ନିଟ୍‌-ୟୁଜି ପରୀକ୍ଷା ଫଳ ବିବାଦ: କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନାକଲେ ସୁପ୍ରିମକୋର୍ଟ

ଏନଟିଏକୁ ଜବାବ ମାଗିଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌‌-ୟୁଜିକୁ ନେଇ ଦେଖା ଦେଇଥିବା ବିବାଦ ପ୍ରସଙ୍ଗରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ପରୀକ୍ଷା ରଦ୍ଦ ସହ କାଉନସେଲିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଟିସନ୍‌ ଦାଖଲ ହୋଇଥିଲା। ଆଜି ଏହାର ଶୁଣାଣି କରି କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହାସହ ନେସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)କୁ ନୋଟିସ ମଧ୍ୟ ଜାରି କରିଛନ୍ତି ସୁପ୍ରିମକୋର୍ଟ।

ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ରାୟ ଛାତ୍ରଛାତ୍ରୀଙ୍କୁ ଝଟ୍‌କା ଦେଇଛି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ୍‌ ଅହସାନୁଦ୍ଦୀନ ଅମାନୁଲ୍ଲାହଙ୍କ ଅବକାଶକାଳୀନ ଖଣ୍ଡପୀଠ ଏମବିବିଏସ୍‌, ବିଡିଏସ ଓ ଅନ୍ୟ ପାଠ୍ୟକ୍ରମରେ ନାମଲେଖା ପାଇଁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ କାଉନସେଲିଂ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି। ସେହିପରି ପରୀକ୍ଷର ରଦ୍ଦ କରିବାକୁ ମଧ୍ୟ ମନା କରିଦେଇଛନ୍ତି। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏନଟିଏକୁ ନୋଟିସ ଜାରି କରି ଏ ବାବଦରେ ଜବାବ ଦେବାକୁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ନିଟ୍ ପରୀକ୍ଷା ମେ’ ୫ରେ ହୋଇଥିଲା ଏବଂ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଥିଲା। ଏହାପରଠାରୁ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣି ବିରୋଧ ପ୍ରଦର୍ଶନ କରିଥିଲେ। ଏପରିକି ଏହି ପରୀକ୍ଷାକୁ ରଦ୍ଦ କରିବାକୁ ଦାବି କରିଥିଲେ। ପରୀକ୍ଷାଫଳରେ ହେରଫେର ହୋଇଥିବା ଅଭିଯୋଗ ଆଣିଥିଲେ ଛାତ୍ରଛାତ୍ରୀ। ଗ୍ରେସ୍ ନମ୍ବର ଦେବାରେ ମନମାନୀ ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ଗୋଟିଏ ପରୀକ୍ଷା କେନ୍ଦ୍ରର ୬୭ ଜଣ ଛାତ୍ରଛାତ୍ରୀଙ୍କୁ ପୂରା ୭୨୦ ମାର୍କ ମିଳିଥିଲା, ଯାହାକୁ ନେଇ ବିବାଦ ଘନେଇଥିଲା। ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

 

Comments are closed.