ସବୁଠୁ ଡେଙ୍ଗା ପୁଲିସ ଅଫିସର

0

ପଞ୍ଜାବ : ଜଗଦୀପ ସିଂହ, ବିଗତ ୧୮ ବର୍ଷ ଧରି ପଞ୍ଜାବ ପୁଲିସ୍ ବିଭାଗରେ କାର୍ଯ୍ୟରତ ଏହି ଅଫିସର୍‌ଜଣକ ବିଶ୍ବର ସବୁଠୁ ଡେଙ୍ଗା ପୁଲିସ୍ ଭାବେ ପରିଚିତ। ଯଦିଓ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍‌ରେ ତାଙ୍କ ନାମ ଘୋଷଣା କରାଯାଇନାହିଁ, ହେଲେ ଏକ ଇଉରୋପୀୟ ସଂସ୍ଥା ତାଙ୍କୁ ସବୁଠୁ ଡେଙ୍ଗା ପୁଲିସ୍‌ର ମାନ୍ୟତା ଦେଇଛି। ୭ ଫୁଟ୍ ୬ ଇଞ୍ଚ ଲମ୍ବର ଜଗଦୀପଙ୍କୁ ସ୍ଥାନୀୟ ଅଞ୍ଚଳରେ ଜଣେ ସେଲବ୍ରିଟି ପରି ସମ୍ମାନ ମିଳିଥାଏ। ୧୯ ନମ୍ବର ସାଇଜ୍‌ର ଜୋତା ପିନ୍ଧୁଥିବା ଏହି ବ୍ୟକ୍ତିଙ୍କ ଓଜନ ୧୯୦ କିଲୋ। ପାଖଆଖର ଲୋକଙ୍କଠାରୁ ଆରମ୍ଭ କରି ଅନ୍ୟ ଅଞ୍ଚଳକୁ ଭ୍ରମଣ କରିବାକୁ ଗଲେ ମଧ୍ୟ ଲୋକେ ତାଙ୍କ ସେଲ୍‌ଫି ଉଠାଇବାକୁ ପଛାନ୍ତି ନାହିଁ। ତାଙ୍କ ମତରେ ବିଶ୍ବର ସବୁଠୁ ଡେଙ୍ଗା ପୁଲିସ୍ ଭାବେ ପରିଚିତ ହେବା ତାଙ୍କ ପାଇଁ ନିହାତି ଭାବେ ଗର୍ବର ବିଷୟ। ନିଜ ଖାଦ୍ୟପେୟ ସଂକ୍ରାନ୍ତରେ ସେ କହିଛନ୍ତି ଅନ୍ୟମାନଙ୍କ ଭଳି ମଧ୍ୟ ସେ ନିୟମିତ ଅଣ୍ଡା, ଚିକେନ୍, ଖିର ଖାଇଥାନ୍ତି। ଅବଶ୍ୟ ସେସବୁର ପରିମାଣ ନିଶ୍ଚିତ ଭାବେ ଅଧିକ। ପୁଅର ଏହି ବିଶେଷ ଗୁଣ ସମ୍ପର୍କରେ ମା’ ଗୁରଶିନ୍ଦର କହିଛନ୍ତି, ଈଶ୍ବରଙ୍କ ଏହା ବରଦାନ। ଜନ୍ମରୁ ହିଁ ଜଗଦୀପର ଉଚ୍ଚତା ଅନ୍ୟ ଶିଶୁଙ୍କ ତୁଳନାରେ ଲମ୍ବା ଥିଲା। ପରେ ଉତ୍ତମ ଖାଦ୍ୟପେୟ ଓ ତତ୍ତ୍ବାବଧାନରେ ରହିବା କାରଣରୁ ତାଙ୍କ ପୁଅର ଉଚ୍ଚତା ବରଂ ବଢ଼ିଚାଲିଥିଲା। ଏତେ ଅଧିକ ଉଚ୍ଚତା କାରଣରୁ ଜଗଦୀପ ନିଜ ୟୁନିଫର୍ମକୁ ବରାଦ୍ ଦେଇ ତିଆରି କରନ୍ତି। ଦୋକାନରେ ତାଙ୍କ ସାଇଜ୍‌ର ପୋଷାକ ମିଳେନାହିଁ। ବିଶେଷ କରି ଅନ୍ୟ ସହରକୁ ଭ୍ରମଣରେ ଗଲେ, ସେ ଖୁବ୍ ହଇରାଣ ହେଉଥିବାର କହିଛନ୍ତି। କାରଣ ଖଟରେ ଶୋଇବା ଓ ଶୌଚାଳୟ ଯିବା ତାଙ୍କ ନିମନ୍ତେ ସବୁଠୁ ବଡ଼ ମୁସ୍କିଲ୍ ହୋଇଯାଏ। ୩୫ ବର୍ଷୀୟ ଜଗଦୀପଙ୍କ ବିବାହ ପାଇଁ ମଧ୍ୟ ତାଙ୍କ ପରିବାର ଲୋକେ ନାକେଦମ୍ ହୋଇଯାଇଥିଲେ। ୨୭ ବର୍ଷ ବୟସରେ ତାଙ୍କ ନିମନ୍ତେ କନ୍ୟା ଖୋଜା ଆରମ୍ଭ ହୋଇଥିଲା ଓ ୫ ବର୍ଷ ପରେ ତାଙ୍କ ମନଲାଖି ଝିଅଟିଏ ମିଳିଲା। ଜଗଦୀପଙ୍କ ପତ୍ନୀ ସୁଖବୀରଙ୍କ ଉଚ୍ଚତା ହେଉଛି ୫ ଫୁଟ୍ ୧୧ ଇଞ୍ଚ। ସ୍ବାମୀ-ସ୍ତ୍ରୀ ଏକାଠି ଯୁଆଡ଼େ ଯାଆନ୍ତି, ସେମାନଙ୍କୁ ସେଲବ୍ରିଟି ପରି ସମ୍ମାନ ମିଳୁଥିବାର ପ୍ରକାଶ।

Leave A Reply