www.samajalive.in
Saturday, December 6, 2025
15.1 C
Bhubaneswar

ଆଉ ନୁହେଁ, ଏବେ ହିସାବ ଦିଅ – କରୋନା ଟିକା ନେଇ କେନ୍ଦ୍ର ଉପରେ କ୍ଷୁବ୍ଧ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କରୋନା ଟିକାକରଣ ନୀତିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ କ୍ଷୁବ୍ଧ ହୋଇଛନ୍ତି। କେନ୍ଦ୍ର ସରକାର ୪୫ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ମାଗଣାରେ ଟିକା ଦେଉଥିବାବେଳେ ୧୮ରୁ ୪୪ବର୍ଷର ନାଗରିକଙ୍କ ପାଇଁ ଅର୍ଥ ଦାବି କରୁଛନ୍ତି। କେନ୍ଦ୍ର ସରକାରଙ୍କ ଏପରି ଟିକାକରଣ ନୀତି ଅବିବେକୀ ଓ ସ୍ବେଚ୍ଛାଚାରିତାର ପରିଚୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର କହିଛନ୍ତି। ଏହା ସହିତ କରୋନା ଟିକା କିଣାର ସବିଶେଷ ହିସାବ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ୍-୫ ଟିକା କେଉଁ ତାରିଖରେ କେତେ ପରିମାଣର ଓ କେତେ ଅର୍ଥ ବ୍ୟୟରେ କିଣାଯାଇଛି, କିଣାଯାଇଥିବା ଟିକା କାହାକୁ କେତେ ପରିମାଣର ବଣ୍ଟନ କରାଯାଇଛି, କେତେ ପରିମାଣର ଟିକା କିଣିବାକୁ ବରାଦ ଦିଆଯାଇଛି, ବରାଦ ଟିକା କେବେ ମିଳିବ, ଆଗାମୀ ଦିନରେ ଦେଶର ଅନ୍ୟ ସମସ୍ତ ନାଗରିକଙ୍କୁ ଟିକାକରଣ ନିମନ୍ତେ କି ପ୍ରକାର ଯୋଜନା କରାଯାଇଛି ତାର ସୂଚନା ଦେବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ବିଚାରପତି ଏଲଏନ୍‌ ରାଓ ଓ ବିଚାରପତି ଏସ୍‌ଆର ଭଟ୍ଟଙ୍କୁ ନେଇ ଗଠିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସ୍ବତନ୍ତ୍ର ପୀଠ କେନ୍ଦ୍ର ସରକାରଙ୍କ ଟିକାକରଣ ନୀତିକୁ ନେଇ ବିଭିନ୍ନ ପ୍ରକାର ଅବଲୋକନ କରିଛନ୍ତି। ପୀଠ କହିଛନ୍ତି ଯେ କରୋନା ଟିକାକରଣ ଏକ ଜରୁରୀ କାର୍ଯ୍ୟକ୍ରମ। ସରକାର ଏହାକୁ ଅଗ୍ରାଧିକାର ଭିତ୍ତିରେ ସମ୍ପାଦନ କରିବା ଦରକାର। ୨୦୨୧-୨୨ କେନ୍ଦ୍ର ବଜେଟରେ ଟିକା କ୍ରୟ ନିମନ୍ତେ ୩୫ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଅର୍ଥକୁ ସରକାର କେଉଁ ବାଟରେ ଖର୍ଚ୍ଚ କରିଛନ୍ତି ତାର ସବିଶେଷ ତଥ୍ୟ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହି ଅର୍ଥକୁ ୧୮ରୁ ୪୪ବର୍ଷର ନାଗରିକଙ୍କୁ ମାଗଣା ଟିକାକରଣ ଦିଗରେ କାହିଁକି ବିନିଯୋଗ ହେବ ନାହିଁ ବୋଲି ପୀଠ ପ୍ରଶ୍ନ କରିଛନ୍ତି।

- Advertisement -

କରୋନା ପରବର୍ତ୍ତୀ ସମୟରେ କଳା କବକ (ବ୍ଲାକ ଫଙ୍ଗସ) ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ମୁକାବିଲା ପାଇଁ କି ପ୍ରକାର ପଦକ୍ଷେପ ନେଇଛ ତାହା ଜଣାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ବ୍ଲାକ ଫଙ୍ଗସ ପାଇଁ ପର୍ଯ୍ୟାପ୍ତ ଔଷଧ ଯୋଗାଣ କରିବାକୁ ଅଦାଲତ କହିଛନ୍ତି। ୧୮ରୁ ୪୪ବର୍ଷର ନାଗରିକଙ୍କୁ ମାଗଣାରେ ଟିକା ଯୋଗାଇ ଦେବା ଲାଗି ସେମାନେ ନିଷ୍ପତ୍ତି ନେଇଛନ୍ତି କି ନାହିଁ ତାହା ସତ୍ୟପାଠ ଦାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ମେ ୩୧ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉକ୍ତ ପୀଠ ଗୋଟିଏ କରୋନା ଟିକାର ଭିନ୍ନ ଭିନ୍ନ ମୂଲ୍ୟ ଧାର୍ଯ୍ୟ କରାଯିବାକୁ ନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଥିଲେ। ସେହିପରି ଟିକା ନେବା ଲାଗି ହିତାଧିକାରୀଙ୍କୁ କୋ-ୱିନ ଆପ୍‌ରେ ନାମ ପଞ୍ଜୀକରଣ ଲାଗି ବାଧ୍ୟ କରାଯିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନାପସନ୍ଦ କରିଥିଲେ। ପୀଠ କହିଥିଲେ ଯେ ସରକାର ଡିଜିଟାଲ ଇଣ୍ଡିଆର ବାସ୍ତବତାକୁ ଅନୁଭବ କରିବା ଦରକାର।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories