www.samajalive.in
Friday, December 5, 2025
20.1 C
Bhubaneswar

ସଙ୍କଟରେ ଚିନି ଶିଳ୍ପ: ବିକ୍ରି ମୂଲ୍ୟରୁ ଉତ୍ପାଦନ ଖର୍ଚ୍ଚ ଅଧିକ

ନୂଆଦିଲ୍ଲୀ: ବିକ୍ରି ମୂଲ୍ୟକୁ ଟପିଯାଉଛି ଉତ୍ପାଦନ ଖର୍ଚ୍ଚ। ଦେଶର ବିଭିନ୍ନ ଗୋଦାମରେ ପଡ଼ିରହୁଛି ଟନ୍‌ ଟନ୍‌ ଚିନି। ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି ଚିନି ଶିଳ୍ପ। ତେଣୁ ଚିନି କ୍ଷେତ୍ର ପ୍ରତି ଥିବା ଆସନ୍ନ ବିପଦ ସମ୍ପର୍କରେ ରାଷ୍ଟ୍ରୀୟ ଚିନି କାରଖାନା ସମବାୟ ମହାସଂଘ (ଏନ୍‌ଏଫ୍‌ସିଏସ୍‌ଏଫ୍‌)କେନ୍ଦ୍ର ସରକାରଙ୍କୁ ସତର୍କ କରିବା ସହ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି। ଏହା ନ ହେଲେ ଚିନି କାରଖାନା ବନ୍ଦ ହୋଇଯିବ ବୋଲି ମଧ୍ୟ ମହାସଂଘ ସତର୍କ କରିଛି।
ମହାସଂଘ କେନ୍ଦ୍ର ଖାଦ୍ୟ ସଚିବଙ୍କୁ ଚିଠି ଲେଖି ଚିନି ମହଜୁଦ ପରିମାଣ ବୃଦ୍ଧି ଏବଂ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ହେତୁ ଏହି କ୍ଷେତ୍ରର ଆର୍ଥିକ ଚାପ ଉପରେ ଆଲୋକପାତ କରିଛି। ମହାସଂଘର ସୂଚନା ଅନୁଯାୟୀ, ୨୦୨୪-୨୫ ଉତ୍ସାଦନ ସମୟ (ଅକ୍ଟୋବରରୁ ସେପ୍ଟେମ୍ବର)ରେ ୮୦ ଲକ୍ଷ ଟନ୍‌ ଚିନି ପୂର୍ବରୁ ମହଜୁଦ ଥିଲା। ଏହି ସମୟରେ ୩୨୫ ଲକ୍ଷ ଟନ୍‌ ଚିନି ଉତ୍ପାଦନ (ଇଥାନଲକୁ ପରିବର୍ତ୍ତନ ଛାଡ଼ି) ହେବ। ଏଥିରୁ ଘରୋଇ ଚାହିଦା ପାଇଁ ୨୯୦ ଲକ୍ଷ ଟନ୍‌ ଆବଶ୍ୟକ ଥିବାବେଳେ ପ୍ରାୟ ୧୧୫ ଲକ୍ଷ ଟନ୍‌ ଚିନି ଦେଶର ବିଭିନ୍ନ ସ୍ଥାନରେ ଥିବା ୫୩୫ ଚିନି କାରଖାନା ଗୋଦାମରେ ମହଜୁଦ ହୋଇ ରହିବ।
ମହାସଂଘ ଏହା ମଧ୍ୟ ଦର୍ଶାଇଛି ଯେ, ୨୦୨୪-୨୫ ପାଇଁ ସରକାର ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟ (ଏଫ୍‌ଆର୍‌ପି) ୮ଧ ବଢ଼ାଇ ଟନ୍‌ ପ୍ରତି ୩ ହଜାର ୪ ଶହ ଟଙ୍କା କରିଥିବାବେଳେ ଚିନିର ସର୍ବନିମ୍ନ ବିକ୍ରି ମୂଲ୍ୟ (ଏମ୍‌ଏସ୍‌ପି) ୨୦୧୮-୧୯ରୁ କେଜି ପ୍ରତି ମାତ୍ର ୩୧ ଟଙ୍କା ରହିଆସିଛି। ଅନ୍ୟପକ୍ଷରେ ଚିନି ଉତ୍ପାଦନ ଖର୍ଚ୍ଚ କେଜି ପ୍ରତି ୪୧.୬୬ ଟଙ୍କାରେ ପହଞ୍ଚିଲାଣି। ଅର୍ଥାତ ଚିନି ବିକ୍ରି ମୂଲ୍ୟଠାରୁ ଉତ୍ପାଦନ ମୂଲ୍ୟ ଅଧିକ ହୋଇଛି। ମହାସଂଘ କହିଛି ଯେ, ଚିନି ଶିଳ୍ପକୁ ଉତ୍ପାଦନ ଜାରି ରଖିବା ପାଇଁ ୧.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏଥିରୁ ୭୫ ପ୍ରତିଶତ କେବଳ ଚାଷୀଙ୍କ ପ୍ରାପ୍ୟ ଏବଂ ବଳକା ଅର୍ଥ କାରଖାନା ପରିଚାଳନାରେ ଖର୍ଚ୍ଚ ହେବ। ଏଥିସହ ଉଦ୍ୟୋଗ ଇଥାନଲ୍‌ ମୂଲ୍ୟ ଓ ଆବଣ୍ଟନ ନେଇ ଚିନ୍ତା ପ୍ରକଟ କରିଛି। ୨୦୨୩ ଡିସେମ୍ବରରେ ଲାଗୁ ହୋଇଥିବା ସରକାରୀ କଟକଣା ଫଳରେ ଇଥାନଲ୍‌ ମିଶ୍ରଣ କାର‌୍ୟ୍ୟକ୍ରମରେ ଏହି କ୍ଷେତ୍ରର ଯୋଗଦାନ ୨୦୨୧-୨୨ରେ ୮୩ ପ୍ରତିଶତ ଥିବାବେଳେ ବର୍ତ୍ତମାନ ୩୭ ପ୍ରତିଶତକୁ ଖସିଆସିଛି। ଇଥାନଲ ଆପୂର୍ତ୍ତି ବର୍ଷ ୨୦୨୪-୨୫ ପାଇଁ ୯୪୦ କୋଟି ଲିଟର ଇଥାନଲ ଆବଶ୍ୟକ ଥିବାବେଳେ ତେଲ ବିପଣନ କମ୍ପାନୀ ୮୩୭ କୋଟି ଲିଟର ଆବଣ୍ଟନ କରିଛନ୍ତି, ଯେଉଁଥିରେ ଚିନି ଉଦ୍ୟୋଗର ୩୧୭ କୋଟି ଲିଟରର ଯୋଗଦାନ ରହିଛି। ଏଥିପାଇଁ ୪୦ ଲକ୍ଷ ଟନ୍‌ ଚିନି ଉତ୍ପାଦନ ହେବା ପୂର୍ବରୁ ଏହାକୁ ଇଥାନଲ୍‌ରେ ପରିବର୍ତ୍ତନ କରାଯାଇଛି। ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟ ବଢ଼ାଇଥିଲେ ସୁଦ୍ଧା ଗୁଡ଼ ଓ ଆଖୁ ରସରୁ ପ୍ରସ୍ତୁତ ହେଉଥିବା ଇଥାନଲ୍‌ ମୂଲ୍ୟ ଗତ ଏକ ବର୍ଷ ହେଲା ବଢ଼ାଯାଇନାହିଁ। ତେଣୁ ଏହି କ୍ଷେତ୍ରର କାର‌୍ୟ୍ୟକ୍ଷମତା ବଜାୟ ରଖିବା ପାଇଁ ମହାସଂଘ ଆଖୁ ରସ ଭିତ୍ତିକ ଇଥାନଲ ଲିଟର ପିଛା ୭୩.୧୪ ଟଙ୍କା ଏବଂ ଗୁଡ଼ ଭିତ୍ତିକ ଇଥାନଲ ପାଇଁ ଲିଟର ପିଛା ୬୭.୭୦ ଟଙ୍କାକୁ ବଢ଼ାଇବା ଦିଗରେ ପୁନଃବିଚାର କରିବାକୁ ଦାବି କରିଛି। ଏହା ନ ହେଲେ ଚିନି କାରଖାନା ବନ୍ଦ ହେବା ସାର ହେବ ବୋଲି ମହାସଂଘ ଯୁକ୍ତି ବାଢ଼ିଛି। ତେଣୁ ସରକାର ଏହି କ୍ଷେତ୍ରରେ ହସ୍ତକ୍ଷେପ କରି ମୂଲ୍ୟ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ କରିବାକୁ ମହାସଂଘ ଦାବି କରିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories