www.samajalive.in
Saturday, December 6, 2025
14.1 C
Bhubaneswar

ଶିଶୁଙ୍କ ପୋଷଣ ସାଧନ:ସୁନ୍ଦରଗଡ଼ରେ ଅଙ୍ଗନବାଡ଼ି ମାଧ୍ୟମରେ “ମାଣ୍ଡିଆ ଲଡୁ’ ଓ “ସ୍ପିରୁଲିନା ଚିକି’ ବଣ୍ଟନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁମାନଙ୍କ ପୁଷ୍ଟି ବିକାଶ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ମାଣ୍ଡିଆ ଲଡୁ ଏବଂ ସ୍ପିରୁଲିନା ଚିକି ବଣ୍ଟନ ଆରମ୍ଭ ହୋଇଛି। ସ୍ୱାଧୀନତା ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଶିଶୁଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ହେମଗିରି ବ୍ଲକରେ ‘ମାଣ୍ଡିଆ ଲଡୁ’ ଏବଂ ଲେଫ୍ରିପଡ଼ା ବ୍ଲକରେ ‘ସ୍ପିରୁଲିନାଯୁକ୍ତ ଚିନି ଓ ବାଦାମ ଚିକି’ର ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ଡିଏମଏଫ ଆର୍ଥିକ ସହାୟତା ଯୋଗାଇ ଦେଇଛି। ଏହି ଯୋଜନା ଫଳରେ ସାନ ସାନ ପିଲାମାନଙ୍କର ଯେଉଁଠି ପୁଷ୍ଟିଗତ ସମସ୍ୟା ରହିଥିଲା ତାହା ଏବେ ଦୂର ହୋଇପାରିବ ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।
ଏହି ଅବସରରେ ଜିଲାପାଳ ନିଖିଲ ପବନ କଲ୍ୟାଣ, ଅତିରିକ୍ତ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ, ଉପଜିଲାପାଳ ଅଭିମନ୍ୟୁ ବେହେରା, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଏସ୍‌ପି ସାଗରିକା ନାଥ, ଡିଏମଏଫ ସିଇଓ ରସାଇ ଲାଗୁରୀ, ଜିଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିଭା ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାଶ, ୱାସନର ଜିଲା ସଂଯୋଜକ ଅର୍ପଣ ଦାସ ଏବଂ ଜିଲା ତଥା ଡିଏମଏଫର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ବ୍ଳକରେ ମାଣ୍ଡିଆ ଲଡୁ ଏବଂ ସ୍ପିରୁଲିନା ଚିକିର ପାଇଲଟ୍ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏବେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଥିବାରୁ ପିଲାମାନଙ୍କ ପାଇଁ ଏହା ସେମାନଙ୍କ ଘରେ ପହଂଚାଯାଉଛି। ଉଭୟ ମାଣ୍ଡିଆ ଓ ସ୍ପିରୁଲିନାରେ ପୋଷଣ ଶକ୍ତି ଭରପୂର ହୋଇ ରହିଛି। ତେଣୁ ଶିଶୁଙ୍କ କ୍ଷେତ୍ରରେ ଯେଉଁ ଅପପୁଷ୍ଟି, ଓଜନ ଓ ଉଚ୍ଚତା ହ୍ରାସ ଭଳି ସମସ୍ୟା ରହିଥିଲା ତାହା ଏହାଦ୍ୱାରା ଦୂର ହୋଇପାରିବ। ଏହି ଦୁଇଟି ବ୍ଲକରେ ପିଲା ଏବଂ ଅଭିଭାବକଙ୍କ ମତାମତ ନେବା ପରେ ଯାଇ ଜିଲାର ଅନ୍ୟ ବ୍ଲକକୁ ଏହି କାର୍ଯ୍ୟକ୍ରମକୁ ସଂପ୍ରସାରଣ କରାଯିବ’’ ବୋଲି ଜିଲାପାଳ ନିଖିଲ ପବନ କଲ୍ୟାଣ ପ୍ରକାଶ କରିଛନ୍ତି। ସ୍ପିରୁଲିନା ଚିକି ପାଇଁ ମହୀଶୂରରେ ଥିବା ‘ସେଣ୍ଟର ଫର ନ୍ୟୁଟ୍ରିସନ’ ସଂସ୍ଥା ସହ ଓଡ଼ିଶା ସରକାର ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି। ବହୁ ଗବେଷଣା ପରେ ପ୍ରକ୍ରିୟାକରଣ କରାଯାଇ ସ୍ପିରୁଲିନାକୁ ଶିଶୁଙ୍କ ଖାଦ୍ୟରେ ସାମିଲ କରାଯାଇଛି। ଆଗାମୀ ଦିନରେ ସୁନ୍ଦରଗଡ଼ରେ ସ୍ପିରୁଲିନା ଚାଷ କରିବାର ଲକ୍ଷ୍ୟ ରହିଛି। ସେହିପରି ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ଯେତିକି ମାଣ୍ଡିଆ ଅମଳ ହେଉଛି ତାକୁ ଆମେ ଟିଡିକଲ ମାଧ୍ୟମରେ ଅଧିଗ୍ରହଣ କରୁଛୁ। ଏଥିରୁ ମାଣ୍ଡିଆ ଲଡୁ ପ୍ରସ୍ତୁତ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଗାଇ ଦିଆଯାଉଛି।
ଏହି ଅବସରରେ ହେମଗିରି ବ୍ଲକରୁ ଆସିଥିବା ୫ ଜଣ ମା’ଙ୍କୁ ମାଣ୍ଡିଆ ଲଡୁ ଏବଂ ଲେଫ୍ରିପଡ଼ା ବ୍ଲକରୁ ଆସିଥିବା ୫ ଜଣ ମା’ଙ୍କୁ ସ୍ପିରୁଲିନା ଚିକି ପ୍ରଦାନ କରାଯାଇଥିଲା। ସେହିପରି ମାଣ୍ଡିଆରୁ ପ୍ରସ୍ତୁତ ଲଡୁ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ କରାଯାଇଥିଲା। ସ୍ପିରୁଲିନାଯୁକ୍ତ ଚିକି ଏବଂ ବାଦାମ ଲଡୁ ପ୍ରସ୍ତୁତି ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତା ଯୋଗାଇ ଦେଇଛି। ଏହାର ପ୍ରସ୍ତୁତି ପାଇଁ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories