www.samajalive.in
Friday, December 12, 2025
15.1 C
Bhubaneswar

୫ ହାଇକୋର୍ଟ ପାଇଁ ନୂଆ ମୁଖ୍ୟବିଚାରପତିଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ୱାଧୀନ କଲେଜିୟମ୍‍ ଶୁକ୍ରବାର ୫ଟି ହାଇକୋର୍ଟ ପାଇଁ ନୂଆ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିସ କରିଛନ୍ତି। ସୁପାରିସ ଅନୁଯାୟୀ ଜଷ୍ଟିସ୍‍ ଏନ୍‍.ଏଚ୍‍ ପାଟିଲଙ୍କୁ ବମ୍ବେ ହାଇକୋର୍ଟ, ଜଷ୍ଟିସ ଡିକେ ଗୁପ୍ତାଙ୍କୁ କଲକାତା ହାଇକୋର୍ଟ, ଜଷ୍ଟିସ ବିଜୟ କୁମାର ବିଷ୍ଟଙ୍କୁ ସିକିମ୍‍ ହାଇକୋର୍ଟ, ଜଷ୍ଟିସ ଏଏସ୍‍ ବୋପାନାଙ୍କୁ ଗୁଆହାଟି ହାଇକୋର୍ଟ ଓ ଜଷ୍ଟିସ ରମେଶ ରଙ୍ଗନାଥନଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ଦିଆଯିବ।
ଜଷ୍ଟିସ୍‍ ଏନ୍‍.ଏଚ୍‍ ପାଟିଲ ଏବେ ବମ୍ବେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କାର୍ଯ୍ୟ ତୁଲାଉଛନ୍ତି। ଗତ ବର୍ଷ ଡିସେମ୍ବରରେ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ୍‍ ମଞ୍ଜୁଳା ଚେଲୁର ଅବସର ନେବା ପରଠାରୁ ଏହି ପଦ ଖାଲି ପଡ଼ିଛି। ଏହି ପଦରେ ଜଷ୍ଟିସ୍‍ ଏନ୍‍.ଏଚ୍‍ ପାଟିଲଙ୍କୁ ଅବସ୍ଥାପିତ କରିବାକୁ ସୁପାରିସ କରାଯାଇଛି। ଉଲ୍ଲେଖ ଯେ ଜଷ୍ଟିସ୍‍ ପାଟିଲ ଆସନ୍ତା ବର୍ଷ ଏପ୍ରିଲ ମାସରେ ଅବସର ଗ୍ରହଣ କରିବେ।
ସେହିପରି କଲକାତା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ଡିକେ ଗୁପ୍ତାଙ୍କୁ ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ଦେବାକୁ ସୁପାରିସ କରାଯାଇଛି। ନିକଟରେ କଳକତା ହାଇକୋର୍ଟ ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ୍‍ ଜ୍ୟୋର୍ତିମୟୀ ଭଟ୍ଟାଚାର୍ଯ୍ୟ ଅବସର ନେବା ପରେ ଏହି ପଦ ଖାଲି ପଡ଼ିଛି। ଜଷ୍ଟିସ ଡିକେ ଗୁପ୍ତା ଚଳିତ ବର୍ଷ ଡିସେମ୍ବର ମାସରେ ଅବସର ନେବେ। ଅର୍ଥାତ ସେ ଆଉ ମାତ୍ର ଦୁଇ ମାସ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ।
ହାଇଦରାବାଦର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ରମେଶ ରଙ୍ଗନାଥନଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ଦେବାକୁ ସୁପାରିସ କରାଯାଇଛି। ଗତ ମାସରେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‍ କେଏମ୍‍ ଯୋଶେଫ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇବା ପରଠାରୁ ଏହି ପଦ ଖାଲି ପଡ଼ିଛି। ସୁପାରିସ୍‍ରେ କୁହାଯାଇଛି ଯେ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ପାଇଁ ହାଇଦରାବାଦ ହାଇକୋର୍ଟରେ ଦୁଇ ଜଣ ବରିଷ୍ଠ ବିଚାରପତି ଅଛନ୍ତି। ଗୁଜରାଟ ହାଇକୋର୍ଟର ବିଚାରପତି ଭାବେ ପୂର୍ବରୁ କାର୍ଯ୍ୟ କରିଥିବା ଆରଏସ୍‍ ରେଡ୍ଡୀ ଏବେ ହାଇଦରାବାଦର ମୁଖ୍ୟ ବିଚାରପତି ଅଛନ୍ତି। ତେଣୁ ବରିଷ୍ଠ ବିଚାରପତି ଜଷ୍ଟିସ ରମେଶ ରଙ୍ଗନାଥନଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟରେ ନିଯୁକ୍ତି ଦିଆଯାଉ। ରଙ୍ଗନାଥନ ଆସନ୍ତା ବର୍ଷ ଜାନୁଆରୀ ମାସରେ ଅବସର ନେବେ।
ଗୁଆହାଟି ହାଇକୋର୍ଟ ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ୍‍ ଅଜିତ ସିଂ ଅବସର ନେବା ପରଠାରୁ ଏହି ପଦ ଖାଲି ପଡ଼ିଛି। ଏହି ସ୍ଥାନରେ କର୍ଣ୍ଣାଟକର ବରିଷ୍ଠ ବିଚାରପତି ଜଷ୍ଟିସ ଏଏସ୍‍ ବୋପାନାଙ୍କୁ ନିଯୁକ୍ତି ଦେବାକୁ କଲେଜିୟମ ସୁପାରିସ୍‍ କରିଛି।
ଅନୁରୂପ ଭାବେ ଉତ୍ତରାଖଣ୍ଡର ବରିଷ୍ଠ ବିଚାରପତି ଜଷ୍ଟିସ ବିଜୟ କୁମାର ବିଷ୍ଟଙ୍କୁ ସିକିମ୍‍ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ଦେବାକୁ କଲେଜିୟମ ପକ୍ଷରୁ ସୁପାରିସ କରାଯାଇଛି। ସିକିମ୍‍ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ୍‍ ଏସ୍‍.କେ ଅଗ୍ନିହୋତ୍ରୀ ଅବସର ସେବା ପରଠାରୁ ଏହି ପଦ ଖାଲି ପଡ଼ିଛି।
ଉଲ୍ଲେଖ ଯେ ଅବସରକୁ ଏକ ବର୍ଷ କିମ୍ବା ତାଠାରୁ କମ୍‍ ସମୟ ଥିଲେ ହାଇକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କୁ ସେହି ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ଦେବା ପାଇଁ ଥିବା (ଏମ୍‍ଓପି) ଅନୁସାରେ କଲେଜିୟମ ପକ୍ଷରୁ ଏହି ସୁପାରିସ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories