ଜାମ୍ମୁ: ଜାମ୍ମୁ-କାଶ୍ମୀରର ସୋପିଆନରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ବୁଧବାର ଗୁଳିବିନିମୟ ଘଟିଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀଦ୍ବୟ ଜୈଶ-ଏ-ମହମ୍ମଦ(ଜେଇଏମ) ସଂଗଠନର ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ୨/୩ ଜଣ ଆତଙ୍କବାଦୀ ସୀମା ପାର କରି ପଶିଆସିଥିବା ଭାରତୀୟ ସେନାକୁ ସୂଚନା ମିଳିଥିଲା। ଏହି ଖବର ପାଇ ଯବାନମାନେ ସୋପିଆନ ଅଞ୍ଚଳରେ ପାଟ୍ରୋଲିଂ ଆରମ୍ଭ କରିଥିଲେ। ସେନା, ସିଆରପିଏଫ ଏବଂ ଏସଓଜି ଯବାନଙ୍କ ଅପରେଶନ ସମୟରେ ଆତଙ୍କବାଦୀମାନେ ସୋପିଆନରେ ଏକ ଘରେ ଲୁଚି ରହିଥିବା ଜଣାପଡ଼ିଥିଲା। ଫଳରେ ଯବାନମାନେ ସେଠାରେ ଚଢ଼ାଉ କରିଥିଲେ। ଚଢ଼ାଉବେଳେ ଉଭୟ ପକ୍ଷ ମଧ୍ୟ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଘଟଣାକୁ ନେଇ ସୋପିଆନରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।



