ସମ୍ବଲପୁର : ବିଶ୍ୱବ୍ୟାପୀ କରୋନା ଭୂତାଣୁର ପ୍ରକୋପ ଜାରି ଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଦେଶକୁ ଲକ ଡାଉନ କରିଛନ୍ତି। ଏଣୁ ସବୁ ଆଡେ କଡା ପୁଲିସ ପହରା ସହିତ ଜିଲାର ବିଭିନ୍ନ ସ୍ଥାନରେ ଚେକିଂ ପଏଣ୍ଟ ଓ ଜିଲା ସୀମା ସିଲ ମଧ୍ୟ ରହିଛି। କିନ୍ତୁ ବାହାର ଜିଲାରୁ ନିୟମିତ ଭାବରେ ବେଆଇନ କଫ ସିରଫ ସପ୍ଲାଇ ଜାରି ରହିଥିବାରୁ ସମ୍ବଲପୁରରେ ଦିନକୁ ଦିନ ବେଆଇନ କଫ ସିରଫ କାରବାର ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ପୁଲିସର ପୃଷ୍ଠପୋଷକତାରେ ଏହି କାରବାର ଚାଲିଥିବାର ଅଭିଯୋଗ ହେଉଛି।
ଧନୁପାଲୀ ଥାନା ଅର୍ନ୍ତଗତ ଅଞ୍ଚଳରେ ଦିନକୁ ଦିନ ବେଆଇନ କଫ ସିରଫ କାରବାର ବଢ଼ି ଚାଲିଥିବା ବେଳେ ଏହା ଅନ୍ୟତମ ପ୍ରମୁଖ ବେଆଇନ କଫ ସିରଫ କାରବାରର ପେଣ୍ଠସ୍ଥଳି ପାଲଟିଛି। ଗତ ସପ୍ତାହରେ ଧନୁପାଲୀ ଥାନା କ୍ଷେତ୍ରରେ ବେଆଇନ ଭାବରେ କଫ ସିରଫ ଓ ଅପମିଶ୍ରିତ କଫ ସିରଫ ବିକ୍ରି କରିବା ଅଭିଯୋଗରେ ପୁଲିସ ଟାଉନ ଥାନା ଅଞ୍ଚଳର ଦୁଇ ଜଣ ପୁରୁଣା ଚୋରା କଫ ସିରଫ ବ୍ୟବସାୟୀଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ପେଟି ପେଟି କଫ ସିରଫ ଓ ଅପମିଶ୍ରିତ କଫ ସିରଫ ଜବତ ହୋଇଥିବା ବେଳେ ପୁଲିସର ଆର୍ଶିବାଦରୁ ମାତ୍ର ୩୫ଟି ଭର୍ତ୍ତି କଫ ସିରଫ ଓ ଅଢ଼େଇ ଲିଟର ଅପମିଶ୍ରିତ କଫ ସିରଫ ଜବତ ଦେଖାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଅଭିଯୋଗ ହେଉଛି। ଅଭିଯୁକ୍ତ ମାନେ ବିନା କୋଡିନଯୁକ୍ତ କଫ ସିରଫ କିଣି ସେଥିରେ ନିଶା ବଟିକା ମିଳାଇ ବିକ୍ରି କରୁଥିଲେ। ପଚରାଉଚୁରା ସମୟରେ ଦୁଇ ବ୍ୟକ୍ତି ବିନା ପ୍ରେସକ୍ରିପସନରେ ଜଣେ ଔଷଧ ଦୋକାନୀଙ୍କ ଠାରୁ ମାଲ ଉଠାଇଥିବାର ପୁଲିସକୁ କହିଥିଲେ। ଏଣୁ ଔଷଧ ଦୋକାନୀଙ୍କୁ ଥାନାକୁ ଡକାଯାଇ ପଚରାଉଚୁରା କରିବା ପରେ ଛାଡି ଦିଆଯାଇଛି। ତେବେ ସେହି ଔଷଧ ଦୋକାନୀଙ୍କ ଘରୁ ବିନା ପ୍ରେସକ୍ରିପସନରେ ମାଲ ବିକ୍ରି କରିଥିବାରୁ ବହୁଳ ମାତ୍ରାରେ କଫ ସିରଫ ଭର୍ତ୍ତି ପେଟି ଜବତ କରାଯାଇଛି। ବ୍ୟବସାୟୀଙ୍କ ଦୋକାନ ଧନୁପାଲୀ ଥାନା କ୍ଷେତ୍ରରେ ରହିଥିବା ବେଳେ ତାଙ୍କର ଘର ଟାଉନ ଥାନା କ୍ଷେତ୍ରରେ ରହିଛି। ଏ ନେଇ ଧନୁପାଲୀ ଥାନାଧିକାରୀ କହିଛନ୍ତି ଯେ ଔଷଧ ବ୍ୟବସାୟୀଙ୍କୁ ପଚରାଉଚୁରା କରାଯାଇଛି ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନ୍ୟ ପଟରେ ଡ୍ରଗ ଅଧିକାରୀ କହିଛନ୍ତି ଯେ ଏହି ମାମଲା ଜଣାପଡିବା ପରେ ତଦନ୍ତ କରାଯାଉଛି ଏବଂ ସେହି ଦୋକାନର ଲାଇସେନ୍ସ ରଦ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉଛି।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ପୁଲିସ ସେହି ଔଷଧ ଦୋକାନୀଙ୍କ ଘରୁ ବହୁଳ ମାତ୍ରାରେ କଫ ସିରଫ ଜବତ କରିଥିବା ବେଳେ କଣ ପାଇଁ ତାଙ୍କୁ କେବଳ ପଚରାଉଚୁରା କରି ଛାଡି ଦେଇଛି। ସହରର ଗଳିକନ୍ଦିରେ କଫ ସିରଫ ଓ ଅପମିଶ୍ରିତ କଫ ସିରଫ ବିକ୍ରି ହେଉଥିବା ବେଳେ ପୁଲିସକୁ କିପରି ଭାବରେ ଜଣା ପଡୁ ନାହିଁ। ପୁଲିସର ପୃଷ୍ଠପୋଷକତାରେ ଏହି ବେପାର ବେଧଡକ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କିନ୍ତୁ ପୁଲିସର ଏଭଳି ଦାୟିତ୍ୱହୀନ କାର୍ଯ୍ୟ ଯୋଗୁଁ ଭବିଷ୍ୟତର ପିଢ଼ି ନଷ୍ଟ ହେଉଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତ ମଧ୍ୟ ବିପର୍ଯ୍ୟସ୍ତ ହେଉଥିବାରୁ ପୁଲିସ ତାର କର୍ତ୍ତବ୍ୟ ନିଷ୍ଠା ଓ ସଚ୍ଚୋଟତାର ସହିତ କାର୍ଯ୍ୟ କରୁ ବୋଲି ଜନତା ଦାବି କରୁଛନ୍ତି।



