www.samajalive.in
Saturday, December 13, 2025
23.1 C
Bhubaneswar

ଅକ୍ଟୋବରରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ସହଜ ନୁହେଁ : ବିସିସିଆଇ

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନର କାର୍ଯ୍ୟକ୍ରମ ରହିଛି। ତେବେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବରରେ ବିଶ୍ବକପ୍‌ ଆୟୋଜନ ସହଜ ନୁହେଁ ବୋଲି ବିସିସିଆଇର ଜନୈକ ଅଧିକାରୀ ମତ ଦେଇଛନ୍ତି।
ସୂଚନାଥାଉକି ଗତ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ତରଫରୁ ବିଭିନ୍ନ ଦେଶର କ୍ରିକେଟ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ସଂପର୍କରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିନଥିଲା।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ଆସନ୍ତା ଅକ୍ଟୋବରରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅଷ୍ଟ୍ରେଲିଆରେ ଆୟୋଜିତ ହୋଇପାରିବ ବୋଲି ସେ ଭାବୁ ନାହାନ୍ତି। ଏହା ପଛରେ ଅନେକ କାରଣ ରହିଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବିଶ୍ବବ୍ୟାପୀ କ୍ରିକେଟ୍‌ ପ୍ରତିଯୋଗିତା ବନ୍ଦ ରହିଥିବା ବେଳେ ଅକ୍ଟୋବର ବେଳକୁ ପରିସ୍ଥିିତିରେ କେତେ ଉନ୍ନତି ଆସିଥିବା ତାହା କହିବା କଷ୍ଟକର। ସେହିପରି ବିଭିନ୍ନ ଦେଶର ସରକାର ବିମାନ ଚଳାଚଳ ଉପରେ କଟକଣା ଜାରି ରଖିଥିବା ବେଳେ ଏହା କେବେ ଉଠିବ ତାହା କେହି କହି ପାରୁ ନାହାନ୍ତି। ତେଣୁ ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବରରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ ନେଇ ଆଶଙ୍କା ରହିଛି।
ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାଗ ନେବାକୁ ବିଭିନ୍ନ ଦେଶର କ୍ରିକେଟର୍‌ ଓ ସପୋର୍ଟ ଷ୍ଟାଫ୍‌ମାନେ ଅଷ୍ଟ୍ରେଲିଆ ଗସ୍ତ କରିବେ। ଆଇସିସି ଓ କ୍ରିକେଟ୍‌ ଅଷ୍ଟ୍ରେଲିଆ ସେମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଗ୍ୟାରେଣ୍ଟି ଦେବ କି ବୋଲି ବିସିସିଆଇ ଅଧିକାରୀଜଣକ ପ୍ରଶ୍ନ ଉଠାଇଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କେତେକ ଦେଶର କ୍ରିକେଟ୍‌ ବୋର୍ଡ ସେମାନଙ୍କ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ଅନିଚ୍ଛା ପ୍ରକାଶ କଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସଂପୃକ୍ତ ଅଧିକାରୀ ଜଣକ ସ୍ପଷ୍ଟ କରି ଦେଇଛନ୍ତି।
