www.samajalive.in
Monday, December 15, 2025
26.1 C
Bhubaneswar

ସୁନାବେଶରେ ଝଲସିଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆକର୍ଷଣୀୟ ସୁନାବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ରବିବାର ଦର୍ଶନ ଦେଇଛନ୍ତି ଦାରୁବ୍ରହ୍ମ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ରଥ ଉପରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯାଇଛି। ପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଛି ବଡ଼ଦାଣ୍ଡ। ପ୍ରାୟ ୧୫ଲକ୍ଷ ଲୋକ ମହାପ୍ରଭୁଙ୍କୁ ଦର୍ଶନ କରି ବିଭୋର ହୋଇଛନ୍ତି। ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍‌ରେ ଯାଇ ପ୍ରଭୁଙ୍କୁ ଦର୍ଶନ କରିବା ସହ ତିନିରଥ ପରିକ୍ରମା କରିଛନ୍ତି। ରଥ ଉପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି ଓ ଏକାଦଶୀ ସର୍ବାଙ୍ଗ ପରେ ଅପରାହ୍ଣ ୪ଟା ୪୫ରେ ଆରମ୍ଭ ହୋଇଥିଲା ସୁନାବେଶ। ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ସୁନା ଅଳଙ୍କାର ଅଣାଯାଇ ମହାପ୍ରଭୁଙ୍କୁ ବେଶ କରାଯାଇଥିଲା। ସୋମବାର ତିନିରଥ ଉପରେ ଦାରୁବ୍ରହ୍ମଙ୍କୁ ଅଧରପଣା ଭୋଗ କରାଯିବ। ଅନୁକୂଳ ପାଗ ଓ ରବିବାର ଛୁଟିଦିନ ଥିବାରୁ ପୂର୍ବବର୍ଷ ତୁଳନାରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ହଜାର ହଜାର ଚାରିଚକିଆ ଗାଡ଼ି ପୁରୀ ଆସିଥିବାରୁ ଟ୍ରାଫିକ ନିୟନ୍ତ୍ରଣ ଓ ଗାଡ଼ି ପାର୍କିଂ ନିୟନ୍ତ୍ରଣ ପୁଲିସ ପାଇଁ କାଠିକର ପାଠ ହୋଇଥିଲା। ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥରେ ଦୁଇରୁ ତିନି ଘଣ୍ଟା ଧରି ଶହଶହ ଗାଡ଼ି ଅଟକି ରହିଥିଲା। ବହୁ ଶ୍ରଦ୍ଧାଳୁ ପ୍ରାୟ ୮କିମି ବାଟ ଚାଲି ପ୍ରଭୁଙ୍କୁ ଦର୍ଶନ କରିଥିଲେ। ଅସ୍ଥାୟୀ ପାର୍କିଂ ଷ୍ଟାଣ୍ଡ ଗୁଡିକ ଯଥେଷ୍ଟ ନହେବାରୁ ରାସ୍ତା ଦୁଇ ପାର୍ଶ୍ବରେ ବହୁସଂଖ୍ୟକ ଗାଡ଼ି ପାର୍କିଂ କରିଥିଲେ। ରଥ ଉପରେ ବିଜେ କରିଥିବା ପରଂବ୍ରହ୍ମଙ୍କୁ ସୁନାବେଶରେ ଦେଖିବା ପରେ ଭକ୍ତଙ୍କ ସବୁ ଦୁଃଖକଷ୍ଟ ଦୂର ହୋଇ ଯାଇଥିଲା। ରାତି ୧୧ଟାରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ସୁନା ଅଳଙ୍କାର ବାହାର କରାଯାଇ ବଡ଼ସିଂହାର ବେଶ, ବଡ଼ ସିଂହାର ଭୋଗ, ମଇଲମ ଓ ମହାସ୍ନାନ କରାଯାଇ ହରିଶୟନ ନୀତି ଅନୁଷ୍ଠିତ ହୋଇଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ, ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ, ପୁଲିସ ମହାନିର୍ଦେଶକ ୱାଇ. ବି ଖୁରାନିଆ, ଅତିରିକ୍ତ ପୁଲିସ ମହାନିର୍ଦେଶକ ଦୟାଲ ଗଙ୍ଗୱାର, ପରିବହନ କମିସନର ଅମିତାଭ ଠାକୁର, ଅତିରିକ୍ତ ପୁଲିସ ମହାନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲାପାଳ ଚଞ୍ଚଳ ରାଣା ଓ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ପ୍ରମୁଖ ବରିଷ୍ଠ ଅଧିକାରୀ ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ସୁରକ୍ଷା ଦାୟିତ୍ୱରେ ୨୦୫ ପ୍ଲାଟୁନ୍‌ ପୁଲିସ ବଳ, ରାପିଡ ଆକ୍ସନ ଫୋର୍ସ, ଏନ୍‌ଡିଆର୍‌ଏଫ୍‌, ଆତଙ୍କବାଦୀ ନିରୋଧ ବାହିନୀ, ସ୍ବତନ୍ତ୍ର ତାଲିମପ୍ରାପ୍ତ କମାଣ୍ଡୋ, ବୋମା ନିଷ୍କ୍ରିୟକାରୀ ଦଳ, ଏସ୍‌ଓଜି, ତଟରକ୍ଷୀ ବାହିନୀ, ଏସ୍‌‌ଟିୟୁ, ଓଡ୍ରାଫ୍‌ ଓ ସନ୍ଧାନୀ କୁକୁର ନିୟୋଜିତ ହୋଇଥିଲେ। ୨୭୫ କ୍ଲୋଜ୍‌ ସର୍କିଟ କ୍ୟାମେରା ଲଗାଯାଇ ଗାଡ଼ି ଚଳାଚଳ ସମେତ ଲୋକଙ୍କ ଉପରେ ନଜର ରଖା ଯାଇଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories