ଯୁଦ୍ଧକୁ ବିରୋଧ କରି ଗିରଫ ହେଲେ ଛାତ୍ରଛାତ୍ରୀ; ଏଯାବତ୍‌ ୭ ହଜାର ଲୋକ ଗିରଫ

ମସ୍କୋ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିଜ ଦେଶରେ ବିରୋଧର ସାମ୍ନା କରିବାକୁ ପଡ଼ିଛି। କିନ୍ତୁ ତାଙ୍କୁ ଏହି ବିରୋଧ ମଞ୍ଜୁର ନୁହେଁ। ଯୁଦ୍ଧ ବିରୋଧରେ ପ୍ରଦର୍ଶନ କରୁଥିବା ଛୋଟ ଛୋଟ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁଟିନ ପ୍ରଶାସନ ଗିରଫ କରିଥିବା ଜଣାପଡ଼ିଛି। ରିପୋର୍ଟ ମୁତାବକ, ରୁଷର ୫୦ ସହରରେ ଯୁଦ୍ଧ ବିରୋଧୀ ପ୍ରଦର୍ଶନ ଅଭିଯୋଗରେ ୭ ହଜାର ଲୋକଙ୍କୁ ଗିରଫ କରାଯାଇଛି।

ସ୍କୁଲ ପିଲାମାନଙ୍କୁ ପୁଲିସ ଭ୍ୟାନରେ ବସାଇ ନିଆଯାଉଥିବା ଓ ଥାନାରେ ଅଟକ ରଖିଥିବା ଫଟୋ ମସ୍କୋରେ ବିରୋଧୀ ଦଳର ନେତାମାନେ ସାମାଜିକ ଗଣମାଧ୍ୟମରେ ଜାରି କରିଛନ୍ତି। ଏହି ପିଲାମାନଙ୍କ ଦୋଷ ହେଉଛି ଯେ ସେମାନେ ଯୁଦ୍ଧ ବିରୋଧରେ ପୋଷ୍ଟର, ବ୍ୟାନର ଦେଖାଇଥିଲେ। ସେମାନଙ୍କୁ ଉଗ୍ରବାଦ ତଥା ଦେଶଦ୍ରୋହ ଅଭିଯୋଗରେ ଜେଲକୁ ପଠାଯାଇପାରେ। ରୁଷରେ ସରକାର କିମ୍ବା ଯୁଦ୍ଧ ବିରୋଧୀ ପ୍ରଦର୍ଶନ କରିବା ଦ୍ବାରା ଦେଶଦ୍ରୋହ ଧାରା ଅଧିନରେ ମାମଲା ରୁଜୁ କରିବାର ବ୍ୟବସ୍ଥା ରହିଛି।

ରୁଷ୍‌ ନେତାମାନଙ୍କ ଦ୍ବାରା ଜାରି କରାଯାଇଥିବା ଅନ୍ୟ ଏକ ଫଟୋରେ ପୁଲିସ ଭ୍ୟାନ ପଛପଟେ ତିନି ଜଣ ପିଲା ବସିଥିବା ଦେଖିବାକୁ ମିଳିଛି। ସେମାନଙ୍କ ହାତରେ ‘ନୋ ୱାର୍‌’ ପ୍ଲାକାର୍ଡ଼ ଓ ଫୁଲ ଅଛି। ଏହି ଫୁଲ ନେଇ ପିଲାମନେ ମସ୍କୋ ସ୍ଥିତ ରୁଷ୍‌ ଦୂତାବାସକୁ ଯାଇଥିଲେ। ଗୋଟିଏ ଝିଅ ହାତରେ ଏକ ପ୍ଲାକାର୍ଡ଼ ଥିଲା, ଯେଉଁଥିରେ ରୁଷୀୟ ଭାଷାରେ ‘ନୋ ୱାର୍‌’ ଲେଖା ହୋଇଥିଲା। ଏହାର ଚାରିପାଖରେ ରୁଷ୍‌ ଓ ୟୁକ୍ରେନର ପତାକା ଅଙ୍କାଯାଇଥିଲା। ରୁଷରେ ବିରୋଧ ପ୍ରଦର୍ଶନ ଉପରେ ନଜର ରଖୁଥିବା ସଙ୍ଗଠନ ଓଭିଡି ଇନ୍‌ଫୋର ସୂଚନା ଅନୁସାରେ, ଏଯାବତ୍ ୫୦ ସହରରେ ୭ ହଜାର ଲୋକଙ୍କୁ ଗିରଫ କରାଯାଇଛି। ଉଭୟ ପଡ଼ୋଶୀ ତଥା ପୂର୍ବତନ ବନ୍ଧୁ ରାଷ୍ଟ୍ରଙ୍କୁ ଆଜି ପରସ୍ପର ମଧ୍ୟରେ ଲଢେଇ କରୁଥିବା ଦେଖି ସାରା ବିଶ୍ବ ଚକିତ ଓ ସ୍ତବ୍ଧ ହୋଇଯାଇଛି। ଉଭୟ ଦେଶର ଜନସାଧାରଣ ଯୁଦ୍ଧ ଚାହୁଁ ନାହାନ୍ତି। ଶାସକ ଦଳର ନେତାଙ୍କ ଅହଂକାର ତଥା ଏକପାଖିଆ ନିଷ୍ପତ୍ତିର ପରିଣାମ ଦେଶର ଜନସାଧାରଣଙ୍କୁ ଭୋଗିବାକୁ ପଡ଼ୁଛି। ଯୁଦ୍ଧ ସପ୍ତମ ଦିନରେ ପହଞ୍ଚିଛି ଓ ଥମିବାର କୌଣସି ସଙ୍କେତ ଦେଖାଯାଉ ନାହିଁ। ରୁଷ୍‌ ଲଗାତାର ଭାବେ ବୋମା ବିସ୍ଫୋରଣ କରୁଛି। ଯୁଦ୍ଧ ଦ୍ବାରା ୟୁକ୍ରେନକୁ ଗଭୀର କ୍ଷତି ସହିବାକୁ ପଡ଼ିଛି। ୟୁକ୍ରେନ ମଧ୍ୟ ରୁଷର ବଡ଼ କ୍ଷତି ଘଟାଇଥିବା ଦାବି କରିଛି।

Comments are closed.