ରୁଷରେ ଅଛନ୍ତି ସିରିଆ ରାଷ୍ଟ୍ରପତି, କାଲି ଦେଶ ଛାଡି ପଳାଇଥିଲେ
ଦାମାସ୍କସ୍ : ରୁଷରେ ଅଛନ୍ତି ସିରିଆ ରାଷ୍ଟ୍ରପତି ବଶର୍ ଅଲ୍ ଅସଦ୍। ରବିବାର ଦେଶ ଛାଡି ପଳାଇବା ପରେ ସେ ରୁଷିଆରେ ଶରଣ ନେଇଛନ୍ତି। ବଶର ଅଲ୍ ଅସଦଙ୍କ ସହ ତାଙ୍କ ପରିବାରକୁ ରାଜନୈତିକ ଶରଣ ଦେଇଛନ୍ତି ପୁତିନ୍। ଆଫଗାନିସ୍ତାନ, ବାଂଲାଦେଶ ପରେ ଏବେ ସିରିଆରେ ଶାସକଙ୍କ ଗାଦିଚ୍ୟୁତ ହୋଇଛି। ରାଷ୍ଟ୍ରପତିଙ୍କ ପଳାୟନ ପରେ ଦାମାସ୍କସକୁ ବିଦ୍ରୋହୀମାନେ ନିଜ ଦଖଲକୁ ନେଇଛନ୍ତି ବିଦ୍ରୋହୀଙ୍କ ଆଗମନ ପୂର୍ବରୁ ରାଷ୍ଟ୍ରପତି ବଶର ଅଲ୍-ଆସାଦ ଦେଶ ଛାଡି ପଳାଇଥିଲେ।
ଦାମାସ୍କସ୍ ବାସିନ୍ଦାମାନେ ରାଜରାସ୍ତାକୁ ଓହ୍ଲାଇ ଆସି ବିଜୟ ଉତ୍ସବ ପାଳନ କରୁଥିବାବେଳେ ବିଦ୍ରୋହୀମାନେ ଫାଙ୍କା ଗୁଳିଚାଳନା କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଅପରପକ୍ଷରେ ବିଦ୍ରୋହୀମାନେ ରାଷ୍ଟ୍ରପତି ଭବନରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଥିବା ଜଣାପଡିଛି। ଏଥିସହିତ ଦୀର୍ଘ ୫୦ ବର୍ଷ ଧରି ସିରିୟାରେ ଚାଲିଥିବା ବାଥ୍ ପାର୍ଟିର ଏକଛତ୍ରବାଦ ଶାସନର ପରିସମାପ୍ତି ଘଟିଛି। ଆସାଦଙ୍କ ପିତା ହାଫିଜ ଅଲ୍-ଆସାଦ ୧୯୭୧ରୁ ୨୦୦୦ ପର୍ଯ୍ୟନ୍ତ ସିରିୟା ରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିଥିବାବେଳେ ଆସାଦ ୨୦୦୦ରୁ ତାଙ୍କର ଉତ୍ତରାଧିକାରୀଭାବେ କାର୍ଯ୍ୟ କରିଆସୁଥିଲେ। ବର୍ତ୍ତମାନ ସିରିୟାରେ ଅନ୍ତରୀଣ ସରକାର ଗଠନ କରାଯିବ ବୋଲି ହାୟାତ୍ ନେତା ଅବୁ ମହମ୍ମଦ ଅଲ୍-ଗୋଲାନି ଘୋଷଣା କରିଛନ୍ତି। ସିରିୟା ପ୍ରଧାନମନ୍ତ୍ରୀ ମହମ୍ମଦ ଅଲ୍-ଜଲାଲି କହିଛନ୍ତି ଯେ ବିଦ୍ରୋହୀଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇବାକୁ ସେ ପ୍ରସ୍ତୁତ ଅଛନ୍ତି।
