www.samajalive.in
Sunday, December 14, 2025
26.1 C
Bhubaneswar

ଶତାବ୍ଦୀର ସନ୍ଥ ସ୍ବାମୀ କୃଷ୍ଣାନନ୍ଦ

ଭାରତବର୍ଷର ସାଧୁ ସମାଜରେ ଏକାଧିକ ସ୍ବାମୀ କୃଷ୍ଣାନନ୍ଦଙ୍କ ନାମ ଶୁଣାଯାଏ। ଆମର ଆଲୋଚ୍ୟ ସ୍ବାମୀ କୃଷ୍ଣାନନ୍ଦ ସରସ୍ବତୀ ମହାରାଜ ହେଉଛନ୍ତି ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସ୍ବାମୀ ଶିବାନନ୍ଦ ସରସ୍ବତୀ ମହାରାଜଙ୍କ ଅନ୍ୟତମ ମୁଖ୍ୟ ଶିଷ୍ୟ। ୧୯୨୨ ମସିହା ଏପ୍ରିଲ ମାସ ୨୫ ତାରିଖରେ ଦକ୍ଷିଣ ଭାରତର କର୍ଣ୍ଣାଟକ ରାଜ୍ୟର ଏକ ଧର୍ମନିଷ୍ଠ ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ପିତାମାତାଙ୍କ ସହ ସେ ଏକାଧିକ ତୀର୍ଥକ୍ଷେତ୍ର ଭ୍ରମଣ କରିବାର ସୁଯୋଗ ଲାଭ କରିଥିଲେ। ତିରୁପତିଠାରେ ଭେଙ୍କଟେଶ୍ବର ଭଗବାନଙ୍କୁ ଦର୍ଶନ ସମୟରେ ସ୍ନେହମୟୀ ଜନନୀଙ୍କ କଣ୍ଠରୁ ଉଚ୍ଚାରିତ ସଂସ୍କୃତ ଭାଷାର ପ୍ରାର୍ଥନା ତାଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିଲା। ତାଙ୍କର ପିତୃମାତୃଦତ୍ତ ନାମ ଥିଲା ସୁବା ରାଓ। ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିବାରୁ ଇଂରାଜୀ ଭାଷା ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହେଲା। ଏଣେ ସଂସ୍କୃତ ଭାଷା ପ୍ରତି ମମତା ପୂର୍ବରୁ ଜନ୍ମିଥିଲା। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ତାଙ୍କୁ ନାନା ପ୍ରକାର ପୁସ୍ତକ ଉପହାର ସ୍ବରୂପ ପ୍ରଦାନ କରି ଭାରତୀୟ ପ୍ରାଚୀନ ବିଦ୍ୟା ଆହରଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ।

ଏହି ପ୍ରୋତ୍ସାହନ ପରବର୍ତ୍ତୀ କାଳରେ ବିଦ୍ୟାର୍ଥୀ ସୁବରାଓଙ୍କୁ ସଂସ୍କୃତ ବେଦାନ୍ତ ଶାସ୍ତ୍ର ଅଧ୍ୟୟନ କରିବା ଦିଗରେ ଅଗ୍ରସର କରାଇଥିଲା। ଅଧ୍ୟୟନ ପରେ ସୁବାରାଓ କିଛି ଦିନ ପାଇଁ ସରକାରୀ ଚାକିରି କରିଥିଲେ। ହଠାତ୍‌ ଦିନେ ତାଙ୍କର ଦୃଢ଼ ଧାରଣା ହେଲା ସ୍ବୟଂ ନାରାୟଣ ଭଗବାନ ସ୍ବଦେହରେ ବଦ୍ରିକା ଧାମରେ ବିରାଜମାନ କରୁଛନ୍ତି। କାହାକୁ କିଛି ନ କହି ସେ ସିଧା ଚାଲିଲେ ବଦ୍ରିନାଥ ଅଭିମୁଖେ। ଦକ୍ଷିଣ ଭାରତରୁ ଆସିଥିବା ଯୁବକ ସୁବାରାଓଙ୍କ ପାଖରେ କୌଣସି ଶୀତବସ୍ତ୍ର ନ ଥିଲା। ଅଳକାନନ୍ଦା ନଦୀର ହିମ ଶୀତଳ ସ୍ପର୍ଶରେ ରାତ୍ରିକାଳରେ ସେ ଥରି ଉଠିଲେ। ସେଠାକାର ଜଣେ ଯାତ୍ରୀ ତାଙ୍କୁ ଗରମ ରୁଟି ଖାଇବାକୁ ଦେଲେ ଏବଂ ପରାମର୍ଶ ଦେଲେ, ‘ଆପଣ ସାଧନା କଲେ ସ୍ବୟଂ ନାରାୟଣ ଆସି ଦର୍ଶନ ଦେବେ। ଏଠାରୁ କିଛି ଦୂରରେ ଋଷିକେଶ ଆଶ୍ରମରେ ଜଣେ ମହାତ୍ମା ସ୍ବାମୀ ଶିବାନନ୍ଦ ସରସ୍ବତୀ ସାଧନା କରୁଛନ୍ତି। ତାଙ୍କରି ନିକଟକୁ ଗଲେ ସେ ନାରାୟଣ ଭଗବାନଙ୍କୁ ଦାର୍ଶନ କରିବାର ମାର୍ଗ ବତାଇଦେବେ।’

- Advertisement -

ଇଏ ହେଉଛି ୧୯୪୪ ମସିହା କଥା। ଆଶ୍ରମରେ ପହଞ୍ଚି ଯୁବକ ସୁବାରାଓ ସ୍ବାମୀ ଶିବାନନ୍ଦଙ୍କୁ ଦର୍ଶନ କଲେ। ମନର ଭାବନା ଖୋଲାଖୋଲି ଭାବେ ପ୍ରକାଶ କଲେ। ସ୍ବାମୀ ଶିବାନନ୍ଦ ଅଭୟ ପ୍ରଦାନ କରି କହିଲେ ତୁମେ ଏହିଠାରେ ରହି ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ ଅଧ୍ୟୟନ କର। ସାଧନା କର। ନୂଆ କରି ଗଢ଼ିଉଠିଥିବା ‘ଯୋଗବେଦାନ୍ତ ଆରଣ୍ୟ ଏକାଡେମୀ’ରେ ଶିକ୍ଷାଦାନ କର। ଏହି ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି ସୁବାରାଓ ଶିବାନନ୍ଦ ଆଶ୍ରମର ଉପଯୁକ୍ତ ଅନ୍ତେବାସୀ ହୋଇଗଲେ। ୧୯୪୬ ମସିହା ପବିତ୍ର ମକର ସଂକ୍ରାନ୍ତି ତିଥିରେ ସ୍ବାମୀ ଶିବାନନ୍ଦ ସୁବାରାଓଙ୍କୁ ସନ୍ନ୍ୟାସ ଦୀକ୍ଷାରେ ଦୀକ୍ଷିତ କରାଇ ନାମ ରଖିଲେ ସ୍ବାମୀ କୃଷ୍ଣାନନ୍ଦ ସରସ୍ବତୀ। ସ୍ବାମୀ କୃଷ୍ଣାନନ୍ଦ ସରସ୍ବତୀ ମହାରାଜ ଜଣେ ଆତ୍ମସ୍ଥ ମହାତ୍ମା। ସ୍ବାମୀ ଶିବାନନ୍ଦଙ୍କଠାରୁ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିବାବେଳେ ସେ ଅନୁଭବ କରିଥିଲେ

ଗୁରୁଦେବଙ୍କ କଣ୍ଠରୁ ଉଚ୍ଚାରିତ ମହାବାକ୍ୟ ତାଙ୍କୁ ସାଧାରଣ ମନୁଷ୍ୟଠାରୁ ଉଚ୍ଚତର ସୋପାନକୁ ନେଇଯାଉଛି। ଏହାପରେ ସେ ଆଶ୍ରମର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲାଉଥିଲେ; କିନ୍ତୁ ଅଧିକାଂଶ ସମୟ ମୌନବ୍ରତ ଆଚରଣ କରୁଥିଲେ। ପୁସ୍ତକ ରଚନାରେ ମନୋନିବେଶ କରୁଥିଲେ। ବେଦାନ୍ତ ସମ୍ପର୍କରେ ଇଂରାଜୀ ଭାଷାରେ ସ୍ବାମୀ କୃଷ୍ଣାନନ୍ଦ ବହୁ ପୁସ୍ତକ ରଚନା କରିଛନ୍ତି। ଦିବ୍ୟଜୀବନ ସଂଘ ତରଫରୁ ବିଶ୍ବର ବିିଭନ୍ନ ସ୍ଥାନରେ ଏପ୍ରିଲ ମାସ ୨୫ ତାରିଖ ସ୍ବାମୀ କୃଷ୍ଣାନନ୍ଦ ସରସ୍ବତୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ମହାସମାରୋହରେ ପାଳିତ ହେଉଛି। ସେ ମହାତ୍ମା ମାନବ ଶରୀରରେ ନ ଥାଇ ମଧ୍ୟ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories