ଜାକର୍ତ୍ତା : ଇଣ୍ଡୋନେସିଆରେ ଦେଖାଯାଇଥିବା ଭୂମିକମ୍ପ ଓ ଏହାର ପରବର୍ତ୍ତୀ ସୁନାମୀ ଜନିତ ମୃତ୍ୟୁସଂଖ୍ୟା ରବିବାର ୮୩୨ରେ ପହଞ୍ଚିଛି। ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ଏହି ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଇଛି। ଏବେ ବି ହଜାର ହଜାର ଲୋକ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ କେତେକ ବିଦେଶୀ ନାଗରିକ ଥିବା ଜଣାଯାଇଛି।
ରିପୋର୍ଟ ଅନୁଯାୟୀ ୩ଜଣ ଫ୍ରାନ୍ସ, ଜଣେ ଦକ୍ଷିଣ କୋରିଆ ଓ ଜଣେ ମାଲେସିଆ ନାଗରିକ ନିଖୋଜ ଅଛନ୍ତି। କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଉଦ୍ଧାରକାରୀ ଦଳ ଅନେକ ସ୍ଥାନରେ ପହଞ୍ଚି ପାରି ନାହାନ୍ତି। ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିବାରୁ ସବୁ ଅଞ୍ଚଳରେ ପହଞ୍ଚିବା ସମ୍ଭବ ହୋଇପାରି ନାହିଁ। ପାଲୁ ସହରର ଦୁଇଟି ହୋଟେଲ ଭୁଶୁଡି ପଡିଥିବାବେଳେ ଏହି ଭଗ୍ନାବଶେଷ ମଧ୍ୟରେ ଅନେକ ଲୋକ ଚାପି ହୋଇରହିଛନ୍ତି। ନ୍ୟୁଜ ୱେବସାଇଟ ଅନୁଯାୟୀ ରୋଆ ରୋଆ ହୋଟେଲ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି। ହୋଟେଲ ମାଲିକଙ୍କ କହିବା ଅନୁଯାୟୀ ପ୍ରାୟ ୬୦ଲୋକ ଏହି ହୋଟେଲ ମଧ୍ୟରେ ଚାପି ହୋଇରହିଛନ୍ତି। ଆତ୍ମୀୟସ୍ୱଜନଙ୍କୁ ଖୋଜିବା ଉଦ୍ଦେଶ୍ୟରେ ଶହ ଶହ ଲୋକ ଜମା ହୋଇଛନ୍ତି। ପ୍ରାଣ ହରାଇଥିବା ଅଧିକାଂଶ ଲୋକ ପାଲୁ ସହରର ବାସିନ୍ଦା।
ଭୂମିକମ୍ପର ଉତ୍ପତ୍ତିସ୍ଥଳ ଡୋଙ୍ଗାଲା ଅଞ୍ଚଳରେ ୩ଲକ୍ଷ ଲୋକ ବାସ କରୁଥିବାବେଳେ ଅଧିକାଂଶ ଏଥିରେ ପ୍ରଭାବିତ ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ମୁଖପାତ୍ର ସୁଟୋପୋ ପୁରୱେ ନୁଗ୍ରୋହୋ କହିଛନ୍ତି ଯେ ପ୍ରାଥମିକ ଆକଳନ ଅପେକ୍ଷା ପ୍ରଭାବିତ ଅଞ୍ଚଳ ଅଧିକ ହୋଇଛି। ଡୋଙ୍ଗାଲା ସହର ସୁନାମୀରେ ସମ୍ପୂର୍ଣ୍ଣ ଧୋଇ ଯାଇଛି। ଭୂମିକମ୍ପ ଓ ସୁନାମୀ ସହିତ
ପରିଚିତ ଇଣ୍ଡୋନେସିଆରେ ୨୦୦୪ରେ ସୁନାମୀ ହୋଇ ୧ଲକ୍ଷ ୨୦ହଜାର ଲୋକ ପ୍ରାଣ ହରାଇଥିଲେ। ତେବେ ଶୁକ୍ରବାର ଭୂମିକମ୍ପ ପରେ ସୁନାମୀ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ଭୂମିକମ୍ପର ୩୪ ମିନିଟ ପରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା। ସତର୍କ ସୂଚନା ପ୍ରତ୍ୟାହାର ପରେ ସୁନାମୀ ଆସିଥିଲା। ଫଳରେ ମୃତାହତ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ ୮୦୦ କିମି ବେଗରେ ସମୁଦ୍ରରୁ ୬ମିଟର ଉଚ୍ଚର ଜୁଆର ମାଡି ଆସିଥିଲା। ଫଳରେ ଘରଦ୍ୱାର ଓ କୋଠାବାଡି ଧୋଇ ଯାଇଥିଲା।
ସୁନାମୀ ମୃତ୍ୟୁସଂଖ୍ୟା ୮୩୨ ଛୁଇଁଲା
Popular Categories



