ଉଝୁଏନ: ଚୀନରେ ଷୋଡ଼ଶ ଆରଆଇସି(ରୁଷ-ଭାରତ-ଚୀନ) ସମ୍ମଳନୀ ବୁଧବାରଠାରୁ ଆରମ୍ଭ ହୋଇଛି। ଏଥିରେ ୩ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ପ୍ରତିନିଧିମାନେ ଯୋଗଦେଇଛନ୍ତି। ଏଥିରେ ଭାରତ କାହିଁକି ପିଓକେରେ ଆକ୍ରମଣ କରିଛି ତାହାର କାରଣ ଜଣାଇଛି। ଏଥିସହ ପାକିସ୍ତାନକୁ କୁଟନୈତିକ ସ୍ତରରେ ଏକଘରିକିଆ କରିବାକୁ ମଧ୍ୟ ଉଦ୍ୟମ କରିଛି।
ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ବୈଠକରେ ଯୋଗଦେଇ ପୁଲୱାମା ଆକ୍ରମଣ ଏବଂ ପିଓକେ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ଆତଙ୍କବାଦ ବିରୋଧରେ ଭାରତ ଜିରୋ ଟଲେରାନ୍ସ ନୀତି ଆପଣାଇଛି। ପୁଲୱାମାରେ ଜୈଶ ସଂଗଠନ ଆତ୍ମଘାତୀ ଆକ୍ରମଣ କରିବାରୁ ୪୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ତେଣୁ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଥିବା ଜୈଶର ଶିବିର ଏବଂ ପ୍ରଶିକ୍ଷଣ କେନ୍ଦ୍ର ଉପରେ ଆକ୍ରମଣ କରାଯାଇଛି। ଏଥିରେ କୌଣସି ସାଧାରଣ ନାଗରିକଙ୍କର କ୍ଷୟକ୍ଷତି ହୋଇନାହିଁ। ପାକିସ୍ତାନର ସାମରିକ ଘାଟିକୁ ମଧ୍ୟ ଟାର୍ଗେଟ କରାଯାଇନାହିଁ। ଆତଙ୍କବାଦୀ ଦମନ କ୍ଷେତ୍ରରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ରହିଛି ବୋଲି ସେ କହିଥିଲେ। ଏଥିସହ ଜୈଶ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସୁଷମା ବୈଠକରେ ପରାମର୍ଶ ଦେଇଥିଲେ।



