ନେଡିପଦର ବାଳିକା ଉଚ୍ଚବିଦ୍ୟାଳରେ ଶିଶୁ ମହୋତ୍ସବ ‘ସୁରଭି’

ଫୁଲବାଣୀ/ ଫିରିଙ୍ଗିଆ:  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ  ଅଧୀନରେ ଥିବା ନେଡିପଦର ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଫିରିଙ୍ଗିଆ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ଡିଣ୍ଡିରାଗାଁ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ସହ ଓଡିଶା ମିଲେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ମାନଙ୍କରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାର ବିକାଶ ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଡିଣ୍ଡିରାଗାଁ ସାଧନ କେନ୍ଦ୍ରର ସାଧନ କର୍ମୀ ଦିଲ୍ଲୀପ କୁମାର ପାଣିଗ୍ରାହୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନେଡିପଦର ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।
ଡିଣ୍ଡିରାଗାଁ ଉନ୍ନୀତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିବନ୍ଧୁ ବଳିୟାର ସିଂ, ସାଧନ କର୍ମୀ ସୁକାନ୍ତ କୁମାର ଦିଗାଲ, ସାଧନ କର୍ମୀ ସୁଧୀର କୁମାର ନାୟକ,ସାଧନ କର୍ମୀ ଅନ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର  ଶିକ୍ଷକ ଅଶୋକ କୁମାର ଷଡ଼ଙ୍ଗୀ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ। ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଡିଣ୍ଡିରାଗାଁ ସାଧନ କେନ୍ଦ୍ର ଅଧୀନରେ ଥିବା ଟେଲାପାଲି ଉନ୍ନୀତ ଉଚ୍ଚବିଦ୍ୟାଳୟ, ସାରୁକୋଇ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡିଣ୍ଡିରାଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ବିଞ୍ଜେରି ପଡା ପ୍ରାଥମିକ ବିଦ୍ୟାଳୟ, ବବଡଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ନେଡିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୦୦ ଛାତ୍ରଛାତ୍ରୀ ଯୋଗ ଦେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନାଚ ଗୀତ ଅନୁଷ୍ଠିତ ହୋଇଥିଲା ଓ ଅତିଥି ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

Comments are closed.