ସେହିପରି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦେଖିବାକୁ ଷ୍ଟାଡ଼ିୟମରେ ବହୁସଂଖ୍ୟକ ଦର୍ଶକ ଉପସ୍ଥିତ ରହିବାକୁ ଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଗୁରୁତର ସମସ୍ୟା ସୃଷ୍ଟି ହୋଇପାରେ ବୋଲି ବିସିସିଆଇ ଅଧିକାରୀଜଣକ ଆଶଙ୍କାବ୍ୟକ୍ତ କରିଛନ୍ତି। ଯଦି ଦର୍ଶକଙ୍କ ସ୍ବାସ୍ଥ୍ୟ ପ୍ରତି କୌଣସି ବିପଦ ଦେଖାଦିଏ ତେବେ ଆଇସିସି କିମ୍ବା କ୍ରିକେଟ୍‌ ଅଷ୍ଟ୍ରେଲିଆ ଦୋଷ ନିଜ ମୁଣ୍ଡକୁ ନେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ଅଷ୍ଟ୍ରେଲିଆ ସରକାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଭଳି ଏକ ବୃହତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅନୁମତି ଦେବେ କି ବୋଲି ଅଧିକାରୀଜଣକ ପ୍ରଶ୍ନ କରିଛନ୍ତି। ଫାଙ୍କା ଷ୍ଟାଡ଼ିୟମ କିମ୍ବା ସାମାଜିକ ଦୂରତା ରକ୍ଷା କରାଯାଇ ଅଳ୍ପ ଦର୍ଶକଙ୍କୁ ଷ୍ଟାଡ଼ିୟମରେ ଉପସ୍ଥିତ ରହିବାକୁ ଅନୁମତି ପ୍ରଦାନ କରାଗଲେ ଏଥିଯୋଗୁଁ ଯେଉଁ ଆର୍ଥିକ କ୍ଷତି ହେବ ତାହା ସମ୍ଭାଳିବାକୁ କ୍ରିକେଟ୍‌ ଅଷ୍ଟ୍ରେଲିଆ କେତେଦୂର ସକ୍ଷମ ସେ ସଂପର୍କରେ ମଧ୍ୟ ଚିନ୍ତା କରିବାକୁ ପଡ଼ିବ ବୋଲି ଅଧିକାରୀଜଣକ ମତ ଦେଇଛନ୍ତି।
ସୂଚନାଥାଉକି କିଛିଦିନ ତଳେ ଅଷ୍ଟ୍ରେଲିଆ କ୍ରିକେଟର୍‌ ଗ୍ଲେନ୍‌ ମ୍ୟାକ୍‌ସୱେଲ୍ ଫାଙ୍କା ଷ୍ଟାଡ଼ିୟମରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ପ୍ରସ୍ତାବକୁ ବିରୋଧ କରିଥିଲେ। ଫାଙ୍କା ଷ୍ଟାଡ଼ିୟମରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ ହେଲେ କ୍ରିକେଟ୍‌ ଅଷ୍ଟ୍ରେଲିଆ ବ୍ୟାପକ କ୍ଷତି ସହିବ ବୋଲି ସେ ମତ ଦେଇଥିଲେ। କ୍ରିକେଟ୍‌ ଅଷ୍ଟ୍ରେଲିଆର ଆର୍ଥିକ ସ୍ଥିତି ବିସିସିଆଇ ଭଳି ଶକ୍ତିଶାଳୀ ହୋଇନଥିବାରୁ ଫାଙ୍କା ଷ୍ଟାଡ଼ିୟମୟରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ୍ ଦଳର ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ନିଜ ପ୍ରତିକ୍ରିୟାରେ କହିଥିଲେ ବର୍ତ୍ତମାନ ବିଶ୍ବବ୍ୟାପୀ ଯେପରି ପରିସ୍ଥିତି ରହିଛି ତାହାକୁ ଦୃଷ୍ଟିରେ ରଖି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ୩ ମାସ ଘୁଞ୍ଚାଇ ଦେବାରେ କୌଣସି ଅସୁବିଧା ନାହିଁ। ଅନ୍ୟପକ୍ଷରେ କ୍ରିକେଟ୍‌ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେଭିନ୍‌ ରୋବର୍ଟସ୍‌ ନିଜ ପ୍ରତିକ୍ରିୟାରେ କହିଥିଲେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇ ନାହିଁ। କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ଆଇସିସି, ସ୍ଥାନୀୟ ଆୟୋଜକ କମିଟି ସହ ଯୋଗାଯୋଗ ରକ୍ଷା କରାଯାଉଛି ଏବଂ ଖୁବ୍‌ଶୀଘ୍ର ସ୍ପଷ୍ଟ ଚିତ୍ର ମିଳିଯିବ।

Hot this week

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

ନବମ ଶ୍ରେଣୀ ଛାତ୍ରଙ୍କଠୁ ବନ୍ଧୁକ ଜବତ

କେନ୍ଦ୍ରାପଡା : କେନ୍ଦ୍ରାପଡା କୁଦାନଗିରି ଥାନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ...

Related Articles

Popular Categories