିଛି । ଭାରତୀୟ ୨ୟ ଇନିଂସରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା । ରବିବାର ୪ର୍ଥ ଦିନରେ ଋଷଭ ପନ୍ତ୍ ଓ ସାର୍ଦ୍ଦୁଳ ଠାକୁର ଅର୍ଦ୍ଧଶତକ ମାରିଥିଲେ । ଫଳରେ ଭାରତ ୨ୟ ଇନିଂସରେ ୪୬୬ ରନ୍‌କରି ସମସ୍ତ ୱିକେଟ ହରାଇଥିଲା। ୩୬୮ ରନ୍ ଲକ୍ଷ୍ୟରେ ଇଂଲଣ୍ଡ ୨ୟ ଇନିଂସରେ ସର୍ବଶେଷ ସମ୍ବାଦ ମିଳିବା ବେଳକୁ ଇଂଲଣ୍ଡ ବିନା ୱିକେଟରେ ୫୦ ରନ୍ କରିପାରିଛି। ଦୁଇ ଓପ୍‌ନର ରୋରି ବର୍ନସ ୨୪ ଓ ହସିବ୍ ହମିଦ୍ ୨୩ ରନ୍‌କରି କ୍ରିଜ୍‌ରେ ସଂଘର୍ଷ ଜାରି ରଖିଛନ୍ତି ।
୩ୟ ଦିନ‌‌ ଶେଷରେ ଭାରତ ୨ୟ ଇନିଂସରେ ୩ ୱିକେଟ ହରାଇ ୨୭୦ ରନ୍ କରିଥିଲା । ଶନିବାର ୪ର୍ଥ ଦିନର ପ୍ରଥମ ଘଣ୍ଟାରେ ଭାରତ କୌଣସି ୱିକେଟ ହରାଇନଥିଲା। ଅଧିନାୟକ ବିରାଟ କୋହଲି ଓ ଭାରତର ନୂଆ ୫ନଂ ବ୍ୟାଟ୍‌ସମ୍ୟାନ୍ ରବୀନ୍ଦ୍ର ଜାଡ଼େଜା ୪ର୍ଥ ୱିକେଟ ପାଇଁ ୫୯ ରନ୍‌ ଯୋଡ଼ିଥିଲେ। ପରେ କ୍ରିସ୍ ୱକ୍‌ସ ଲାଗଲାଗ ୨ଟି ୱିକେଟ ନେଇ ଯାଇଥିଲେ। ଜାଡ଼େଜା ୧୭ ରନ୍‌ କରିଥିଲେ। ତାଙ୍କ ଖରାପ ଫର୍ମ ବଜାୟରଖି ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। କିଛି ଓଭର ପରେ ବିରାଟ କୋହଲି ମଧ୍ୟ ଜଲ୍‌ଦି ଆଉଟ ହୋଇଥିଲେ। କୋହଲି ୯୬ ବଲ୍‌ରୁ ୭ଟି ଚୌକା ସହ ୪୪ ରନ୍‌ କରିଥିଲେ। ଭୋଜନ ବିରତି ପୂର୍ବରୁ ଇଂଲଣ୍ଡ ୩ଟି ୱିକେଟ ନେବା ପରେ ଭାରତର ସ୍କୋର୍ ୬/୩୧୨ ରନ୍ ହୋଇ ଯାଇଥିଲା। ଏପରି ସ୍ଥିତିରୁ ଭାରତ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ ଋଷଭ ପନ୍ତ୍ ଓ ସାର୍ଦ୍ଦୁଳ ଠାକୁର। ଦୁହେଁ ରକ୍ଷଣାତ୍ମକ ବ୍ୟାଟିଂକରିବା ବଦଳରେ ଆକ୍ରମଣ କରିଥିଲେ। ଦୁହେଁ ମାତ୍ର ୨୬ ଓଭରରେ ୭ମ ୱିକେଟ ପାଇଁ ୧୦୦ ରନ୍ ଯୋଗ କରିଥିଲେ। ତେବେ ୨ ରନ୍ ମଧ୍ୟରେ ଦୁହେଁ ଆଉଟ ହୋଇ ଯାଇଥିଲେ। ସାର୍ଦ୍ଦୁଳ ଠାକୁର ଆକ୍ରମଣ କରି ୭୨ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୬୦ ରନ୍‌କରି ଆଉଟ ହୋଇଥିଲେ। ଚଳିତ ମ୍ୟାଚ୍‌ରେ ଏହା ସାର୍ଦ୍ଦୁଳଙ୍କ ୨ୟ ଅର୍ଦ୍ଧଶତକ। ପରେ ବାମହାତି ଋଷଭ ପନ୍ତ୍ ୧୦୬ ବଲ୍‌ରୁ ୪ଟି ଚୌକା ସହ ୫୦ ରନ୍ କରିଥିଲେ। ପରେ ଉମେଶ ଯାଦବ ଓ ଯଶପ୍ରୀତ ବୁମ୍‌ରା ମଧ୍ୟ ଆକ୍ରମଣ ଜାରି ରଖିଥିଲେ। ଦୁହେଁ ୯ମ ୱିକେଟ ପାଇଁ ମୂଲ୍ୟବାନ ୩୬ ରନ୍ ଯୋଡ଼ିଥିଲେ। ବୁମ୍‌ରା ୩୮ ବଲ୍‌ରୁ ୪ଟି ଚୌକା ସହ ୨୪ ଏବଂ ଉମେଶ ୨୩ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୫ ରନ୍‌ କରିଥିଲେ। କ୍ରିସ୍ ୱକ୍‌ସ ୩ଟି ଏବଂ ଓଲି ରବିନ୍‌ସନ ଓ ମୋଇନ୍ ଅଲୀ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories