www.samajalive.in
Saturday, December 6, 2025
14.1 C
Bhubaneswar

ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ, ପୁଲିସ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଭାଇ

ତିହିଡି: ଏକ ପିକ୍‌ଅପ ଭ୍ୟାନ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଭଦ୍ରକ ଜିଲା ତିହିଡି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଡ୍ରାଇଭରଙ୍କୁ ପୁଲିସ କର୍ମଚାରୀମାନେ ପିଟି ମାରିଦେଇଥିବା ତାଙ୍କ ବଡ଼ ଭାଇ ଥାନାରେ ଅଭିଯୋଗ କରିଛନ୍ତି। ତେବେ କୋଇଲା ଚୋରା ଚାଲାଣ କରିବା ସମୟରେ ପୁଲିସ ପିଛା କରିବା ସମୟରେ ସମ୍ପୃକ୍ତ ଡ୍ରାଇଭର ଗାଡ଼ିରୁ ଡେଇଁପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଭଦ୍ରକ ଅତିରିକ୍ତ ଏସପି କହିଛନ୍ତି।

ଅଭିଯୋଗ ଅନୁଯାୟୀ, ତିହିଡି ଥାନା ବାଲିଦାଣ୍ଡି ଗ୍ରାମର ଦୈତାରୀ ନାୟକ ପେଶାରେ ଡ୍ରାଇଭର। ସେ ଚଳାଉଥିବା ପିକଅପ ଭ୍ୟାନ ନେଇ ସୋମବାର ବିଳମ୍ବିତ ରାତିରେ କୌଣସି ସାମଗ୍ରୀ ନେବା ପାଇଁ ଗାଁରୁ ଭଦ୍ରକ ଆସୁଥିଲେ। ସେହି ସମୟରେ ଗଦି ଲେଭଲ କ୍ରସିଂ ନିକଟରେ ପୁଲିସ ଗାଡିକୁ ଅଟକାଇ ତାଙ୍କୁ ମାଡ ମାରିଥିଲା। ଦୈତାରୀଙ୍କୁ ୧୦ରୁ ୧୨ ଜଣ ପୋଲିସ ସଙ୍ଘବଦ୍ଧ ହୋଇ ଆକ୍ରମଣ କରିଥିଲେ। ସେହି ସମୟରେ ତାଙ୍କ ବଡ ଭାଇ କୈଳାସ ଏକ ଟେମ୍ପୋରେ ପରିବା ନେଇ ବେପାରୀଙ୍କୁ ଦେବା ପାଇଁ ଆସୁଥିଲେ। ଗଦି ଲେଭଲ କ୍ରସିଂ ନିକଟରେ ଦୁଇଟି ପୁଲିସ ଗାଡି ଥିବା ସହ କୌଣସି ଲୋକଙ୍କୁ ମାଡ଼ ହେଉଥିବା କୈଳାସ ଦେଖିଥିଲେ। ପାଣି ଶୁଣି ସେ ସେଠାକୁ ଯିବା ପରେ ତାଙ୍କ ଭାଇ ଦୈତାରୀଙ୍କୁ ମାଡ଼ ମରାଯାଉଥିବା ଦେଖିଥିଲେ। ଦୈତାରୀଙ୍କୁ ଛାଡ଼ିଦେବାକୁ ସେ ଅନୁରୋଧ କରି ତାଙ୍କୁ ମେଡିକାଲକୁ ନେବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ ତାଙ୍କୁ ବାରଣ କରିଥିବା କୈଳାସ ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ଦୈତାରୀଙ୍କୁ ଆଣି ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୈତାରୀଙ୍କର ମୃତ୍ୟୁ ଘଟିଥିଲା। ଦୈତାରୀଙ୍କ ଶରୀର ଯୌନାଙ୍ଗ ଏବଂ ଅନ୍ୟାନ୍ୟ ସ୍ଥାନରେ କ୍ଷତ ଚିହ୍ନ ଥିବା  କୈଳାସ ଅଭିଯୋଗ କରିଛନ୍ତି। ଏ ନେଇ ତିହିଡ଼ି ଥାନା ଅଧିକାରୀ, ଅନ୍ୟ ପୁଲିସ କର୍ମଚାରୀ ଏବଂ ଡାକ୍ତରଙ୍କ ନାଁରେ ଏତଲା ଦିଆଯାଇଛି। ଘଟଣା ପରେ ଭଦ୍ରକ ଏସପି ତିହିଡି ଯାଇ ଅଭିଯୋଗର ତଦନ୍ତ କରିଛନ୍ତି। ମାନବାଧିକାର ସୁରକ୍ଷା ଆୟୋଗଙ୍କୁ ଏହାର ତଦନ୍ତ ଦାୟିତ୍ଵ ଦିଆଯାଇଛି।

- Advertisement -

ତେବେ ଅତିରିକ୍ତ ଏସପି ବିକାଶ ଦାସ କହିଛନ୍ତି, ଦୁଇଟି ଗାଡ଼ିରେ ଚୋରା କୋଇଲା ଚାଲାଣ ହେଉଥିବା ଖବର ପାଇ ପୁଲିସ ଯାଇଥିଲା। ପୁଲିସକୁ ଦେଖି ପିକ୍‌ଅପ ଭ୍ୟାନ ଡ୍ରାଇଭର ଗାଡ଼ିକୁ ନେଇ ଟ୍ରେନ ଲାଇନ୍‌ ଉପରେ ଖସି ପଳାଉଥିଲେ। ଏହି ସମୟରେ ସେ ଗାଡ଼ିରୁ ଖସିପଡ଼ିଥିଲେ। ପୁଲିସ ସେଠାରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତଥାପି ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ତଦନ୍ତରୁ ଯଦି କୌଣସି ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories