ବ୍ୟାକ ୱାଟର ଷ୍ଟଡି କରିଛ କି ନାହିଁ ଜଣାଅ

0

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ଜଳଭଣ୍ଡାରର ୫୦ଲକ୍ଷ କ୍ୟୁସେକ ଜଳଧାରଣ କ୍ଷମତା ଏବଂ ୧୪୦-୧୫୦ ଫୁଟ ଉଚ୍ଚତା ଡିଜାଇନକୁ ହିସାବକୁ ନେଇ କେନ୍ଦ୍ର ସରକାର ପଛୁଆ ଜଳ ସମସ୍ୟା ଅନୁଧ୍ୟାନ (ବ୍ୟାକ ୱାଟର ଷ୍ଟଡି) କରିଛନ୍ତି କି ନାହିଁ ଜଣାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଏବେ ପଛୁଆ ଜଳ ସଂପର୍କିତ ଅନୁଧ୍ୟାନର ଆବଶ୍ୟକତା ରହିଛି କି ନାହିଁ ଏବଂ ଯଦି ଅନୁଧ୍ୟାନର ଆବଶ୍ୟକତା ରହିଛି ତେବେ ଏଥିପାଇଁ କେତେ ସମୟ ଲାଗି ପାରେ ସେନେଇ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଲିସିଟର ଜେନେରାଲ ପିଙ୍କି ଆନନ୍ଦ ଶୁକ୍ରବାର ଦିନ ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠଙ୍କୁ ଜଣାଇବେ। ଯଦି ପଛୁଆ ଜଳ ପ୍ରସଙ୍ଗରେ ଅଧିକ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ମନା କରନ୍ତି ସେଭଳି ସ୍ଥିତିରେ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିବେ ବୋଲି ବିଚାରପତି ମଦନ ବି ଲୋକୁରଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଆଜି ମାମଲାର ଶୁଣାଣି ବେଳେ ଓଡ଼ିଶା ସରକାରଙ୍କ ଓକିଲ ଗୋପାଳ ସୁବ୍ରମଣ୍ୟମ ଦର୍ଶାଇଥିଲେ ଯେ ପୋଲାଭରମ ପ୍ରକଳ୍ପ ଯୋଗୁଁ ରାଜ୍ୟର କେତେ ଅଞ୍ଚଳ ବୁଡ଼ି ହେବ ସେନେଇ କୌଣସି ଆକଳନ କରାଯାଇନାହିଁ। ପ୍ରକଳ୍ପରେ କେଉଁ ଅଞ୍ଚଳ ଏବଂ ଗ୍ରାମବସତିଗୁଡ଼ିକ ପ୍ରଭାବିତ ହେଉଛି ଜାଣିବା ପରେ ରାଜ୍ୟ ସରକାର ଜନଶୁଣାଣି କରିବେ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ଡିଜାଇନରେ ପରିବର୍ତ୍ତନ ପରେ ନୂତନ ପରିବେଶ ମଞ୍ଜୁରୀ ନିଆଯାଇନଥିବାରୁ ୨୦୧୧ରେ କେନ୍ଦ୍ର ସରକାର କାର୍ଯ୍ୟବନ୍ଦ ଆଦେଶ ଦେଇଥିଲେ। କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରାଣାଳୟ ବେନିୟମ ଭାବେ ଲଗାତାର ଭାବେ ଚତୁର୍ଥ ଥର କାର୍ଯ୍ୟବନ୍ଦ ଆଦେଶକୁ ସ୍ଥଗିତ ରଖିବା ପାଇଁ ଜାରି କରିଥିବା ନୋଟିଫିକେସନକୁ ଆଡଭୋକେଟ ସୁବ୍ରମଣ୍ୟମ ବିରୋଧ କରିଥିଲେ। ତେଲେଙ୍ଗାନା ସରକାରଙ୍କ ଓକିଲ ସି ଏସ ବୌଦ୍ୟନାଥନ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରି ବ୍ୟାକ ୱାଟର ଷ୍ଟଡି ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Leave A Reply