ବଢିପାରେ ସୁପ୍ରିମକୋର୍ଟ, ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏବଂ ବିଭିନ୍ନ ହାଇକୋର୍ଟର ବିଚାରପତିମାନଙ୍କ ଅବସର ବୟସସୀମା ୨ ବର୍ଷ ବୃଦ୍ଧି କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏ ନେଇ ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଛି। ଏଣୁ ଚଳିତ ମୌସୁମୀ ଅଧିବେଶନରେ କେନ୍ଦ୍ର ଏକ ସଂଶୋଧନ ବିଲ୍‍ ଆଗତ କରିବାର ସମ୍ଭାବନା ଅଛି। ହାଇକୋର୍ଟଗୁଡିକରେ ବିଚାରପତିଙ୍କ ଅଭାବ ଥିବା ଦର୍ଶାଇ କେନ୍ଦ୍ର ଏହି ସଂଶୋଧନ ବିଲ୍‍ ସଂସଦରେ ପାସ୍‍ କରାଇବାର ଉଦ୍ୟମ କରିବ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମ୍ପ୍ରତି ଅବସର ବୟସସୀମା ସୁପ୍ରିମକୋର୍ଟ ବିଚାରପତିଙ୍କ ପାଇଁ ୬୫ ବର୍ଷ ଏବଂ ହାଇକୋର୍ଟ ବିଚାରପତିଙ୍କ ପାଇଁ ୬୨ ବର୍ଷ ରହିଛି। ଏହାକୁ ଯଥାକ୍ରମେ ୬୭ ଏବଂ ୬୪ ବର୍ଷ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଉଲ୍ଲେଖ ଯେ ବିଚାରପତିମାନଙ୍କ ଅବସର ବୟସ ବୃଦ୍ଧି କରିବାକୁ ଏକ ସଂସଦୀୟ କମିଟି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲା। ଅଦାଲତଗୁଡିକରେ ବହୁ ସଂଖ୍ୟକ ମାମଲା ପଡି ରହିଥିବା ବେଳେ ସେଗୁଡିକର ଶୁଣାଣି ନିମନ୍ତେ ତୁରନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ନିର୍ଦେଶାବଳୀ ଅନୁସାରେ ବିଚାରପତି ପଦ ପୂରଣ କରାଯିବା ଆବଶ୍ୟକ ବୋଲି ଆଇନ ଏବଂ କାର୍ମିକ ବ୍ୟାପାର ସମ୍ବନ୍ଧୀୟ ଏହି ସ୍ଥାୟୀ କମିଟି କହିଥିଲେ। ଆଇନ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶର ୨୪ଟି ହାଇକୋର୍ଟରେ ୪୦୬ ବିଚାରପତି ପଦ ଖାଲିପଡିଛି। ଆହ୍ଲାବାଦରେ ୫୬, କର୍ଣ୍ଣାଟକରେ ୩୮, କଲିକତାରେ ୩୯, ପଞ୍ଜାବ ଓ ହରିୟାଣାରେ ୩୫, ଆନ୍ଧ୍ର ଓ ତେଲେଙ୍ଗାନାରେ ୩୦ ଏବଂ ବମ୍ବେରେ ୨୪ ଟି ହାଇକୋର୍ଟ ବିଚାରପତି ପଦ ଖାଲି ରହିଛି। ଦେଶର ଅନ୍ୟ ଅଦାଲତଗୁଡିକରେ ୩ କୋଟିରୁ ଊର୍ଦ୍ଧ୍ବ ମାମଲା ଶୁଣାଣି ଲାଗି ପଡିରହିଛି। ଏହା ପୂର୍ବରୁ ୨୦୧୦ରେ ତତ୍‍କାଳୀନ ୟୁପିଏ ସରକାର ହାଇକୋର୍ଟ ବିଚାରପତିମାନଙ୍କ ଅବସର ବୟସସୀମା ୬୨ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି କରିବାକୁ ଏକ ବିଧେୟକ ଆଗତ କରିଥିଲେ; କିନ୍ତୁ ୨୦୧୪ରେ ପଞ୍ଚଦଶତମ ଲୋକସଭା ଭଙ୍ଗ ହେବା କାରଣରୁ ଏହି ବିଧେୟକ ଅକାମୀ ହୋଇପଡିଥିଲା।

Leave A Reply