ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବଜାୟ ରଖିବା ସମସ୍ତଙ୍କ ଧେୟ ହେଉ : ଭର୍ତ୍ତୃହରି
ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ
ଆଠଗଡ : ଆଠଗଡ ମହୋତ୍ସବ ପଡିଆଠାରେ ଶୁକ୍ରବାର ସନ୍ଧ୍ୟାରେ ଉପଖଣ୍ଡସ୍ତରୀୟ ୮୭ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟବକ୍ତା ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବ, ସମ୍ମାନିତ ଅତିଥି ଭାବେ ଆଠଗଡ ଏନଏସି ନଗରପାଳ ସସ୍ମିତା ରାଉତ, ତିଗିରିଆ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ ଓ ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ଯୋଗଦେଇ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, କଳା ଓ ଭାଷ୍କର୍ଯ୍ୟ ଅତ୍ୟନ୍ତ ମହାନ ବୋଲି ମତବ୍ୟକ୍ତ କରିଥିଲେ।
ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ମୁଖ୍ୟବକ୍ତା ଶ୍ରୀ ମହତାବ ଭାଷା ଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଇତିହାସ ସଂପର୍କରେ ଆଲୋକପାତ କରିବା ସହ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ପ୍ରମୁଖ ଅବଦାନ ଥିବା ବରପୁତ୍ରଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନକୁ ବଜାୟ ରଖିବା ସମସ୍ତଙ୍କର ଧେୟ ହେଉ ବୋଲି ମୁଖ୍ୟବକ୍ତା ଶ୍ରୀ ମହତାବ ପ୍ରକାଶ କରିଥିଲେ। ଏହି ଅବସରରେ ସରକାରୀ ବାଳିକା ହାଇସ୍କୁଲ, ବିଶ୍ୱନାଥ ବିଦ୍ୟାପୀଠ, ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜ, ମହାତ୍ମାଗାନ୍ଧୀ ଇଂଲିଶ ମିଡିଅମ ସ୍କୁଲ, ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ଗୋପବନ୍ଧୁ ବିଜ୍ଞାନ କଲେଜ, ରାହାଙ୍ଗୋଳସ୍ଥିତ ସେବାଶ୍ରମ ଆବାସିକ ବିଦ୍ୟାଳୟ, ମାଧବପୁରସ୍ଥିତ ସରକାରୀ ବାଳିକା ଆବାସିକ ବିଦ୍ୟାଳୟ, ଏବିସିଡି ଡ୍ୟାନ୍ସଗୃପ, ଓଁକାର ଡ୍ୟାନ୍ସଗୃପ ଓ ବଲିଉଡ ଡ୍ୟାନ୍ସଗୃପ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ଗୁରୁଦତ୍ତ ନାୟକଙ୍କ ନିର୍ଦ୍ଦେଶନାରେ ଓ ବିପ୍ଳବ ଦାସଙ୍କ ସହଯୋଗରେ ସ୍ଥାନୀୟ କଳାକାର ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁଙ୍କ ଦ୍ୱାରା ରଚିତ ଉତ୍କଳ ଦିବସ ଉପଲକ୍ଷେ ଏକ ସଂଗୀତ ଗାନ କରାଯାଇଥିଲା। ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍କଳ ଦିବସ ଉପଲକ୍ଷେ ସକାଳେ ଡାକବାଜି ଯନ୍ତ୍ର ଯୋଗେ ବନ୍ଦେ ଉତ୍କଳ ଜନନୀ ସହରରେ ପ୍ରସାର କରାଯାଇଥିଲା। ପରେ ପରେ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ, ତହସିଲଦାର ପ୍ରିୟବ୍ରତ ଦାସ, ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ନିର୍ବାହୀ ଅଧିକାରୀ ଶ୍ରୀମତୀ ରଚମାଳା ପ୍ରମୁଖ ସହରରେ ପ୍ରତିଷ୍ଠିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରିଥିଲେ।
Comments are closed.