ଅଧାରୁ ସାର୍କ ବୈଠକ ଛାଡିଲେ ସୁଷମା, ପାକିସ୍ତାନ କ୍ଷୁବ୍ଧ
ନ୍ୟୁୟର୍କ : ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅଧାରୁ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗିତା ସଂଘ (ସାର୍କ)ର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଛାଡି ଚାଲିଆସିବା ଘଟଣା ପାକିସ୍ତାନକୁ ଅତ୍ୟନ୍ତ ବ୍ୟଥିତ କରିଛି। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ନିଜ ପ୍ରତି ଭାରତର ଏଭଳି ରୁକ୍ଷ ମନୋଭାବକୁ ନେଇ ଆର୍ତ୍ତ ଚିତ୍କାର କରିଛି। ଆତଙ୍କବାଦୀଙ୍କୁ ଅସ୍ତ୍ର କରି ଦ୍ୱିପାକ୍ଷିକ ସମ୍ପର୍କକୁ ରକ୍ତାକ୍ତ କରିଥିବା ପାକିସ୍ତାନ ସୁସମ୍ପର୍କ ସ୍ଥାପନ ଦିଗରେ ଭାରତ ଅବରୋଧକ ବୋଲି କହିବାକୁ ମଧ୍ୟ ପଛାଇନାହିଁ; କିନ୍ତୁ ପାକିସ୍ତାନର ଏଭଳି ମନ୍ତବ୍ୟର ଉତ୍ତର ସାର୍କ ବୈଠକରେ ସୁଷମା ଦେଇଥିବା ବକ୍ତବ୍ୟରେ ନିହିତ ରହିଛି ବୋଲି ଭାରତୀୟ କୂଟନୈତିକ ସୂତ୍ର ପକ୍ଷରୁ କୁହାଯାଇଛି।
ଏଠାରେ ଗୁରୁବାର ଅନୁଷ୍ଠିତ ବୈଠକରେ ନିଜ ବକ୍ତବ୍ୟ ଶେଷ କରିବା ପରେ ପାକିସ୍ତାନ ପ୍ରତିପକ୍ଷ ଶାହା ମେହମ୍ମୁଦ କୁରେଶୀଙ୍କ ବକ୍ତବ୍ୟ ଆରମ୍ଭ ହେବା ପୂର୍ବରୁ ସୁଷମା ବୈଠକରୁ ଚାଲିଆସିଥିଲେ। ଏହି ଘଟଣା ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ଶକ୍ତ ଧକ୍କା ଦେବା ସହିତ ଏହାର ବୈଦେଶିକ ମନ୍ତ୍ରୀ କୁରେଶୀଙ୍କୁ ବିବ୍ରତ କରିଦେଇଥିଲା। ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଉତ୍କ୍ଷିପ୍ତ କୁରେଶୀ କହିଥିଲେ, ସେ ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଶମାଙ୍କ ବକ୍ତବ୍ୟ ଅତ୍ୟନ୍ତ ଧ୍ୟାନପୂର୍ବକ ଶୁଣୁଥିଲେ। ସୁଷମା ଆଞ୍ଚଳିକ ସ୍ଥିରତା ଓ ଶାନ୍ତିର ବାର୍ତ୍ତା ଦେଉଥିଲେ। ମାତ୍ର ଭାରତ ଯଦି ପାକିସ୍ତାନ ସହିତ ଏକତ୍ର ବସି ଆଲୋଚନା ନ କରିବ ତା’ହେଲେ ସମାଧାନର ବାଟ ବାହାରିବ ନାହିଁ। ସାର୍କ ରାଷ୍ଟ୍ର ସମୁହ ପଛକଥା ଭୁଲି ଭବିଷ୍ୟତ ଉପରେ ଗୁରୁତ୍ୱାରୋପ କରୁଥିବା ଜଣାଯାଏ। ମାତ୍ର ଭାରତ ଯଦି ପଛକଥା ନ ଭୁଲେ ଏବଂ ବୈଠକରେ ବସି ଆଲୋଚନା ନ କରେ ତା’ହେଲେ କିଭଳି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର ହେବ। ସୁଷମା ଦକ୍ଷିଣ ଏସୀୟ ମୁକ୍ତ ବାଣିଜ୍ୟ କ୍ଷେତ୍ର (ସାଫ୍ଟା) ଏବଂ ଆଞ୍ଚଳିକ ବାଣିଜ୍ୟ ବିଷୟରେ କହୁଛନ୍ତି। ଏକତ୍ର ବସି ଆଲୋଚନା କରିବା ନିମନ୍ତେ କୌଣସି ଏକ ତାରିଖ ନିଧାର୍ଯ୍ୟ କରାଯାଇପାରୁ ନ ଥିବା ବେଳେ ଆଞ୍ଚଳିକ ବାଣିଜ୍ୟର ଭବିଷ୍ୟତ କ’ଣ ତାହା ଅନୁମେୟ ବୋଲି କୁରେଶୀ କଟାକ୍ଷ କରିଛନ୍ତି। ୧.୭୮ ବିଲିୟନ ଲୋକ ସାର୍କ ରାଷ୍ଟ୍ର ସମୂହ ସହିତ ଜଡିତ ଥିବା ବେଳେ ସେମାନଙ୍କ ଭବିଷ୍ୟତ ବନ୍ଧା ପଡିଛି। ଭାରତ ସାର୍କ ରାଷ୍ଟ୍ର ସମୂହର ସମୃଦ୍ଧି ଏବଂ ଆଞ୍ଚଳିକ ସଂଯୋଜକତା ପଥରେ ଅବରୋଧକ ପାଲଟିଛି ବୋଲି ସେ ମନ୍ତବ୍ୟ ଦେଇଛନ୍ତି; କିନ୍ତୁ କୁରେଶୀଙ୍କ ମନ୍ତବ୍ୟର ଉତ୍ତର ସୁଷମାଙ୍କ ବକ୍ତବ୍ୟରେ ରହିଛି। ସାର୍କ ବୈଠକରେ ଦେଇଥିବା ବକ୍ତବ୍ୟରେ ସୁଷମା ଆଞ୍ଚଳିକ ସହଯୋଗିତା ନେଇ ଭାରତର ବଦ୍ଧପରିକରତା ଉପସ୍ଥାପନ କରିଛନ୍ତି। କେନ୍ଦ୍ର ସରକାରଙ୍କ ‘ପଡ଼ୋଶୀଙ୍କୁ ପ୍ରାଥମିକତା’ ନୀତିକ୍ରମେ ଦକ୍ଷିଣ ଏସୀୟ ଅଞ୍ଚଳର ସର୍ବୋତ୍ତମ ବିକାଶ ଏବଂ ସମ୍ବୃଦ୍ଧି ଦିଗରେ ଭାରତ ଯତ୍ନଶୀଳ ବୋଲି ସେ ଦର୍ଶାଇଛନ୍ତି। ଆଞ୍ଚଳିକ ଅଭିବୃଦ୍ଧି, ନିୟୋଜନ ଏବଂ ସମୃଦ୍ଧି ଦିଗରେ ସିଧାସଳଖ ଯୋଗାଯୋଗର ବିକାଶ ଗୁରୁତ୍ୱପୂର୍ଣ୍ଣ ବୋଲି ସୁଷମା କହିଛନ୍ତି।