ସୂଚନାଯୋଗ୍ୟ ରୁଷ୍ ଓ ଇରାନ ସମେତ ଲେବାନନ୍ରେ ସକ୍ରିୟ ଥିବା ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ଆସାଦଙ୍କୁ ପୂର୍ଣ୍ଣ ସମର୍ଥନ କରୁଥିବାବେଳେ ବିଦ୍ରୋହୀଙ୍କୁ ଦମନ କରିବାକୁ ସିରିୟା ସେନାକୁ ଅସ୍ତ୍ରଶସ୍ତ୍ର ଓ ପାଣ୍ଠି ଯୋଗାଇ ଆସୁଥିଲେ। ଅପରପକ୍ଷରେ ହାୟାତ୍ ବିଦ୍ରୋହୀଙ୍କୁ ତୁର୍କୀ ଓ ଆମେରିକା ପକ୍ଷରୁ ଆବଶ୍ୟକ ସମର୍ଥନ ମିଳିଥିଲା। ଆସାଦଙ୍କ ଶାସନକାଳରେ ସିରିୟାରେ ଏକପ୍ରକାର ଅରାଜକତା ଦେଖିବାକୁ ମିଳିଥିଲା। ୨୦୧୧ରେ ପ୍ରଥମେ ଆସାଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ପରବର୍ତ୍ତୀ ସମୟରେ ଏହା ଗୃହଯୁଦ୍ଧର ରୂପ ଧାରଣ କରିଥିଲା। ଏହି ଗୃହଯୁଦ୍ଧରେ ପ୍ରାୟ ୫ ଲକ୍ଷ ଲୋକଙ୍କର ପ୍ରାଣହାନି ଘଟିଥିବାବେଳେ ୬୦ ଲକ୍ଷ ଲୋକ ଶରଣାର୍ଥୀ ପାଲଟିଥିବା ଜଣାପଡିଛି। ରୁଷ୍ ବର୍ତ୍ତମାନ ୟୁକ୍ରେନ ବିରୋଧୀ ଯୁଦ୍ଧରେ ବ୍ୟସ୍ତ ରହିଥିବା ଏବଂ ଇରାନରେ ଆଭ୍ୟନ୍ତରୀଣ ସମସ୍ୟା ଲାଗି ରହିଥିବାରୁ ଏହି ଅଭିଯାନରେ ସେମାନେ ଆସାଦଙ୍କୁ ଆବଶ୍ୟକ ସହଯୋଗ କରିପାରିନାହାନ୍ତି।
ଏପରିକି ବିଗତ ଏକ ସପ୍ତାହ ମଧ୍ୟରେ ବିଦ୍ରୋହୀମାନେ ଆଲେପ୍ପୋ, ହାମା ଓ ହୋମ୍ସ ଭଳି ଗୁରୁତ୍ବପୂର୍ଣ୍ଣ ସହର ଦଖଲ କରିଥିବାବେଳେ ରବିବାର ରାଜଧାନୀକୁ କବ୍ଜା କରିପାରିଛନ୍ତି। ୨୦୧୫ରେ ରୁଷ୍ ଆସାଦଙ୍କୁ ସମର୍ଥନ ଜଣାଇବା ପରେ ସିରିୟାରେ ଅରାଜକତା ବହୁମାତ୍ରାରେ ବୃଦ୍ଧି ପାଇଥିଲା। ଫଳରେ ସିରିୟାରୁ ସହସ୍ରାଧିକ ଲୋକ ଗ୍ରୀସ୍ ଓ ଅନ୍ୟ ୟୁରୋପୀୟ ରାଷ୍ଟ୍ରକୁ ପଳାୟନ କରିଥିଲେ। ତୁର୍କୀରେ ବର୍ତ୍ତମାନ ୩୦ ଲକ୍ଷ ସିରିୟା ଶରଣାର୍ଥୀ ବାସ କରୁଛନ୍ତି।
Comments are closed.