କ୍ୟାମ୍ପସରେ ତେଜୁଛି ଛାତ୍ର ଅଶାନ୍ତି ; ୨୦ରୁ ଊର୍ଦ୍ଧ୍ବ ମହାବିଦ୍ୟାଳୟରେ ନିର୍ବାଚନ ବାତିଲ

0

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ବୁଧବାର ନାମାଙ୍କନପତ୍ର ଦାଖଲ ହେବା ପରେ ଗୁରୁବାର ଏଗୁଡିକ ଯାଞ୍ଚ ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଚୂଡାନ୍ତ ପ୍ରାର୍ଥୀତାଲିକା ପ୍ରକାଶିତ ହେବା ପରେ କେତେକ ସ୍ଥାନରେ ଛାତ୍ର ଅଶାନ୍ତି ଦେଖାଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ମହାବିଦ୍ୟାଳୟରେ ନିର୍ବାଚନକୁ ବାତିଲ କରି ଦିଆଯାଇଛି।
ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୨୮ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ଅକ୍ଟୋବର ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ କ୍ୟାମ୍ପସ ଚଳଚଞ୍ଚଳ ହେବା ସହିତ କେତେକ କଲେଜରେ ପ୍ରାକ ନିର୍ବାଚନୀ ହିଂସା ଆରମ୍ଭ ହୋଇଯାଇଥିଲା। ନାମାଙ୍କନ ପତ୍ର ଦାଖଲ ଦିନଠାରୁ ଚୂଡାନ୍ତ ପ୍ରାର୍ଥୀତାଲିକା ପ୍ରକାଶ ଭିତରେ ଅନେକ ମହାବିଦ୍ୟାଳୟରେ ନିର୍ବାଚନକୁ ବାତିଲ କରି ଦିଆଯାଇଛି। କେତେକ ସ୍ଥାନରେ କୌଣସି କାରଣ ନ ଥାଇ ନିର୍ବାଚନ ବାତିଲ କରାଯାଇଥିବାରୁ ଛାତ୍ର ଅଶାନ୍ତ ବୃଦ୍ଧି ପାଇଛି। କିଛି ସ୍ଥାନରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଅଚାନକ ନିର୍ବାଚନ ବାତିଲ ହୋଇଥିବାରୁ ଛାତ୍ର ଅଶାନ୍ତି ଉଗ୍ରରୂପ ଧାରଣ କରିଛି। ଫଳରେ ସେହିସବୁ କଲେଜରେ ନିର୍ବାଚନକୁ ବାତିଲ କରାଯାଇଥିବା ଘୋଷଣା କରାଯାଇଛି।
ପୂର୍ବରୁ ବାଣୀବିହାର ନିର୍ବାଚନ ବାତିଲ କରାଯାଇଥିବାବେଳେ ୧ ତାରିଖରେ ରେଭେନ୍ସା, ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିର୍ବାଚନ ବାତିଲ କରାଯାଇଥିଲା। ଅନୁରୂପ ଭାବେ ବାଲେଶ୍ୱରର ନୀଳଗିରି, କାକଟପୁରର ମା’ ମଙ୍ଗଳା ମହାବିଦ୍ୟାଳୟ, ଧାମନଗର ମହାବିଦ୍ୟାଳୟ, କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟ, ଭୁବନେଶ୍ୱର ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟ ଓ ଆନନ୍ଦପୁର କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଓ ଗଣ୍ଡଗୋଳ କାରଣରୁ ଏଠାରେ ନିର୍ବାଚନକୁ ବାତିଲ କରିଦିଆଯାଇଥିଲା। କିଛି ମହାବିଦ୍ୟାଳୟରେ ପ୍ରାକ୍‍ ନିର୍ବାଚନୀ ହିଂସା ଦେଖାଦେଇଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହିଥିଲା। ନିର୍ବାଚନ ବିଜ୍ଞପ୍ତି ପ୍ରକାଶିତ ହେବା ପରେ କିଛି ଶିକ୍ଷାନୁଷ୍ଠାନରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇ ଭଙ୍ଗାରୁଜା, ବୋମାମାଡ ଭଳି ଘଟଣା ଘଟିଥିଲା। ନାମାଙ୍କନପତ୍ର ଦାଖଲ ଏବଂ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବା ପରେ ଭୁବନେଶ୍ୱରର ଦେବରାୟ ଓ ରାଜଧାନୀ କଲେଜରେ ନିର୍ବାଚନକୁ ବାତିଲ କରିଦିଆଯାଇଛି। ସେହିପରି ବାଙ୍କୀ ମହାବିଦ୍ୟାଳୟରେ କିଛି ଛାତ୍ରଙ୍କ ନାମ ଚୂଡାନ୍ତ ତାଲିକାରୁ ବାଦ୍‍ ପଡିବା କାରଣରୁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଫଳରେ ସେଠାରେ ମଧ୍ୟ ନିର୍ବାଚନକୁ ବାତିଲ କରାଯାଇଛି। ଏଥିସହିତ ଓଡଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ, ରାଜସୁନାଖଳା ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି କାରଣରୁ ନିର୍ବାଚନକୁ ବାତିଲ କରି ଦିଆଯାଇଛି। ଅନୁରୂପ ଭାବେ ନହରକଣ୍ଟା କଲେଜ, ବାଳକାଟି ପ୍ରତାପ ଶାସନ ଡିଗ୍ରୀ କଲେଜ, ଦେବଗଡ କଲେଜରେ ମଧ୍ୟ ନିର୍ବାଚନ ବାତିଲ କରାଯାଇଛି। ଚୂଡାନ୍ତ ତାଲିକାରେ ନାମ ପ୍ରକାଶିତ ହେବା ଏବଂ ପରବର୍ତ୍ତୀ ଅବସ୍ଥାରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ଛାତ୍ରନେତାଙ୍କ ନାମ ତାଲିକାରୁ ବାଦ ଦେବା ପ୍ରତିବାଦରେ ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଅଧ୍ୟକ୍ଷଙ୍କ ଏଭଳି ନିଷ୍ପତ୍ତିର ପ୍ରତିବାଦ କରି ଛାତ୍ରମାନେ ଧାରଣା ଦେଇଛନ୍ତି।
ଗୋଟିଏ ପରେ ଗୋଟିଏ କଲେଜରେ ଛାତ୍ର ଅଶାନ୍ତି କାରଣରୁ ନିର୍ବାଚନକୁ ବାତିଲ କରାଯାଉଥିଲା ବେଳେ ଏହାକୁ ଏବିଭିପି ଓ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଏବିଭିପି ପକ୍ଷରୁ କୁହାଯାଇଛି ଯେ ଯେଉଁଠି ଶାସକ ଦଳ ସମର୍ଥିତ ପ୍ରାର୍ଥୀଙ୍କ ପରାଜୟ ଭୟ ରହୁଛି ସେଠାରେ କଳେବଳେ କୌଶଳେ ଅଶାନ୍ତି ସୃଷ୍ଟି କରି ନିର୍ବାଚନକୁ ବନ୍ଦ କରି ଦିଆଯାଉଛି। ଅପରପକ୍ଷରେ ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ଯେ ଶାସକ ଦଳର ନେତାଙ୍କ ଇଙ୍ଗିତରେ ଜାଣିଶୁଣି ବୋମାମାଡ କରି ସୁରକ୍ଷା ଦାବିରେ ଧାରଣା ଦିଆଯାଉଛି।
ଯେଉଁସବୁ ସ୍ଥାନରେ ନିର୍ବାଚନକୁ ବାତିଲ କରାଯାଇଛି ସେଠାରେ ଛାତ୍ର ବିଜେଡିକୁ ପ୍ରାର୍ଥୀ ନ ମିଳିବାରୁ ଏପରି କରାଯାଉଛି। ତେବେ ଏପରି ଅଭିଯୋଗକୁ ଛାତ୍ର ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି। ଛାତ୍ର ବିଜେଡି ସବୁବେଳେ ଶାନ୍ତିପୂର୍ଣ୍ଣ ବାତାବରଣ ମଧ୍ୟରେ ନିର୍ବାଚନ କରିବାକୁ ଚେଷ୍ଟା କରି ଆସୁଛି। ମାତ୍ର ବିରୋଧୀମାନେ ଚକ୍ରାନ୍ତ କରି ନିର୍ବାଚନ ବନ୍ଦ କରୁଛନ୍ତି ବୋଲି ଛାତ୍ର ବିଜେଡି ପାଲଟା ଅଭିଯୋଗ କରିଛି।

Leave A Reply